ଓଡ଼ିଶାଲାଇଭ୍ ବ୍ୟୁରୋ

ସାଧାରଣତଃ ରୋଗ ପ୍ରତିରୋଧକ ଶକ୍ତିର ହ୍ରାସ ଘଟିଲେ ମଣିଷ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାଏ। ଯଦି ବି କୌଣସି ରୋଗ ହୁଏ ତାହା ସହଜରେ ଭଲ ହୋଇ ନ ଥାଏ। ଏଭଳି ସମସ୍ୟା ଦୂର କରିବାକୁ ହେଲେ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ। ଜାଣନ୍ତୁ କେଉଁ ଖାଦ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

ଋତୁ ଅନୁସାରେ ମିଳୁଥିବା ଫଳ ଓ ପନିପରିବାକୁ ଖାଦ୍ୟରେ ସାମିଲ କରନ୍ତୁ। ପ୍ରତିଦିନ ଗଜା ଜାତୀୟ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ନିୟମିତ ଭାବେ ଟମାଟୋ ଖାଆନ୍ତୁ। ଏଥିରେ ଥିବା ଲାଇକୋପିନ୍ ନାମକ ଆଣ୍ଟି ଅକ୍ସିଡାଣ୍ଟ ଆପଣଙ୍କର ମସ୍ତିଷ୍କକୁ ସୁସ୍ଥ ରଖିବା ସହ ଟମାଟୋରେ ଥିବା ଭିଟାମିନ୍ କେ, ଭିଟାମିନ୍ ସି ଏବଂ ଫାଇବର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇପାରିବ।

କମଳା, ଲେମ୍ବୁ, ଅଁଳା ଭଳି ଖଟା ଫଳରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ଥାଏ। ଏହା ବିଭିନ୍ନ ପ୍ରକାର ସଂକ୍ରମଣ ସହ ଲଢ଼ିବା ସହ ଶ୍ୱେତ ରକ୍ତକଣିକାର ନିର୍ମାଣରେ ସହାୟକ ହୋଇଥାଏ। ତେଣୁ ଏସବୁ ଖାଦ୍ୟକୁ ନିଶ୍ଚିତ ଭାବେ ଖାଦ୍ୟରେ ସାମିଲ କରନ୍ତୁ।

ପାଳଙ୍ଗରେ ଫ୍ଲୋରେଟ୍ ନାମକ ଏକ ତତ୍ୱ ଥାଏ ଯାହାକି ଶରୀରରେ ନୂଆ କୋଷିକା ନିର୍ମାଣରେ ସହାୟତା କରିଥାଏ। ଏଥିରେ ଥିବା ଫାଇବର, ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରେ।

ରସୁଣରେ ଏଲିସିନ୍ ନାମକ ଏକ ତତ୍ୱ ଥାଏ ଯାହା ଶରୀରକୁ ଯେକୌଣସି ପ୍ରକାରର ସଂକ୍ରମଣ ଓ ବ୍ୟାକ୍ଟେରିଆ ସହ ଲଢ଼ିବାର କ୍ଷମତା ଦେଇଥାଏ। ତେଣୁ ପ୍ରତିଦିନ ଖାଦ୍ୟରେ ରସୁଣକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ ପେଟରେ ଅଲସର ହେବା ଓ କ୍ୟାନସର ଭଳି ରୋଗର ଆଶଙ୍କା କମିଥାଏ।

କେବଳ ସେତିକି ନୁହେଁ, ପ୍ରତିଦିନ ୨ କୋଲା ରସୁଣକୁ ଖାଇବା ଦ୍ୱାରା ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇଥାଏ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଲାଗି ବାଦାମ ମଧ୍ୟ ଖୁବ୍ ଉପକାରୀ। ବାଦାମରେ ଥିବା ଭିଟାମିନ୍ ଇ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ପ୍ରାକୃତିକ ଭାବେ ରକ୍ତକୋଷିକାକୁ ବୃଦ୍ଧି କରିବାର ସାହାଯ୍ୟ କରିଥାଏ।

ଛତୁ ଶରୀରରେ ଶ୍ୱେତରକ୍ତ କଣିକାକୁ ସକ୍ରିୟ କରିବାରେ ସହାୟକ ହୋଇଥାଏ। ଏଥିରୁ ସେଲନିୟମ୍ ନାମକ ଏକ ପ୍ରକାର ମିନେରାଲ, ଆଣ୍ଟି ଅକ୍ସିଡାଣ୍ଟ ଗୁଣ, ଭିଟାମିନ୍ ବି, ନାଇସିନ୍ ଇତ୍ୟାଦି ମିଳିଥାଏ।

Comment