ଓଡ଼ିଶାଲାଇଭ୍ ବ୍ୟରୋ

(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର) ସମ୍ବଲପୁରରେ ପୁଣି ଜଣ୍ଡିସ୍‌ ତାର କାୟା ବିସ୍ତାର କରିବା ଆରମ୍ଭ କରିଛି। ଗତ ଦୁଇଦିନ ମଧ୍ୟରେ ସରକାରୀ ଭାବରେ ୩୨ଜଣ ରୋଗୀ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି ହୋଇଥିବା ବେଳେ,ବେସରକାରୀ ଭାବରେ ଏହି ସଂଖ୍ୟା ଶହେ ଟପିଥିବା କୁହାଯାଇଛି।

ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ୭୦ରୁ ଅଧିକ ଜଣ୍ଡିସ୍‌ରୋଗୀ ରକ୍ତ ପରୀକ୍ଷା କରିବା ପରେ,କେତେକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦୂଷିତ ଜଳ ଓ ଅପମିଶ୍ରିତ ବାସିଖାଦ୍ୟ ଜଣ୍ଡିସ୍‌ର କାରଣ ବୋଲି ଡାକ୍ତର କହିଛନ୍ତି।

ଏହା ଜଣ୍ଡିସ୍‌ ସମ୍ବଲପୁର ସହର ସମେତ ବୁର୍ଲା,ସମ୍ବଲପୁର,ମାନେଶ୍ୱର ଅଞ୍ଚଳକୁ ବ୍ୟାପିବା ଆରମ୍ଭ କରିଛି। ସମ୍ବଲପୁରରେ ପୁଣି ଜଣ୍ଡିସ୍‌ ଆତଙ୍କ। ଦୂଷିତ ପାଣି ଓ ନାଳଭିତର ଦେଇ ଯାଇଥିବା ପିଏଚ୍‌ଡି ପାଇପରେ ଫାଟ ସୃଷ୍ଟି ହୋଇ ନାଳପାଣି ଓ ପାନୀୟ ଜଳ ମିଶି ଏହି ମାରାତ୍ମକ ବେମାରୀ ପୁଣି ସମ୍ବଲପୁର ସହରରେ ଆତଙ୍କ ସୃଷ୍ଟି କରିଛି ବୋଲି ସମ୍ବଲପୁର ବାସୀ କହିଛନ୍ତି।

୨୦୧୫ ମସିହାରେ ସମ୍ବଲପୁରରେ ଜଣ୍ଡିସ୍‌ ମହାମାରୀ ରୁପ ନେଇଥିଲା। ସେତେବେଳେ,ସରକାରୀ ଭାବରେ ମୃତ୍ୟୁ ସଂଖ୍ୟା ୧୩୫ କୁହାଯାଇଥିବା ବେଳେ, ବେସରକାରୀ ଭାବରେ ଏହି ସଂଖ୍ୟା ୨ଶହରୁ ଅଧିକ ରହିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଗସ୍ତ କରି, ହୀରାକୁଦରୁ ପାନୀୟଜଳ ସିଧା ସମ୍ବଲପୁରକୁ ଆଣିବା ପାଇଁ ୧୬୦କୋଟି ଟଙ୍କା ମଞ୍ଜୁର କରିଥିଲେ।

ଏବେ ସମ୍ବଲପୁର ସହରର ସାକ୍ଷୀପଡା,ସମଲେଉ ପଦର,ମାୟାବଗିଚା,ସୁନାପାଲ୍ଲୀ,ବୁର୍ଲା,ଦୂର୍ଗାପାଲ୍ଲୀ ଅଞ୍ଚଳରେ ଜଣ୍ଡିସ୍‌ ଦେଖିବାକୁ ମିଳିଛି।

