ଓଡ଼ିଶାଲାଇଭ୍ ବ୍ୟୁରୋ
‘ଫନି’କୁ ନେଇ ଲୋକଙ୍କ ମନରେ ଭୟ।
ଘଣ୍ଟାକୁ ୧୬ କିଲୋମିଟର ବେଗରେ ସାମୁଦ୍ରିକ ଝଡ଼ ‘ଫନି’ ପୁରୀ ଅଭିମୁଖେ ମାଡ଼ି ଆସୁଛି। ଏହାର ପ୍ରଭାବ ଗତ କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପଡ଼ି ସାରିଛି। ଫନି ପ୍ରଭାବରେ ପୁରୀ, ଗଞ୍ଜାମ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଗଜପତି ଆଦି ଜିଲ୍ଲାରେ ବର୍ଷା ଲାଗି ରହିଛି। ପବନର ବେଗ ମଧ୍ୟ ଧିରେ ଧିରେ ବଢୁଛି।
ତେବେ ଫନି ଯେତିକି ନିକଟତର ହେଉଛି ଲୋକଙ୍କ ମନରେ ଭୟ ସେତିକି ବଢୁଛି। ପୁରୀଠାରୁ ୧୧୦ କିଲୋମିଟର ଏବଂ ଗୋପାଳପୁରଠାରୁ ୬୫ କିଲୋମିଟର ଦୂରରେ ଫନି ରହିଛି। ଏହାର ପ୍ରଭାବରେ ପୁରୀରେ ୭୦ କିଲୋମିଟର ଏବଂ ଗୋପାଳପୁରରେ ୧୦୫ କିଲୋମିଟର ବେଗରେ ପବନ ବହୁଛି।
ପାଣିପାଗ ବିଭାଗର ସୂଚନା ଅନୁସାରେ ଫନି ସାଢ଼େ ୮ଟା ରେ ପୁରୀ ଆଖପାଖ ଲ୍ୟାଣ୍ଡଫଲ୍ କରିବ। ଲ୍ୟାଣ୍ଡଫଲ୍ କରିବା ବେଳେ ସ୍ଥିତି କ’ଣ ରହିବ ତାକୁ ନେଇ ଲୋକେ ଭୟଭୀତ ହୋଇ ଯାଇଛନ୍ତି।
ଏପଟେ ବିଶେଷକରି ପୁରୀ ବେଳଭୂମିରେ ମଝିରେ ମଝିରେ ଧୂଳିଝଡ଼ ପରିସ୍ଥିତିକୁ ଆହୁରି ସଙ୍ଗୀନ କରି ଦେଉଛି। ଘୁ ଘୁ ଗର୍ଜନ କରି ସମୁଦ୍ର ମାଡ଼ି ଆସୁଥିବା ବେଳେ ଉଚ୍ଚ ଜୁଆର ମଧ୍ୟ ସୃଷ୍ଟି ହେଉଛି। ତଳିଆ ଅଞ୍ଚଳରେ ଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ହେଲେ ସେମାନଙ୍କ ମନରୁ ଭୟ ଦୂର ହେଉନି।
‘ଫନି’ ଲ୍ୟାଣ୍ଡଫଲ କରିବା ବେଳେ ପବନର ବେଗ ଘଣ୍ଟାକୁ ୧୭୦ରୁ ୧୮୦ କିଲୋମିଟର ରହିବ। ସ୍ଥଳ ବିଶେଷରେ ଏହା ବଢ଼ି ୨୦୦ ଟପିପାରେ। ଫନି ଯେତିକି ନିକଟତର ହେବ ପବନର ବେଗ ଏବଂ ବର୍ଷାର ପରିମାଣ ସେତିକି ବୃଦ୍ଧି ପାଇବ ବୋଲି ପାଣିପାଗ କେନ୍ଦ୍ରରୁ ଜଣାପଡ଼ିଛି।
ବର୍ତ୍ତମାନ ସୁଦ୍ଧା ଗୋପାଳପୁରରେ ସର୍ବାଧିକ ୧୪୯ ମିଲିମିଟର ବର୍ଷା, ଭୁବନେଶ୍ୱରରେ ୪୫ ମିଲିମିଟର ବର୍ଷା, ବାଲେଶ୍ୱରରେ ୩୦ ମିଲିମିଟର, ପାରାଦୀପରେ ୨୫ ମିଲିମିଟର, ଚାନ୍ଦବାଲିରେ ୩୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଫନି ସ୍ଥଳଭାଗ ଛୁଇଁବା ପରେ ପବନ ଏବଂ ବର୍ଷା ବଢ଼ିବାର ସମ୍ଭାବନା ରହିଛି।








‘ଫନି’କୁ ନେଇ ଲୋକଙ୍କ ମନରେ ଭୟ। 









