ଓଡ଼ିଶାଲାଇଭ୍ ବ୍ୟୁରୋ

ମହାବାତ୍ୟାର ସ୍ମୃତି ମନେ ପକାଇଲେ ଚନ୍ଦ୍ରାଭାଗା ନୋଳିଆ ବସ୍ତିର ଲୋକେ।

‘‘୧୯୯୯ ମହାବାତ୍ୟାକୁ ଆମେ ଦେଖିଛୁ। ମହାବାତ୍ୟା ଆମ ଚାଳ ଛପର ଘର ଉଡ଼ାଇ ନେଇଥିଲା। କିଛି ଲୋକ ପାଖରେ ଥିବା ଆଇସକ୍ରିମ ଫାକ୍ଟ୍ରିରେ ରହିଥିଲେ। ହେଲେ ବାତ୍ୟାର ପ୍ରକୋପରେ ସେ ଫାକ୍ଟ୍ରି ବି ଭାଙ୍ଗି ଗଲା। ଶେଷରେ ଆମେ ଆଉ ଗୋଟେ ଜାଗାକୁ ଯାଇ ରହିଲୁ। ବାତ୍ୟା ଯିବା ପରେ ଭଙ୍ଗା ଘରକକୁ ତୋଳିଲୁ। ଏବେ କ’ଣ ହେବ ଆମେ ଜାଣିପାରୁନୁ।’’

ବାତ୍ୟା ଫନି ଆସିବା ପୂର୍ବରୁ ୧୯୯୯ ମହାବାତ୍ୟାର କରାଳ ରୂପକୁ ମନେ ପକାଇଛନ୍ତି ଚନ୍ଦ୍ରଭାଗାସ୍ଥିତ ନୋଳିଆ ବସ୍ତିର ଲୋକେ। ମହାବାତ୍ୟାକୁ ମୁକାବିଲା କରିଥିବା ଏଠାକାର ଲୋକେ ‘ଫନି’କୁ ମୁକାବିଲା କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ହେଲେ ମନରେ ଡର ରହିଛି। ଅଶାନ୍ତ ସମୁଦ୍ର କାଳେ ତାଙ୍କ ଜୀବନ ଜୀବୀକାକୁ ଛଡ଼ାଇ ନେବ ସେହି ଭୟ ଏବେ ଘାରିଛି ନୋଳିଆ ବସ୍ତିର ଲୋକଙ୍କୁ।

ବାତ୍ୟା ‘ଫନି’ ଶୁକ୍ରବାର ସକାଳ ୮ଟାରୁ ୧୦ ଟା ମଧ୍ୟରେ ପୁରୀ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫନି ଆସିବା ପୂର୍ବରୁ ଚନ୍ଦ୍ରଭାଗା ବେଳାଭୂମିରେ ସ୍ଥିତି ପରଖିଥିଲା ଓଡ଼ିଶାଲାଇଭ୍ ଟିମ୍। ଏହି ଅବସରରେ ସ୍ଥାନୀୟ ବାସିନ୍ଦା ୧୯୯୯ ମହାବାତ୍ୟାର ସ୍ମୃତିକୁ ମନେପକାଇଥିଲେ।

‘‘ସମୁଦ୍ର ହେଉଛି ଆମର ସବୁକିଛି। ସମୁଦ୍ର ପାଇଁ ଆମେ ଖୁସିରେ ଜୀବନ ବିତାଉଛୁ। ହେଲେ ୧୯୯୯ ମହାବାତ୍ୟାରେ ଅଶାନ୍ତ ସମୁଦ୍ର ଆମ ଡଙ୍ଗା ଭସାଇ ନେଲା। ଏବେ ଯେଉଁ ବାତ୍ୟା ଆସିଛି ପ୍ରଶାସନ ଆମକୁ ସମୁଦ୍ରକୁ ଯିବା ଲାଗି ବାରଣ କରିଛି। ଡଙ୍ଗା କୂଳରେ ରଖି ଦେଇଛୁ। ହେଲେ ସମୁଦ୍ରରେ ବଡ଼ ଜୁଆର ଆସୁଛି। ଯଦି ଆମ ଡଙ୍ଗା ଭାସିଯାଏ ଆମେ କ’ଣ କରିବୁ?’’ ଏମିତି କୋହଭରା କଣ୍ଠରେ କହିଛନ୍ତି ଚନ୍ଦ୍ରଭାଗାର କିଛି ମତ୍ସ୍ୟଜୀବୀ।

‘ଫନି’ ଧିରେଧିରେ ପୁରୀ ଆଡେ ମୁହାଁଉଛି। ଏହାକୁ ନେଇ ସମୁଦ୍ର କୂଳରେ ଥିବା ଲୋକଙ୍କ ମନରେ ଭୟ ବଢ଼ୁଛି। ଘର ଛାଡ଼ି ବାତ୍ୟା ଆଶ୍ରୟସ୍ଥଳକୁ ଯାଇଛନ୍ତି ସମୁଦ୍ର କୂଳରେ ରହୁଥିବା ଲୋକେ। ହେଲେ ସମୁଦ୍ର କାଳେ ତାଙ୍କ ଘରକୁ ନେଇଯିବ ସେହି ଚିନ୍ତାରେ ରହିଛନ୍ତି ଲୋକେ।

Comment