ଓଡ଼ିଶାଲାଇଭ୍ ବ୍ୟୁରୋ
କେନ୍ଦ୍ରାପଡ଼ା: ମୌଳିକ ସୁବିଧାରୁ ଦୀର୍ଘ ଦିନ ଧରି ବଞ୍ଚିତ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଓକିଲପାଳ ଗ୍ରାମବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଖବର ଜିଲ୍ଲା ପ୍ରଶାସନ ପାଖରେ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀମାନେ ଆଜି ଏହି ଗାଁକୁ ଆସି ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି। ଭୋଟ ବର୍ଜନ ନକରିବାକୁ ଅନୁରୋଧ କରିଛନ୍ତି।
ସମୁଦ୍ର ଗର୍ଭରେ ଲୀନ ହେଉଛି ସାତଭାୟା ପଞ୍ଚାୟତ। ସରକାର ସାତଭାୟା ଅଞ୍ଚଳର ୫୭୧ଟି ପରିବାରଙ୍କୁ ବଗପାଟିଆଠାରେ ଥଇଥାନ କଲେ। ହେଲେ ଭୁଲିଯାଇଛନ୍ତି ଓକିଲପାଳବାସୀଙ୍କ ଦୁର୍ଦ୍ଦଶା। ୧୯୭୧ ମସିହାର ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ରେ ସାତଭାୟା ଅଞ୍ଚଳରେ ୭୫୨ ଲୋକ ମରିହଜି ଯାଇଥିଲେ। ୩୨ଟି ପରିବାରର ଲୋକେ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇ ଯାଇଥିଲେ।
ସମୁଦ୍ର ଜୁଆରରେ ଭାସିଯାଇ ବିଭିନ୍ନ ସ୍ଥାନରେ ଲାଗିଥିବା ୨୭୦ଟି ପରିବାରଙ୍କୁ ସେତେବେଳର ଭୁଦାନ ଆନ୍ଦୋଳନର ନାରୀନେତ୍ରୀ ରମାଦେବୀ ଓ ନେତା ବିରଜାଶଙ୍କର ରାୟ ଦେବେନ୍ଦ୍ରନାରାୟଣପୁର ଗାଁରେ ଥଇଥାନ କରି କିଛି କିଛି ଜମି ଦେଇଥିଲେ। ସେଥି ମଧ୍ୟରୁ ଅନେକ ଲୋକେ ଏପର୍ଯ୍ୟନ୍ତ ଜମିପଟ୍ଟା ପାଇନାହାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାକି ଏହି ଲୋକମାନେ ସାତଭାୟା ଅଞ୍ଚଳରେ ଥିବା ବେଳେ ଦାନ୍ତିଆପଦା ଓ ମଗରକନ୍ଦା ଅଞ୍ଚଳରେ ଥିବା ଚାଷ ଜମିରେ ଚାଷକରି ପରିବାର ପ୍ରତିପୋଷଣ କରୁଥିଲେ। ଏବେ ମଧ୍ୟ ଏହି ଓକିଲପାଳ ଗାଁ ଲୋକେ ସେହି ଜମିରେ ଚାଷକରି ପରିବାର ପୋଷଣ କରୁଛନ୍ତି। ୧୯୮୩ ମସିହାରେ ସେଟେଲମେଣ୍ଟରେ ଏହି ପରିବାର ଲୋକମାନଙ୍କ ନାମରେ ସେହି ଜମିସବୁ ଅସ୍ଥାୟୀ ରେକର୍ଡ କରାଯାଇ ଖଜଣା ଆଦାୟ କରୁଛନ୍ତି ସରକାର। ହେଲେ ସ୍ଥାୟୀ ରେକର୍ଡ କରାଯାଉନି
ଗଣତାନ୍ତ୍ରିକ ରାଷ୍ଟ୍ରରେ ଅଗଣତାନ୍ତ୍ରିକ ବିଚାରର ପ୍ରତିବାଦ କରି ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ ଓକିଲପାଳ ଗାଁର ଭୋଟରମାନେ। ଜିଲ୍ଲା ପ୍ରଶାସନ ନିକଟରେ ଖବର ପହଞ୍ଚିବା ପରେ ଆଜି ରାଜନଗର ତହସିଲଦାର ସ୍ଥାନୀୟ ଆର ଆଇଙ୍କ ସହିତ ଓକିଲପାଳ ଗାଁରେ ପହଞ୍ଚି ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରିଥିଲେ। ଭୋଟ ଦାନରୁ ବିରତ ନରହିବାକୁ ପରାମର୍ଶ ଦେଇଥିଲେ। ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ଆଉଥରେ ଲିଖିତ ଆବେଦନ କରିବାକୁ କହିଛନ୍ତି।


















