ନୀଳାମ୍ବର ରଥ

ସାମୁଦ୍ରିକ ଝଡ଼ ଫନି ଓଡ଼ିଶା ଉପକୂଳରେ ସଠିକ୍ କେଉଁ ଜାଗାରେ ଲ୍ୟାଣ୍ଡ୍ଫଲ୍ କରିବ ଏବଂ ଏହାର ବାସ୍ତବିକ କେତେ ପ୍ରଭାବ ରହିବ?

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସାଇକ୍ଲୋନ୍‌ରୁ ସିଭିୟର୍ ସାଇକ୍ଲୋନ୍ ଏବଂ ଭେରି ସିଭିୟର୍ ସାଇକ୍ଲୋନ୍ ପର୍ଯ୍ୟାୟ ଦେଇ ଏବେ ଫନି ଏକ୍ସଟ୍ରିମଲି ସିଭିୟର୍ ସାଇକ୍ଲୋନ୍ ସ୍ଥିତିରେ ପହଞ୍ଚିଛି। ମେ ୩ ତାରିଖ, ଶୁକ୍ରବାର ଅପରାହ୍ନରେ ଏହା ଓଡ଼ିଶା ଉପକୂଳରେ ସ୍ଥଳଭାଗ ଛୁଇଁବ। ଅର୍ଥାତ୍ ଏହି ଭୟଙ୍କର ସାମୁଦ୍ରିକ ଝଡ଼ ଆଉ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ମାଟିରେ ଅବତରଣ କରିବା ସହ ତା’ର ତାଣ୍ଡବ ଦେଖାଇବାକୁ ଯାଉଛି।

୧୯୯୯ ମହାବାତ୍ୟା ପରବର୍ତ୍ତୀ ଦୃଶ୍ୟ

୯୯ ମହାବାତ୍ୟା ଭଳି ହେବ କି?

ତେବେ ସାମୁଦ୍ରିକ ଝଡ଼ ଫନିର ବାସ୍ତବିକ କେତେ ପ୍ରଭାବ ରହିବ? ଏହି ପ୍ରଶ୍ନ ଆଜି ସମସ୍ତଙ୍କ ମନରେ। ବିଶେଷକରି ଯେଉଁମାନେ ୧୯୯୯ ମହାବାତ୍ୟା ପରବର୍ତ୍ତୀ ସ୍ଥିତି ଦେଖିଛନ୍ତି ସେମାନେ କୌଣସି କଥାକୁ ହାଲୁକା ଭାବରେ ନେବାକୁ ପ୍ରସ୍ତୁତ ନାହାନ୍ତି। ୯୯ ମହାବାତ୍ୟା ପରେ ଏ ଭିତରେ ରାଜ୍ୟର ଅନେକ ବାତ୍ୟା ଆସିଛି। ବିଶେଷକରି ଫାଇଲିନ୍, ହୁଡ୍‌ହୁଡ୍ ଏବଂ ତିତ୍‌ଲି କଥା ଲୋକେ ମନେ ରଖିଛନ୍ତି। ତେଣୁ ଫନି ୧୯୯୯ ମହାବାତ୍ୟା ପରି ହେବ ନା ଫାଇଲିନ୍ ହୁଡ୍‌ହୁଡ୍ ପରି ହେବ ତାକୁ ନେଇ ପାଣିପାଗ ବିଶେଷଜ୍ଞ, ଗଣମାଧ୍ୟମ ଏପରିକି ସାଧାରଣ ଲୋକଙ୍କ ମଧ୍ୟରେ ଚାଲିଛି ଜୋର୍‌ଦାର ଚର୍ଚ୍ଚା।

