ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଗଞ୍ଜାମ ଓ ଗଜପତି ଜିଲ୍ଲାର ରାଜନୀତି କହିଲେ କେବଳ ପରିବାରକୁ ହିଁ ବୁଝାଉଛି। ଏଥର ନିର୍ବାଚନ ତାହାର ପ୍ରମାଣ। ଅଧିକାଂଶ ବରିଷ୍ଠ ରାଜନେତା ସେମାନଙ୍କ ପୁଅ ଝିଅଙ୍କୁ ରାଜନୀତି ଭିତରକୁ ଆଣିବାକୁ କିମ୍ବା ଥଇଥାନ କରିବାକୁ ବ୍ୟସ୍ତ ଓ ସେମାନେ ସଫଳ ବି ହୋଇଛନ୍ତି।
ବ୍ରହ୍ମପୁର ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ଭୃଗୁ ବକ୍ସିପାତ୍ର ହେଉଛନ୍ତି ବିଜୁ ପଟ୍ଟନାୟକ ଅମଳରେ କ୍ୟାବିନେଟ ମନ୍ତ୍ରୀ ଥିବା ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପୁତ୍ର। ସେହିଭଳି ଆସ୍କା ଲୋକସଭା ଆସନରୁ ବିଜେପି ଟିକେଟ ପାଇଥିବା ଅନିତା ଶୁଭଲକ୍ଷ୍ମୀ ପଟ୍ଟନାୟକ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକ ଓ ପୂର୍ବତନ ସାଂସଦ କୁମୁଦିନୀ ପଟ୍ଟନାୟକଙ୍କ କନ୍ୟା। ରାମକୃଷ୍ଣ ପଟ୍ଟନାୟକ କୋଦଳା ବିଧାନସଭା ଆସନରୁ ଲଗାତାର ୫ ଥର ନିର୍ବାଚିତ ହୋଇଥିଲେ ଓ କୁମୁଦିନୀ ଥରେ ମାତ୍ର ଲୋକସଭାକୁ ଯାଇଥିଲେ।
ଲତିକା ପ୍ରଧାନ ଯିଏ ବିଜେଡି ଟିକେଟରୁ କବିସୂର୍ଯ୍ୟ ନଗର ବିଧାନସଭା ଆସନ ପାଇଁ ନିର୍ବାଚନ ଲଢ଼ୁଛନ୍ତି ସେ ହେଉଛନ୍ତି ପୂର୍ବତନ ଆସ୍କା ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ। ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ସିଂହଦେଓଙ୍କ କନ୍ୟା ନନ୍ଦିନୀ ଦେବୀ ମଧ୍ୟ ଏଥର ପ୍ରାର୍ଥୀ ହୋଇଛନ୍ତି। ସେ ସାନଖେମୁଣ୍ଡି ଆସନରୁ ପୁଣି ଥରେ ଶାସକ ବିଜେଡି ପକ୍ଷରୁ ନିର୍ବାଚନରେ ଠିଆ ହୋଇଛନ୍ତି। ନନ୍ଦିନୀ ଦେବୀ ଧରାକୋଟ ରାଜା ପରିବାରରୁ ଆସିଛନ୍ତି। ନନ୍ଦିନୀଙ୍କ ପରିବାରର ଅନ୍ୟମାନେ ହେଲେ ଅନନ୍ତ ନାରାୟଣ ସିଂହଦେଓ ଓ ଶାନ୍ତି ଦେବୀ ଯେଉଁମାନେ ଅତୀତରେ ସୋରଡ଼ା ଆସନରୁ ଜିତି ବିଧାନସଭା ଆସିଛନ୍ତି।
ବିଧାନସଭାର ପୂର୍ବତନ ବାଚସ୍ପତି ଓ କଂଗ୍ରେସ ନେତା ଚିନ୍ତାମଣି ଡ୍ୟାନ୍ ସାମନ୍ତରାୟଙ୍କ ପୁଅ ମନୋରଞ୍ଜନ ଏଥର ବିଜେପି ଟିକେଟରେ ଚିକିଟି ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ତେବେ ବାପା କଂଗ୍ରେସରେ ଥିବାବେଳେ ପୁଅ ବିଜେପିରେ ଏହା ଏକ ବିଚିତ୍ର ସଂଯୋଗ ଠିକ୍ ଦାମ ରାଉତଙ୍କ ପରିବାର ଭଳି। ଚିକିଟିରେ ତାଙ୍କୁ ମୁକାବିଲା କରୁଥିବା ମନ୍ତ୍ରୀ ଉଷା ଦେବୀ ମଧ୍ୟ ପରିବାର ରାଜନୀତିରୁ ହିଁ ଆସିଛନ୍ତି। ଉଷା ଦେବୀ ଚିକିଟି ରାଜ ପରିବାରର ବୋହୂ ଓ ତାଙ୍କ ଶ୍ୱଶୁର ସଚ୍ଚିଦାନନ୍ଦ ଦେଓ ୧୯୬୭ରେ ଚିକିଟିରୁ ବିଧାୟକ ଥିଲେ।ଚଳିତ ନିର୍ବାଚନରେ ଆସ୍କା ବିଧାନସଭା ଆସନରୁ ବିଜେଡି ପ୍ରାର୍ଥୀ ହୋଇଥିବା ମଞ୍ଜୁଳା ସ୍ୱାଇଁ ହେଉଛନ୍ତି ସ୍ୱର୍ଗତ ଲଡୁ କିଶୋର ସ୍ୱାଇଁଙ୍କ ବିଧବା ପତ୍ନୀ। ଲଡ଼ୁ କିଶୋରଙ୍କ ମୃତ୍ୟୁ ପରେ ବିଜେଡି ମଞ୍ଜୁଳାଙ୍କୁ ପ୍ରାର୍ଥୀ କରିଛି। ଏ ତ ଗଲା ଗଞ୍ଜାମ ଜିଲ୍ଲା କଥା।
ପାଖ ଗଜପତି ଜିଲ୍ଲା ମଧ୍ୟ ପରିବାର ରାଜନୀତିରୁ ବାଦ ପଡ଼ିନି। ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡି ଟିକେଟ ପାଇଥିବା କଲ୍ୟାଣୀ ଦେବୀ ହେଉଛନ୍ତି ବ୍ରହ୍ମପୁରର ପୂର୍ବତନ ସାଂସଦ ଗୋପୀନାଥ ଗଜପତିଙ୍କ କନ୍ୟା। କଲ୍ୟାଣୀ ରାଜନୀତିରେ ପୂରା ନୂଆ ଓ ସିଧା ଚେନ୍ନାଇରୁ ଆସି ବିଜେଡ଼ି ଟିକେଟ ନେଇଛନ୍ତି।