ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ସରଗରମ ହେଉଛି ଜାତୀୟ ରାଜନୀତି। ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରମ୍ଭ ହେଲାଣି କାଦୁଅ ଫୋପଡ଼ା। ଏହି କ୍ରମରେ ଶନିବାର କଂଗ୍ରେସ କଡ଼ା ପ୍ରହାର କରିଛି ବିଜେପି ଉପରେ। ମହାରଷ୍ଟ୍ର କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୦୦ଟି ଭୁଲକୁ ନେଇ ଏକ ପୁସ୍ତକ ଉନ୍ମୋଚନ କରିଛି। ବହିରେ କାର୍ଟୁନ୍‌ ସାହାଯ୍ୟରେ ମୋଦିଙ୍କ ଭୁଲଗୁଡ଼ିକୁ ପ୍ରକାଶ କରାଯାଇଛି। ଏହି ବହି ନାଁ ହେଉଛି ‘100 Mistake of Modi’ ଏବଂ ବହିର ଟ୍ୟାଗ୍‌ ଲାଇନ୍‌ ରହିଛି ‘ବିଜେପିର ଶିଶୁପାଳ’।

ସବୁଠାରୁ ମଜାଦାର କଥା ହେଉଛି, ଏହି ପୁସ୍ତକ ମହାଭାରତର ଶିଶୁପାଳଙ୍କ ନାଁରେ ରଖାଯାଇଛି। ମହାଭାରତରେ ଶିଶୁପାଳଙ୍କ ୧୦୦ ଭୁଲକୁ ଶ୍ରୀକୃଷ୍ଣ କ୍ଷମା କରିବା ପରେ ତାଙ୍କୁ ବଦ୍ଧ କରିଥିଲେ। ତେବେ ଏହି କଥାକୁ ଧ୍ୟନରେ ରଖି ବହି ନାଁ ଏଭଳି ରଖାଯାଇଛି। ଅର୍ଥାତ ଏହି ପୁସ୍ତକ ଜରିଆରେ କଂଗ୍ରେସ ନରେନ୍ଦ୍ର ମୋଦିଙ୍କୁ ଶିଶୁପାଳ ବୋଲି କହିଛି।

ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ଏହି ବହିକୁ ଲଞ୍ଚ କରିଛନ୍ତି। ଏହି ଅବସରରେ କଂଗ୍ରେସର ନେତା ଅଶୋକ ଚୌହାନ, କେ ସି ବେଣୁଗୋପାଳଙ୍କ ସହିତ ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ। ଏହି ବହିରେ ମୋଦିଙ୍କ ପ୍ରଥମ ଭୁଲ ରାଫେଲ୍‌ ଡିଲ୍‌ ବିଷୟରେ କୁହାଯାଇଛି। ସେହିପରି ଜିଏସ୍‌ଟି, ନୋଟବନ୍ଦି ଭଳି ମୋଦି ସରକାରଙ୍କ ବିଭିନ୍ନ ନୀତିକୁ ଭୁଲ ଦର୍ଶାଇ ଏହି ପୁସ୍ତକ ପ୍ରକାଶ କରାଯାଇଛି।

ଏହି ବହି ଜରିଆରେ କଂଗ୍ରେସ ସାରା ଭାରତରେ ବୁଲି ଲୋକମାନଙ୍କୁ ମୋଦି ସରକାରଙ୍କ ଅପାରଗତା ବିଷୟରେ ବର୍ଣ୍ଣନା କରିବ। ବହିରେ ନୋଟବନ୍ଦି, ରାଫେଲ ଡିଲ୍‌ ବ୍ୟତୀତ କୃଷକଙ୍କ ଆତ୍ମହତ୍ୟା, ବେରୋଜଗାରୀ ଭଳି ବିଭିନ୍ନ ମୁଦ୍ଦା ସାମିଲ ରହିଛି।

ପ୍ରଧାନମନ୍ତ୍ରୀ ମୋଦି ଯେପରି ନିର୍ବାଚନ ପ୍ରଚାରରେ କଂଗ୍ରେସ, ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ଗାନ୍ଧି ପରିବାରକୁ ସିଧା ଟାର୍ଗେଟ କରୁଛନ୍ତି, ଏହି ପୁସ୍ତକ ମାଧ୍ୟମରେ କଂଗ୍ରେସ ଏହାର ଜବାବ ଦେଇଛି।

Comment