Titli turns into a severe cyclonic storm

ଭାରତୀୟ ପାଣିପାଗ ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ଫନିର ପ୍ରଭାବ ୧୯୯୯ ମହାବାତ୍ୟାଠାରୁ କମ୍ ରହିବ। ଏହା ଫାଇଲିନ୍‌ଠାରୁ ମଧ୍ୟ ଛୋଟ ବାତ୍ୟା ବୋଲି ବିଚାର କରାଯାଇପାରେ। ତେବେ ଫନି ତିତ୍‌ଲିଠାରୁ ବଡ଼ ରୂପ ନେଇପାରେ ବୋଲି ଆକଳନ କରାଯାଉଛି।

ଠିକ୍ କେଉଁ ସ୍ଥାନରେ ଲ୍ୟାଣ୍ଡ୍ଫଲ୍ କରିବ ଫନି

ସେହିପରି ଫନି ଓଡ଼ିଶା ଉପକୂଳର ଠିକ୍ କେଉଁ ଜାଗାରେ ଲ୍ୟାଣ୍ଡଫଲ୍ କରିବ ତାକୁ ନେଇ ମଧ୍ୟ ପାଣିପାଗ ବିଶେଷଜ୍ଞମାନେ ତୁହାକୁ ତୁହା ତର୍ଜମା କରୁଛନ୍ତି। ସାଧାରଣ ଭାବେ ଗୋପାଳପୁରରୁ ଚାନ୍ଦବାଲି ମଧ୍ୟରେ ଏହା କୌଣସି ସ୍ଥାନରେ ମାଟି ଛୁଇଁପାରେ ବୋଲି ଅନୁମାନ କରାଯାଉଛି। ଗତ ୨ ଦିନ ତଳେ ପାଣିପାଗ ବିଶେଷଜ୍ଞମାନେ କହୁଥିଲେ ଯେ ଏହି ବାତ୍ୟା ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳର ଉଦୟପୁର ନିକଟରେ ଲ୍ୟାଣ୍ଡ୍‌ଫଲ୍ କରିପାରେ। ପୁଣି ପରବର୍ତ୍ତୀ ସମୟରେ ଏହା ବଦଳି ପୁରୀର ବାଲୁଖଣ୍ଡ ଅଞ୍ଚଳର ନାଁ ଉଠିଥିଲା।

ଆଜିର ତାଜା ସ୍ଥିତି ଅନୁଯାୟୀ ଏବେ ସମସ୍ତଙ୍କ ନଜର ରହିଛି ପୁରୀ ଉପରେ। ପୁରୀ ପାଖାପାଖି କୌଣସି ସ୍ଥାନରେ ଫନି ଲ୍ୟାଣ୍ଡଫଲ୍ କରିପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି।

ଫନି ୧୯୯୯ ମହାବାତ୍ୟାଠାରୁ କମ୍ ହୋଇପାରେ କିନ୍ତୁ ତିତ୍‌ଲିଠାରୁ ବଡ଼! ଏହା ଯଦି ସତ ହୁଏ ତା’ହେଲେ ମଧ୍ୟ ଓଡ଼ିଶା ଉପକୂଳ ପ୍ରତି ବିପଦର ଆଶଙ୍କା କିଛି କମ୍ ନୁହେଁ। ଫନି ସ୍ଥଳଭାଗ ଛୁଇଁଲାବେଳକୁ ୧୭୦ ରୁ ୧୮୦ କିଲୋମିଟର ବେଗରେ ବାତ୍ୟା ପବନ ବହିପାରେ। ଏପରିକି ସ୍ଥଳବିଶେଷରେ ପବନର ବେଗ ୨୦୦ କିଲୋମିଟର ହୋଇପାରେ। ତା’ଛଡା କେତେକ ସ୍ଥାନରେ ୧.୫ ମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଜୁଆର ଆକଳନ କରାଯାଉଛି। ଏହି ହିସାବକୁ ଦେଖିଲେ ବାତ୍ୟା ଯେ କିଭଳି କ୍ଷୟକ୍ଷତି କରିପାରେ ଅନୁମାନ କରିହେବ।

