ଓଡ଼ିଶାଲାଇଭ୍ ବ୍ୟୁରୋ

ବାତ୍ୟା ଫନି ଯୋଗୁଁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଯେତେ ପରିମାଣରେ ଗଛ ନଷ୍ଟ ହୋଇଛି ତାହାକୁ ହଟାଇବା ଭୁବନେଶ୍ୱର ମହାନଗର ନିଗମ ପାଇଁ ଏହି କ୍ଷଣି ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ସମଗ୍ର ସହରରେ ଟନଟନ ଗଛ ଓ ଡାଳ ପତ୍ରକୁ ଉଠାଇବା ପାଇଁ ବିଏମସି ଉଦ୍ୟମ କରୁଥିଲେ ମଧ୍ୟ ଅନେକ ଅଞ୍ଚଳରେ ବିଏମସି ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ।

ଲୋକ ନାହାନ୍ତି

ବିଏମସି ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ମାନବ ସମ୍ବଳର ଅଭାବ। ଲେଉଟି ପଡ଼ିଥିବା ଗଛ ସଂଖ୍ୟା ଏତେ ବେଶୀ ଯେ ଏହା ବିଏମସିର କ୍ଷମତା ବାହାରେ। ମେ’ ୩ ତାରିଖରେ ବାତ୍ୟା ଭୁବନେଶ୍ୱରକୁ ମାଡ଼ କରିବା ପରେ ମୁଖ୍ୟ ରାସ୍ତାରେ,ସରକାରୀ ଅଫିସ ପରିସରରେ, ବିଭିନ୍ନ କଲୋନିରେ, ଶିକ୍ଷାନୁଷ୍ଠାନ ପରିସରରେ ହଜାର ହଜାର ଟନ ଗଛ, ଡାଳ ଓ ପତ୍ର ଜମା ହୋଇ ରହିଛି। ଫନି ଯୋଗୁଁ ରାଜଧାନୀର ପ୍ରାୟ ୨୦ ଲକ୍ଷ ବଡ଼ ବଡ଼ ଓ ବହୁ ପୁରୁଣା ଗଛ ଉପୁଡ଼ି ପଡିଥିବା ଆକଳନ କରାଯାଇଛି।

ଡବଲ ବୋଝ

ବାତ୍ୟା ପୂର୍ବରୁ ବି ଭୁବନେଶ୍ୱର ସହରରେ ଦୈନନ୍ଦିନ ଜମା ହେଉଥିବା ଆବର୍ଜନା ସଫା କରିବା ବିଏମସି ପାଇଁ ସମ୍ଭବ ହେଉ ନଥିଲା। ରାଜଧାନୀ ଅଞ୍ଚଳରେ ପ୍ରତି ଦିନ ପ୍ରାୟ ୫୫୦ ଟନ ଆବର୍ଜନା ବାହାରିଥାଏ। ଏହା ସାଙ୍ଗକୁ ଏବେ ବାତ୍ୟାର ଗଛ ଉଠାଇବା ବିଏମସି ପାଇଁ ଡବଲ ବୋଝ ହୋଇଛି।

ବିଏମସି ପକ୍ଷରୁ ଏଥିପାଇଁ ଘରୋଇ ସଂସ୍ଥାକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି ସତ ହେଲେ ଏହି ସଂସ୍ଥା ଯଥା ପିଏମ୍‌ଆର, ଜାଗୃତି ଓ ଲାୟନ କାମରେ ପାରୁ ନାହାଁନ୍ତି। ଅବଶ୍ୟ ଏନଡ଼ିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ଭଳି ସଂସ୍ଥା ହିଁ ମୁଖ୍ୟତଃ ଆବର୍ଜନା ହଟାଇବା ପାଇଁ ଉଦ୍ୟମ କରୁଛନ୍ତି, ତଥାପି ଏହା ବିଏମସିର ଏକ ବଡ଼ ଦାୟୀତ୍ୱ ହୋଇଛି।

କର୍ମଚାରୀ ବଢାଅ

ବାତ୍ୟା ପରଠାରୁ ଦୈନନ୍ଦିନ ଟ୍ରକ ଟ୍ରକ ଅଳିଆ ଆବର୍ଜନା ପ୍ରଥମେ ଅସ୍ଥାୟୀ ପଏଣ୍ଟରେ ଜମା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏଠାରୁ ସେହି ଆବର୍ଜନା ଭୁଆଶୁଣି ମନ୍ଦିର ନିକଟରେ ପକାଯାଉଛି। ଭୁବନେଶ୍ୱର ସହର ପାଇଁ ସ୍ଥିରୀକୃତ ଏହି ମନ୍ଦିର ନିକଟସ୍ଥ ସ୍ଥାନରେ ଆବର୍ଜନା ପକାଯାଉଛି। ଏହି କାମକୁ ତ୍ୱରାନ୍ୱିତ କରିବା ପାଇଁ ଘରୋଇ ସଂସ୍ଥାକୁ ସେମାନଙ୍କ କର୍ମଚାରୀ ସଂଖ୍ୟା ବୃଦ୍ଧି କରିବା ପାଇଁ କୁହାଯାଇଛି।

ଗାଡ଼ି ଅଭାବ

ବିଏମସି ନିଜ ପକ୍ଷରୁ ବାତ୍ୟା ଅଳିଆ ଆବର୍ଜନା ନିଷ୍କାସନ ପାଇଁ ଦଶଟି ୱାର୍ଡ଼ରେ ୪୪୫ ସଫେଇ କର୍ମଚାରୀଙ୍କୁ କାମରେ ଲଗାଇଥିବା ବେଳେ ଘରୋଇ ସଂସ୍ଥା ବାକି ୫୭ ୱାର୍ଡ଼ରେ ୨୩୦୦ କର୍ମଚାରୀଙ୍କୁ କାମରେ ଲଗାଇଛନ୍ତି। ଏଥିପାଇଁ ୫୧୬ଟି ଗାଡ଼ି କାମରେ ଲାଗିଛନ୍ତି। ବିଏମସି ଇଞ୍ଜିନିୟରିଂ ବିଭାଗର ୨୫ଟି ହାଇବା, ୧୬ଟି ଜେସିବି ଓ ୩୦ଟି ଟ୍ରାକ୍ଟରକୁ କାମରେ ଲଗା ଯାଇଛି ବିଶେଷ କରି ସେଇ ୧୦ଟି ୱାର୍ଡ଼ରେ ଯେଉଁଠି ସର୍ବାଧିକ ସବୁଜିମା ନଷ୍ଟ ହୋଇଛି।

Comment