ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ପୁରୁଷ ହକି ବିଶ୍ୱକପରେ ୨୭ତମ ମ୍ୟାଚରେ ବେଲଜିୟମ୍ ୫-୦ ଗୋଲରେ ପାକିସ୍ତାନକୁ ପରାସ୍ତ କରିଛି। ଚତୁର୍ଦ୍ଦଶ ହକି ବିଶ୍ୱକପ୍‌ର କ୍ରସ ଓଭର ମ୍ୟାଚରେ ବେଲଜିୟମର ଖେଳାଳିମାନେ ଆରମ୍ଭରୁ ପାକିସ୍ତାନ ଉପରେ ଆକ୍ରମଣାତ୍ମକ ଭାବରେ ଖେଳିଥିଲେ।

ବେଲଜିୟମ ପ୍ରଥମ କ୍ୱାର୍ଟରରେ ୨ଟି ଗୋଲ ଦେଇଥିବା ବେଳେ ୨ୟ କ୍ୱାର୍ଟରେ ଗୋଟିଏ ଗୋଲ ଦେଇ ମଧ୍ୟାନ୍ତର ବେଳକୁ ପାକିସ୍ତାନ ବିପକ୍ଷରେ ୩-୦ ଗୋଲରେ ଅଗ୍ରଣୀ ଥିଲା। ପାକିସ୍ତାନ ବିପକ୍ଷରେ ବେଲଜିୟମ୍ କ୍ୱାର୍ଟର-୩ରେ ଗୋଟିଏ ଗୋଲ ଦେଇଥିଲା। ଶେଷରେ ପାକିସ୍ତାନକୁ ବେଲଜିୟମ୍ ୫-୦ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପହଞ୍ଚିଛି।

ଡିସେମ୍ବର ୧୩ରେ ବେଲଜିୟମ୍ ଜର୍ମାନୀକୁ ଭେଟିବ।

ସେହିପରି ଦ୍ୱିତୀୟ ମ୍ୟାଚରେ ନେଦରଲାଣ୍ଡ ୫-୦ ଗୋଲରେ କାନାଡାକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ନେଦରଲାଣ୍ଡ ପକ୍ଷରୁ ଥିଜସ ଭାନ ଡାମ ଦୁଇଟି ଗୋଲ୍ ଦେଇ ଦଳକୁ ବଡ଼ ଧରଣର ବ୍ୟବଧାନରେ ବିଜୟୀ କରାଇଛନ୍ତି। ଏହା ସହିତ ଲାର୍ସ ବଲ୍କ ୧୬, ରବର୍ଟ କେମ୍ପରମାନ ୨୦ମ ଓ ଥିଏରି ବ୍ରିଙ୍କମ୍ୟାନ ୪୧ ମ ମିନିଟରେ ଗୋଲ୍ ଦେଇ ଦଳକୁ ୫-୦ରେ ବିଜୟୀ କରାଇଛନ୍ତି। ନେଦରଲାଣ୍ଡ ଡିସେମ୍ବର ୧୩ରେ ଭାରତକୁ ମୁକାବିଲା କରିବ।

Comment