ଓଡ଼ିଶାଲାଇଭ ବ୍ୟୁରୋ

ପିଲାମାନେ ସାଧାରଣତଃ ଖେଳିବାକୁ ପସନ୍ଦ କରିଥାନ୍ତି। ଅନେକ ସମୟରେ ସେମାନେ ଖେଳନା ଛଡ଼ା ଘରର କିଛି ସାମଗ୍ରୀରେ ଖେଳିବା ଲାଗି ଜିଦି କରିଥାନ୍ତି। ଆଉ ବାପାମା ବି ପିଲାର ଜିଦିକୁ ଦେଖି ତାହା ଦେଇଥାନ୍ତି।

କିନ୍ତୁ ଅନେକ ସମୟରେ ଏହି ଟିକେ ଭୂଲର ପରିଣାମ ଆପଣଙ୍କ ପିଲାଙ୍କୁ ଭୋଗିବାକୁ ପଡ଼ିଥାଏ। ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ। ୯ବର୍ଷ କ୍ରୀଷ୍ଣା ଗୋଟିଏ ମାଳିରେ ଖେଳୁଥିଲା। ଖେଳୁଖେଳୁ କେତେବେଳେ ମାଳିଟିକୁ ଗିଳି ଦେଇଛି।

ଏହାପରେ ଯେତେବେଳେ କଷ୍ଟ ହେଲା ସେତେବେଳେ ସେ ବାପାମାଙ୍କୁ କହିଲା। ମାଳିଟି ଗିଳିବା ପରେ ହଠାତ୍ ପିଲାଟିକୁ ନିଶ୍ଵାସ ନେବାରେ ଅସୁବିଧା ହୋଇଥିଲା ଏପରିକି ସେ କଷ୍ଟ ଅନୁଭବ କରିଥିଲା।

ସେପଟେ ମାଳିଟି ଶ୍ଵାସନଳୀ ଦେଇ ଡାହାଣପଟ ଫୁସଫୁସ ଭିତରେ ପଶିଯାଇଥିଲା। ପିଲାଟିର ଅବସ୍ଥା ଗୁରୁତର ହେବାରୁ ବାପାମା ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ। ସେଠାରେ ପ୍ରାଥମିକ ପରୀକ୍ଷା ପରେ ପିଲାଟିର ଶ୍ଵାସନଳୀରୁ ମାଳିଟି କାଢ଼ିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଶିଶୁଟି ଗିଳିଥିବା ମାଳିଟି ଓଜନିଆ ଓ ଚିକ୍କଣ ଥିବାରୁ ଅପ୍ଟିକାଲ ଫୋର୍ସେସ କିମ୍ବା ଅନ୍ୟ ଫୋର୍ସେସ ମାଧ୍ୟମରେ କାଢ଼ିବା ସମ୍ଭବ ହୋଇନଥିଲା। ଏହାପରେ ଅପରେସନ ହିଁ ଏକମାତ୍ର ରାସ୍ତା ଥିଲା ମାଳିଟିକୁ କାଢ଼ିବାଲାଗି। ପରେ କାର୍ଡିଆକ୍ ଆନେସଥେଟିଷ୍ଟ ଡାକ୍ତର ଓ ଅନ୍ୟ ସର୍ଜିକାଲ ଟିମ୍ ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ ଓ ଏହାପରେ ଅପରେସନ ଆରମ୍ଭ ହୋଇଥିଲା। ଏହି ଅପରେସନ ସଫଳ ହୋଇଛି ଓ ପିଲାଟିର ଅବସ୍ଥାବି ଭଲ ଅଛି। ଏଥିଲାଗି କ୍ରୀଷ୍ଣାର ବାପା ମା ଡାକ୍ତରଙ୍କୁ ଧନ୍ୟବାଦ ଦେବା ସହ ଭଗବାନଙ୍କୁ ମଧ୍ୟ ମନେ ପକାଇଛନ୍ତି।

ତେବେ ଟିକେ ଅସାବଧନତା ପାଇଁ କେତେବେଳେ ଯେ ଆପଣଙ୍କ ପିଲାର ଜୀବନ ପ୍ରତି ବିପଦ ଆସିବ ତାହା କହିହେବନି। ତେଣୁ ଯେତେବେଳେ କିଛି ଖେଳନା ଆପଣ ଆପଣଙ୍କ ପିଲାଙ୍କୁ ଦେଉଛନ୍ତି ସେତେବେଳେ ଟିକେ ସାବଧାନ ରୁହନ୍ତୁ ଓ ପିଲା ସାନ ଥିଲେ ନିଜେ ନଜର ରଖନ୍ତୁ।

Comment