ଓଡ଼ିଶାଲାଇଭ୍ ବ୍ୟୁରୋ

ଧାମନଗର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ବିଷ୍ଣୁ ଚରଣ ସେଠୀଙ୍କର ସୋମବାର ଦିନ ବିୟୋଗ ଘଟିଛି। କିଡନୀ ରୋଗରେ ପୀଡ଼ିତ ହୋଇ ସେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆଜି ଭୋର୍‌ ସମୟରେ ତାଙ୍କର ଦେହାନ୍ତ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା।

କିଡନୀ ରୋଗରେ ପୀଡ଼ିତ ହୋଇ ବିଷ୍ଣୁ ଚରଣ ସେଠୀ ଏକ ମାସ ଧରି ଏମ୍ସ ହସ୍ପିଟାଲର ଆଇସିୟୁରେ ଚିକିତ୍ସିତ ହେଉଥିଲେ। ବିଷ୍ଣୁ ସେଠୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କଠୁ ଆରମ୍ଭ ବିଭିନ୍ନ ଦଳର ନେତା ଏବଂ ପ୍ରମୁଖ ବ୍ୟକ୍ତି ବିଶେଷ ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି, “ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଜନପ୍ରତିନିଧି ଭାବେ ଲୋକଙ୍କ ପାଇଁ ତାଙ୍କ କଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।”

ସେହିପରି ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ଶୋକ ବ୍ୟକ୍ତ କରିବା ସହ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କୁ ଜଣେ ଦକ୍ଷ ବିଧାୟକ ଏବଂ ଲୋକପ୍ରିୟ ରାଜନେତା ଭାବରେ ବର୍ଣ୍ଣନା କରିଛନ୍ତି। ସେ ସ୍ଵର୍ଗତ ଆତ୍ମାର ସଦଗତି ନିମନ୍ତେ କାମନା କରିଛନ୍ତି।

ବିଷ୍ଣୁ ଚରଣ ସେଠୀ ଦୁଇ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଚାନ୍ଦବାଲିରୁ ସେ ୨୦୦୦ରେ ସେ ପ୍ରଥମ ଥର ଚାନ୍ଦବାଲି ବିଧାନସଭା ଆସନରୁ ବିଜୟୀ ହୋଇଥିଲେ। ୨୦୧୯ରେ ସେ ଧାମନଗର ଆସନରୁ ଜିତି ବିଧାୟକ ହୋଇଥିଲେ। ବିଧାନସଭାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସେ ସରକାରଙ୍କୁ ଘେରୁଥିଲେ। ରାଜନୈତିକ ଜୀବନ ପୂର୍ବରୁ ଆରଏସଏସର ଜଣେ ସକ୍ରିୟ ସଦସ୍ୟ ଥିଲେ ବିଷ୍ଣୁ ରଚଣ ସେଠୀ। ପରେ ସେ ବିଜେପି ଯୁବମୋର୍ଚ୍ଚାରେ ସାମିଲ ହୋଇଥିଲେ।

Tags: #Politics #PoliticalLeader #BJPLeader #BishnuCharanSethi #Death

Comment