ଓଡ଼ିଶାଲାଇଭ ପଲିଟିକାଲ୍ ବ୍ୟୁରୋ

ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ଆଜି ହେବ।  ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟ ଏହି ଶୁଣାଣି କରିବେ।

ସୋମବାର କୋର୍ଟ ଶୁଣାଣିକୁ ସ୍ଥଗିତ ରଖିଥିଲେ। ଯାହାପରେ ତାଙ୍କୁ ଝାରପଡ଼ା ଜେଲକୁ ନିଆଯାଇଥିଲା। ଅନ୍ୟପଟେ ଅସୁସ୍ଥ କାରଣରୁ ଏବେ ମହାରଥୀ କ୍ୟାପିଟାଲ ହସ୍ପିଟାଲରେ କ୍ୟାବିନ୍ ନମ୍ବର ୫ରେ ଚିକିତ୍ସାଧୀନ ଅଛନ୍ତି।

ମହାରଥୀଙ୍କ ବିରୋଧରେ ପୋଲିସ ଅନେକ ସଙ୍ଗୀନ ଅଭିଯୋଗ ଲଗାଇିଛି। ଯାହାପରେ ମହାରଥୀଙ୍କୁ ଜାମିନ ମିଳିବା ଟିକେ କଷ୍ଟ ହୋଇପାରେ।

ରବିବାର ବିଳମ୍ବିତ ରାତିର ଘଟଣା। ହୁଙ୍କେଶ୍ୱରୀସ୍ଥିତ ଫାର୍ମ ହାଉସରେ ଚଢ଼ାଉ କରିଥିଲା ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ଏବଂ ଏସଏସଟି ଟିମ୍। ହେଲେ ମହାରଥୀଙ୍କ ଉପସ୍ଥିତିରେ ସ୍କ୍ୱାଡ୍ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ରବିନାରାୟଣ ପାତ୍ର ଆହତ ହୋଇଥିଲେ।

ଏନେଇ ସ୍କ୍ୱାଡ୍ ପକ୍ଷରୁ ପିପିଲି ଥାନାରେ ଏତଲା ଦିଆଯିବା ପରେ ସୋମବାର ଅପରାହ୍ଣରେ ମହାରଥୀଙ୍କୁ ଗିରଫ କରାଯାଇଥିଲା। ମହାରଥୀଙ୍କୁ କୋର୍ଟରେ ହାଜର କରିବା ପାଇଁ ନେଇଥିଲା ପୋଲିସ। ହେଲେ କୋର୍ଟ ନିଆଯିବା ବାଟରେ ସେ ବେହୋସ ହୋଇଯିବାରୁ ତାଙ୍କୁ ପିପିଲି ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଚିକିତ୍ସିତ ହେବା ପରେ ମହାରଥୀଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। ଜାମିନ ଆବେଦନ କରିଥିଲେ ମହାରଥୀ। ହେଲେ ଜାମିନ ଆବେଦନ ଉପରେ କୌଣସି ରାୟ ପ୍ରକାଶ କରି ନାହାନ୍ତି କୋର୍ଟ। ତେବେ ଆଜି ଶୁଣାଣିରେ କୋର୍ଟ କଣ ରାୟ ପ୍ରକାଶ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

LEAVE A REPLY

Please enter your comment!
Please enter your name here