ଓଡ଼ିଶାଲାଇଭ୍ ବ୍ୟୁରୋ
(ସମ୍ବଲପୁରରୁ ଗୀତାଞ୍ଜଳି ମହାପାତ୍ର): ସମ୍ବଲପୁର ଏକ ଐତିହ୍ୟ ସଂପନ୍ନ ସହର। ସମ୍ବଲପୁରଜିଲ୍ଲାରେ କାହିଁ କେଉଁକାଳରୁ ଶୀତଳଷଷ୍ଠୀ ଯାତ୍ରା ପାଳନ କରାଯାଉଛି। ପ୍ରଥମେ ଏଠାରେ ଶାସନ କରୁଥିବା ରାଜାମାନେ ପୁରୀରୁ ୨୦ପରିବାର ବ୍ରାହ୍ମଣଙ୍କୁ ଆଣି ସମ୍ବଲପୁର ନନ୍ଦପଡ଼ା ଓ ଝାଡ଼ୁଆ ପଡ଼ାରେ ବସତି ସ୍ଥାପନ କରି ରଖିଥିଲେ। ଏହାପରେ ରାଜାଙ୍କ ଦ୍ୱାରା ପ୍ରତିଷ୍ଠା ବାଲିବନ୍ଧା ଶିବ ମନ୍ଦିରରେ ପ୍ରଥମେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଥିଲା। ପରେ ପରେ ଏହା ସମଗ୍ର ପଶ୍ଚିମ ଓଡ଼ିଶାରେ ଏକ ଧାର୍ମିକପର୍ବ ଭାବରେ ଗ୍ରହଣ କରାଯାଇଅଛି।
ବର୍ତ୍ତମାନ ସମ୍ବଲପୁର ସହରରେ ୧୬ଟି ସ୍ଥାନରେ ଶୀତଳଷଷ୍ଠୀ ଯାତ୍ରା ଆୟୋଜନ କରାଯାଉଥିବା ବେଳେ ମୁଖ୍ୟତଃ ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୋଦିପଡ଼ା ଓ ବଡ଼ବଜାର ଶୀତଳଷଷ୍ଠୀ ଯାତ୍ରା କମିଟି ଦ୍ୱାରା ଏହି ଯାତ୍ରାକୁ ଧୂମ୍ଧାମ୍ରେ ପାଳନ କରାଯାଉଛି। ନନ୍ଦପଡ଼ାର ବମ୍ବରାଡ଼ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ାର ଲୋକନାଥ ବାବା, ମୋଦିପଡ଼ାର ଜାଗେଶ୍ୱର ବାବା ଓ ବଡ଼ବଜାରର ଶୀତଳେଶ୍ୱର ବାବାଙ୍କ ଶୀତଳଷଷ୍ଠୀ ଯାତ୍ରା ବହୁ ଆଡ଼ମ୍ବରରେ ପାଳନ କରାଯାଇଥାଏ।
ଶୀତଳଷଷ୍ଠୀ ଯାତ୍ରାର ଆଦ୍ୟପର୍ବ ଅକ୍ଷୟତୃତିୟାରୁ ଆରମ୍ଭ ହୁଏ। ଏହି ଦିନ ଦେବଦେବ ମହାଦେବଙ୍କ ଜଳାଭିଷେକ କରାଯିବା ପରେ ପୂଜାର୍ଚ୍ଚନା କରାଯାଇଥାଏ। ପରେ ମାତା ପାର୍ବତୀଙ୍କ କନ୍ୟାପିତା ମାତା ଚୟନ କରାଯାଇଥାଏ। ସେହିପରି ଏହିଦିନ ସମସ୍ତ ଯାତ୍ରା କମିଟି ନିଜ ନିଜ ଚାନ୍ଦା ଖାତା ମଧ୍ୟ ଆରମ୍ଭ କରିଥାନ୍ତି।
ଅକ୍ଷୟ ତୃତୀୟାଠାରୁ ଠିକ୍ ଏକମାସ ପରେ ଦେବଦମ୍ପତ୍ତିଙ୍କ ବାହାଘର ସଂପୂର୍ଣ୍ଣ ଲୋକାଚାର ନିତୀରେ କରାଯାଇଥାଏ। କନ୍ୟାପିତା ମାତା ସେମାନଙ୍କ ଚୟନ ପରଦିନଠାରୁ, ଗୋଟିଏ ଝିଅ ବାହାଘର ପାଇଁ ଯାହା ଯାହା ସାମଗ୍ରୀ ଆବଶ୍ୟକ ତାହା ଯୋଗାଡ଼ କରିଥାନ୍ତି। ସୁନାରୂପା, ଖଟପଲଙ୍କ, ଦୈନଦିନ ଚଳଣି ସାମଗ୍ରୀ, ସୁନାମୁକୁଟ, ତ୍ରିଶୂଳ, ଡମ୍ବୁରୁଠାରୁ ଆରମ୍ଭ କରି ସମସ୍ତ ଜାନିଯୌତୁକ ସାମଗ୍ରୀ ଯୋଗାଡ଼ କରିଥାନ୍ତି। ବାହାଘରରେ ଯେମିତି ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରି ଡକାଯାