ଓଡ଼ିଶାଲାଇଭ୍ ବ୍ୟୁରୋ

ତିନିଜଣ ବିଧାୟକଙ୍କ ଟିକେଟ କାଟିଲା ବିଜେଡି। ବୁଧବାର ଦିନ ବିଜେଡି ରାଜ୍ୟର ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିବା ପରେ ଏହା ସ୍ପଷ୍ଟ ହୋଇଛି।

ଟିକେଟ କଟିଥିବା ବିଧାୟକମାନଙ୍କ ମଧ୍ୟରେ ରହିଛନ୍ତି ସମୀର ରଞ୍ଜନ ଦାଶ, କିଶୋର ଚନ୍ଦ୍ର ନାୟକ ଓ ପୂର୍ଣ୍ଣଚନ୍ଦ୍ର ବାକା। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସମୀର ରଞ୍ଜନ ଦାଶଙ୍କ ଗଡ଼ କୁହାଯାଉଥିବା ନିମାପଡ଼ା ବିଧାନସଭା ଆସନ ଲାଗି ମିଳିଲାନି ଟିକେଟ। ସମୀର ରଞ୍ଜନ ଦାଶଙ୍କ ସ୍ଥାନରେ ଦିଲ୍ଲୀପ ନାୟକଙ୍କୁ ପ୍ରାର୍ଥୀ କରିଛି ଦଳ।

ସେହିପରି କୁଚିଣ୍ଡା ବିଧାନସଭା ଆସନ ଲାଗି କିଶୋର ନାୟକଙ୍କ ଟିକେଟ କଟିଥିବାବେଳେ ତାଙ୍କ ସ୍ଥାନରେ ରାଜେନ୍ଦ୍ର ଛତ୍ରିଆଙ୍କୁ ପ୍ରାର୍ଥୀ କରିଛି ବିଜେଡି। ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକାଙ୍କୁ ମଧ୍ୟ ନିରାଶ ହେବାକୁ ପଡ଼ିଛି। ତାଙ୍କ ସ୍ଥାନରେ ଲକ୍ଷ୍ମୀପ୍ରିୟା ନାୟଙ୍କୁ ବିଜେଡି ପ୍ରାର୍ଥୀ କରିଛି।

ବିଭିନ୍ନ କାରଣକୁ ନେଇ ବିବାଦ ଘେରରେ ରହିଥିବା ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପ୍ରାର୍ଥୀ କରିବ ନାହିଁ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ଏହାର ମଧ୍ୟରେ ଏପ୍ରିଲ ୧୪ ତାରିଖରେ ଗୋପ ବ୍ଲକ ବିଜେଡି କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। ନିମାପଡ଼ା ଆସନ ଲାଗି ସମୀର ରଞ୍ଜନ ଦାଶଙ୍କୁ ପ୍ରାର୍ଥୀ କରାନଗଲେ ଦଳ ଛାଡ଼ିବାକୁ ଚେତାବନୀ ଦେଇଥିଲେ ଦଳୀୟ ନେତୃତ୍ଵ ଏବଂ କର୍ମୀମାନେ। ସମୀର ରଞ୍ଜନ ଦାଶ ଟିକେଟ ପାଇବାରୁ ବଞ୍ଚିତ ହେଲେ ନବୀନ ନିବାସ ଯାଇ ଦଳର ସଭାପତିଙ୍କୁ ଭେଟିବାକୁ ନିଷ୍ପତ୍ତି ମଧ୍ୟ ହୋଇଥିଲା।

ଲଗାତର ନିମାପଡ଼ା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ସମୀର ରଞ୍ଜନ ଦାଶ। ଟିକେଟ କସରତ ଏବଂ ପ୍ରାର୍ଥୀ ଚୟନ କସରତ ମଧ୍ୟରେ ସମୀର ରଞ୍ଜନ ଦାଶ ସମାନ ଆସନ ଲାଗି ଟିକେଟ ଆଶାୟୀ ଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

Tags: #Politics #OdishaPolitics #OdishaAssemblyElection2024 #BJDCandidate #Odisha

Comment