ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆମ ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଜାରି ରହିଛି। ଲୋକଙ୍କ ମଧ୍ୟରେ ଟୟଲେଟ ବ୍ୟବହାର କରିବା ଲାଗି ସଚେତନତା ସୃଷ୍ଟି ହେଉଛି। ତେବେ ଗାଈମାନଙ୍କ ଲାଗି ଟୟଲେଟ ରହିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ପୂରା ସତ। ଏଭଳି ଟୟଲେଟ ରହିଛି ନେଦରଲାଣ୍ଡରେ।

ସାରା ବିଶ୍ୱରେ ଚାଷବାସ କ୍ଷେତ୍ରରେ ନେଦରଲାଣ୍ଡ ଦ୍ୱିତୀୟ ସ୍ଥାନରେ ରହିଛି। ଏଠାରେ ଦୁଗ୍ଧ ଉତ୍ପାଦନ ଏକ ଲାଭଜନକ ବ୍ୟବସାୟ। ଚାଷୀମାନେ ଡାଏରୀ ଫାର୍ମିଂ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ଏସବୁ ଫାର୍ମରୁ ସୃଷ୍ଟି ହେଉଥିବା ଟନ୍ ଟନ୍ ପରିମାଣର ଗୋବର ଓ ମୁତ୍ର ଯୋଗୁ ଆମୋନିଆ ସୃଷ୍ଟି ହୋଇ ବାୟୁ ପ୍ରଦୂଷଣର ଆଶଙ୍କା ରହିଥାଏ। ତେଣୁ ଏଠାରେ ଗାଈଙ୍କ ୟୁରିନାଲ ଡିଭାଇସ୍ ରଖାଯାଇଥାଏ।

ହ୍ୟାଙ୍କ୍‌ ନାମକ ଜଣେ ଚାଷୀଙ୍କ ଫାର୍ମରେ ଏହି ୟୁରିନ ଡିଭାଇସ ସହଯୋଗରେ ପ୍ରତିଦିନ ୧୫ରୁ ୨୦ ଲିଟର ଗୋମୁତ୍ର ଏକାଠି କରାଯାଇଥାଏ। ଗାଈଙ୍କୁ ଏଠାରେ ମଳ ମୂତ୍ର ତ୍ୟାଗ କରିବା ପାଇଁ ତାଲିମ୍ ଦିଆଯାଇଥାଏ। ଫଳରେ ଗୋଟିଏ ସ୍ଥାନରେ ଗୋବର ଓ ମୂତ୍ର ସଂଗୃହୀତ ହୋଇପାରିଥାଏ। ଫାର୍ମରେ ଗାଈଗୁଡ଼ିକ ମଣିଷ ପରି ଟୟଲେଟରେ ମଳମୂତ୍ର ତ୍ୟାଗ କରିଥାନ୍ତି। ଏହା ଦେଖିଲେ ଯେ କେହି ଚକିତ ହୋଇଯିବେ।

ହ୍ୟାଙ୍କ୍‌ଙ୍କ କହିବା କଥା ଯଦି ତାଙ୍କ ପାଇଁ ଅର୍ଥ ବନ୍ଦୋବସ୍ତ କରାଯାଏ ସେ ଏହା ଉପରେ ଅଧିକରୁ ଅଧିକ କାର୍ଯ୍ୟ କରି ଦେଖାଇବାରେ ସକ୍ଷମ ହେବେ। ଏଠାରେ ୫୮ରୁ ୭ଟି ଗାଈ ଟୟଲେଟର ବ୍ୟବହାର ଶିଖି ସାରିଛନ୍ତି। ଏହି ଟୟଲେଟ ବକ୍ସକୁ ଗାଈର ଲାଞ୍ଜ ନିକଟରେ ହିଁ ରଖାଯାଇଥାଏ। ୨୦୨୦ ସୁଦ୍ଧା ଏହି ଟୟଲେଟ୍ ଯେପରି ବଜାରରେ ଉପଲବ୍ଧ ହେବ ହ୍ୟାଙ୍କଙ୍କ କମ୍ପାନିର ଲକ୍ଷ୍ୟ ରହିଛି।

Comment