ମନେପଡ଼ୁଛି ୯୯

୧୯୯୯ ମସିହା ଅକ୍ଟୋବର ମାସର ପ୍ରଳୟଙ୍କରୀ ବାତ୍ୟା। ଯେଉଁମାନେ ଅଙ୍ଗେ ନିଭାଇଛନ୍ତି ବା ବାତ୍ୟା ପରବର୍ତ୍ତୀ ସ୍ଥିତି ଦେଖିଛନ୍ତି ସେମାନେ ଜୀବନକାଳ ଭିତରେ ହୁଏତ ତାହା ଭୁଲିପାରିବେ ନାହିଁ। ସେତେବେଳେ ବାତ୍ୟାର ସବୁଠାରୁ ବଡ଼ ପ୍ରଭାବ ପଡ଼ିଥିଲା ଜଗତ୍‌ସିଂହପୁର ଜିଲ୍ଲା ଉପରେ। ପାରାଦୀପଠାରୁ ଜଗତ୍‌ସିଂହପୁରର ଏରସମା ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ସେତେବେଳେ ଆଜିପରି  ଗଣମାଧ୍ୟମର ଏଭଳି ଅତ୍ୟାଧୁନିକ ପ୍ରସାର ନଥିବାରୁ ଏବଂ ବାତ୍ୟା ପରବର୍ତ୍ତୀ ସମୟରେ ଭିତ୍ତିଭୂମି ସମ୍ପୂର୍ଣ୍ଣ ବିଧ୍ୱଂସ ହୋଇଯାଇଥିବାରୁ ଅନେକ କଥା ଲୋକଙ୍କ ଆଖିକୁ ଆସିପାରିନଥିଲା।

୯୯ ମହାବାତ୍ୟାରେ କେତେ ଜୀବନ ହାନି ହୋଇଥିଲା ତା’ର ସଠିକ ହିସାବ ହୋଇପାରିନାହିଁ। ସେହିପରି ଲୋକଙ୍କ ଘରଦ୍ୱାର ଓ ଜୀବନଜୀବିକା ଯେଉଁଭଳି ଭାବେ ପ୍ରଭାବିତ ହୋଇଥିଲା ତାହା ବର୍ଣ୍ଣନା କରିବା ସମ୍ଭବ ନୁହେଁ।

କେବଳ ଜଗତ୍‌ସିଂହପୁର ଜିଲ୍ଲା ନୁହେଁ ସେହି ବାତ୍ୟାରେ ପୁରୀ ଜିଲ୍ଲାର କାକଟପୁର, ଅସ୍ତରଙ୍ଗ, ଖୋର୍ଦ୍ଧା ଜିଲ୍ଲାର ଅନେକ ଅଞ୍ଚଳ ଏପରିକି କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ଅଞ୍ଚଳ ପ୍ରଭାବିତ ହୋଇଥିଲା।

ଅକ୍ଟୋବର ୨୯ ମହାବାତ୍ୟାର କିଛି ଦିନ ପୂର୍ବରୁ ଗଞ୍ଜାମ ଉପକୂଳରେ ଯେଉଁ ବାତ୍ୟା ଆସିଥିଲା ସେଥିରେ ମଧ୍ୟ ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, ଗଜପତି ଓ କନ୍ଧମାଳ ଜିଲ୍ଲା ଆଦି ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଥିଲା।

ସେହିପରି ଅକ୍ଟୋବର ୨୯ ବାତ୍ୟା ପରବର୍ତ୍ତୀ ବନ୍ୟା ପରିସ୍ଥିତି ଯୋଗୁଁ ରାଜ୍ୟର ବହୁ ଜିଲ୍ଲା ପ୍ରଭାବିତ ହୋଇଥିଲା। ତା’ ଭିତରେ  କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, କେନ୍ଦୁଝର, ଭଦ୍ରକ ଓ ବାଲେଶ୍ୱର ରହିଥିଲା।