ପ୍ରତିଦିନ ଶହ ଶହ ଲୋକ ଜଣ୍ଡିସ୍ ହୋଇଥିବା ଆଶଙ୍କା କରି,ଜିଲ୍ଲାମୁଖ୍ୟ ଚିକିତ୍ସାଳୟ ଓ ବୁର୍ଲା ମେଡିକାଲ୍‌ରେ ନିଜ ରକ୍ତ ପରୀକ୍ଷା କରାଉଛନ୍ତି। ସହରରେ ବର୍ତ୍ତମାନ ଜଣ୍ଡିସ୍‌ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଦେଇଛି। ସହରବାସୀ ଓ ଜଣ୍ଡିସ୍‌ ଆକ୍ରାନ୍ତଙ୍କ ସଂପର୍କୀୟ ମାନେ ଏଥିପାଇଁ ଜିଲ୍ଲାପ୍ରଶାସନ,ଜନସ୍ୱାସ୍ଥ୍ୟ ବିଭାଗ ଓ ମହାନିଗମ ନଗରର ଖାମ୍‌ଖିଆଲୀ ମନୋଭାବ ଓ ଅବହେଳାକୁ ଦାୟୀ କରିଛନ୍ତି।

ସମ୍ବଲପୁରର ଅତିରିକ୍ତ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଞ୍ଚାନନ ନାୟକ କହିଛନ୍ତି ଯେ, ବର୍ତ୍ତମାନ ୫୦ରୁ ଅଧିକ ଜଣ୍ଡିସ୍‌ରୋଗୀ ବୁର୍ଲା ଓ ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ପ୍ରତିଦିନ ଶତାଧିକ ଲୋକ କାଳେ ସେମାନେ ଜଣ୍ଡିସ୍‌ ଆକ୍ରାନ୍ତ ହୋଇଥିବେ, ସେହି ଭୟରେ ନିଜ ନିଜର ରକ୍ତନମୂନା ପରୀକ୍ଷା କରାଉଛନ୍ତି। ଆଉ କିଛିଦିନ ମଧ୍ୟରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାନଗଲେ ରୋଗୀସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି।

ସେହିପରି ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀ ଯନ୍ତ୍ରୀ ମନୋଜ ରଞ୍ଜନ ନନ୍ଦ କହିଛନ୍ତି ଯେ, ଜଣ୍ଡିସ୍‌ ବ୍ୟାପିଥିବା ବିଭିନ୍ନ ସାହିଗଳିରୁ ପାଣିର ନମୂନା ପରୀକ୍ଷା ପାଇଁ ଅଣାଯାଇଛି। ପରୀକ୍ଷା ପରେ ପ୍ରକୃତରେ ଦୂଷିତଜଳ ଜଣ୍ଡିସ୍‌ର ମୁଖ୍ୟ କାରଣ କି ଅନ୍ୟ କିଛି ତାହା ସ୍ପଷ୍ଟ କରିହେବ ବୋଲି ସେ କହିଛନ୍ତି।

ସମ୍ବଲପୁରରେ ୨୦୧୫, ୨୦୧୬,୨୦୧୭ ଓ ୨୦୧୮ ମସିହାରେ ଠିକ୍ ଏହି ମାର୍ଚ୍ଚ ମାସରେ ଜଣ୍ଡିସ୍‌ ବ୍ୟାପି ମହାମାରୀ ରୁପ ନେଇଥିଲା। ପ୍ରତିଥର ଏହି ରୋଗରେ ଶହଶହ ଲୋକ ଆକ୍ରାନ୍ତ ହେବା ସହ, ଅନେକ ମୃତ୍ୟୁ ମୁଖରେ ପଡୁଛନ୍ତି। ହେଲେ ଜିଲ୍ଲାପ୍ରଶାସନ, ଜନସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏହା ଉପରେ ରୋକ ଲଗାଇବାରେ ସଫଳ ହୋଇପାରିନାହିଁ। ଏବେଠାରୁ ଏହି ରୋଗକୁ ନିୟନ୍ତ୍ରଣ କରାନଗଲେ, ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବା ଆଶଙ୍କା କରାଯାଉଛି।

Comment