ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ସୋନପୁର ବିଧାନସଭା ଆସନ ପାଇଁ ଗୁରୁବାର ଭୋଟ ଗ୍ରହଣ କରାଯିବ। ଏଥର ସୋନପୁରରେ ଲଢେ଼ଇ ସ୍ୱାଧୀନ ପ୍ରାର୍ଥୀ ଓ ଦଳୀୟ ପ୍ରାର୍ଥୀଙ୍କ ଭିତରେ ହେବ। ବିଜେଡ଼ି ପକ୍ଷରୁ ନିରଞ୍ଜନ ପୂଜାରୀ ପୁଣି ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ଅଶୋକ ଚୌଧରିଙ୍କୁ ପ୍ରାର୍ଥୀ କରିଛି।ସ୍ୱାଧୀନ ଭାବେ ନବକୋଶର ଦନ୍ତା ଓ ବିଏସପି ପକ୍ଷରୁ ସୁରୁବାବୁ ନନ୍ଦ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। କଂଗ୍ରେସ ମଧ୍ୟ ତାର ପ୍ରାର୍ଥୀ ଦେଇଛି।

ସୋନପୁର ତ୍ରିକୋଣୀୟ ଲଢ଼େଇର ସମ୍ମୁଖୀନ ହେବାକୁ ଯାଉଛି ବୋଲି ବିଶେଷଜ୍ଞଙ୍କ ମତ। ଜଳସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ହ୍ୟାଟ୍ରିକ ଲକ୍ଷ୍ୟରେ ଅଛନ୍ତି।ତେବେ ରୋଚକ ବିଷୟ ହେଲା ନିରଂଜନଙ୍କୁ ଯିଏ ଚାଲେଞ୍ଜ କରୁଛନ୍ତି ସିଏ ତାଙ୍କ ନିଜ ପୁତୁରା। ଦାଦା ପୁତୁରା ଲଢେଇରେ କିଏ ବିଜୟୀ ହେବେ ତାହା ଗୁରୁବାର ସ୍ପଷ୍ଟ ହୋଇଯିବ। ୨୦୦୯ ଓ ୨୦୧୪ ନିର୍ବାଚନରେ ନିରଞ୍ଜନ ଜିତି ମନ୍ତ୍ରୀ ହୋଇଥିଲେ।ସେ ବିଧାନସଭା ବାଚସ୍ପତି ମଧ୍ୟ ରହିଥିଲେ।

୨୦୧୪ ନିର୍ବାଚନରେ ନିରଞ୍ଜନ ୯୩ ହଜାର,ବିଜେପିର ପ୍ରମୋଦ ମହାପାତ୍ର ୪୨ ହଜାର ଓ କଂଗ୍ରେସର ସର୍ବେଶ୍ୱର ପୁରୋହିତ ୩୬ ହଜାର ପାଖାପାଖି ଭୋଟ ପାଇଥିଲେ।ଏଣୁ ଏଥର ବି ପ୍ରତିଦ୍ୱନ୍ଦିତା ଜୋରଦାର ହେବ ବୋଲି ଅନୁମାନ କରାଯାଉଛି।

ନିରଞ୍ଜନ ପୂଜାରୀ ଜଣେ ଚତୁର ନେତା ଭାବେ ସୋନପୁର ଅଞ୍ଚଳରେ ଜଣାଶୁଣା।ତା ଛଡ଼ା ତାଙ୍କ ଲୋକପ୍ରିୟତା ବି ବଜାୟ ରହିଛି।ଜିଲ୍ଲା  ସଦର ମହକୁମା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ସେ ବହୁ ଉନ୍ନୟନମୂଳକ କାର୍ଯ୍ୟ ସମ୍ପାଦନ କରିଥିଲେ। ସେହିଭଳି ବିଜେପିର ଅଶୋକ ପୂଜାରୀ ମଧ୍ୟ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମକୁ  ସଫଳ ରୂପାୟନ କରିବା ଦିଗରେ ପଦକ୍ଷେପ ନେଇଥିଲେ।ସୋନପୁର ଅଞ୍ଚଳର ବିଭିନ୍ନ ସମସ୍ୟାକୁ ମଧ୍ୟ ସେ ବିଭିନ୍ନ ସମୟରେ ଉଠାଇ ଆସିଛନ୍ତି।ତେବେ କଂଗ୍ରେସ ପ୍ରାର୍ଥୀ ଚିତ୍ତରଞ୍ଜନ ମଧ୍ୟ ଉଦ୍ୟମ  କରୁଛନ୍ତି ନିଜ ଭୋଟ ଓ ଦଳର ଭୋଟ ସହାୟତାରେ ବିଜୟୀ ହୋଇପାରିବେ।ଏହିଭଳି ସ୍ଥିତିରେ କାହା ମୁଣ୍ଡରେ ହାତୀ କଳସ ଢାଳୁଛି ତାହା ଅପେକ୍ଷା କରି ଦେଖିବାର କଥା।

LEAVE A REPLY

Please enter your comment!
Please enter your name here