ଆଜି ଫନିର ମୁକାବିଲା ବେଳେ ଓଡ଼ିଶା ପ୍ରଶାସନ ପାଖରେ ବାତ୍ୟା ବିପର୍ଯ୍ୟୟ ମୁକାବିଲାର ଏକ ଅନୁଭୂତି ରହିଛି। ଆଜି ଓଡ଼ିଶାରେ ଗଣମାଧ୍ୟମ ବାତ୍ୟା ସମ୍ପର୍କିତ ଖବରକୁ ଯେଭଳି ଭାବରେ ପ୍ରସାର କରୁଛନ୍ତି ଲୋକେ ବାତ୍ୟାର ପ୍ରଭାବକୁ ନଜର ଅନ୍ଦାଜ କରିପାରିବେ ନାହିଁ। ସେହିପରି ବିପର୍ଯ୍ୟୟ ପାଇଁ କେନ୍ଦ୍ରୀୟ ସହଯୋଗ, ପଡୋଶୀ ରାଜ୍ୟର ସହଯୋଗ ସହ ଯେଉଁ ଅତ୍ୟାଧୁନିକ ବ୍ୟବସ୍ଥା ଆଜି ମିଳିପାରୁଛି ତାହା ଆମମାନଙ୍କ ଭିତରେ ବାତ୍ୟା ମୁକାବିଲା ପାଇଁ ବଳ ଯୋଗାଇ ଦେଇଛି।

ଆମେ ଯେତେ ପ୍ରସ୍ତୁତ ରହିଥିଲେ ମଧ୍ୟ ବାତ୍ୟା ବିପର୍ଯ୍ୟୟର ସଠିକ୍ ପ୍ରଭାବ ସମ୍ପର୍କରେ ଆଗୁଆ କଳନା କରିବା କେବେ ବି ସମ୍ଭବ ନୁହେଁ ।  ତେଣୁ ବାତ୍ୟା ପରବର୍ତ୍ତୀ ରିଲିଫ୍, ରିକନଷ୍ଟ୍ରକସନ୍ ଏବଂ ରିହାବିଲିଟେସନ୍ ପରିଚାଳନା ବେଳେ ହିଁ ଆମ ପ୍ରଶାସନ, ମିଡିଆ, ସ୍ୱେଚ୍ଛାସେବୀ ସଙ୍ଗଠନ ତଥା ସମାଜର ଅନ୍ୟ ଅଂଶୀଦାରମାନଙ୍କର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ସଜାଗ ରହନ୍ତୁ, ସୁରକ୍ଷିତ ରହନ୍ତୁ

ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ବେଳେ ଆମର ପ୍ରାଥମିକତା ହେଉଛି ସଜାଗ ଓ ସୁରକ୍ଷିତ ରହିବା। ତେଣୁ ପାଣିପାଗ ବିଜ୍ଞାନ ବିଭାଗ, ପ୍ରଶାସନ ଏବଂ ମିଡ଼ିଆ  ବିଭିନ୍ନ ସମୟରେ ଯେଉଁ ସୂଚନା ଏବଂ ପରାମର୍ଶ ଦେଉଛନ୍ତି ତାହା ମାନି ଚଳିଲେ ଏହି ବିପର୍ଯ୍ୟୟ ପରିସ୍ଥିତିକୁ ଆମେ ଅତିକ୍ରମ କରିପାରିବା। ବିଶେଷକରି ବାତ୍ୟା ପରବର୍ତ୍ତୀ ପରିସ୍ଥିତିରେ  କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ଠିଆ ହେବା ଏବଂ ନିଜ କ୍ଷମତା ଓ ପରିସର ଅନୁଯାୟୀ ସହଯୋଗର ହାତ ବଢ଼ାଇବା ହେବ ଜଣେ ଭଲ ନାଗରିକର ପରିଚୟ।

ସଜାଗ ରହନ୍ତୁ, ସୁରକ୍ଷିତ ରହନ୍ତୁ।

Comment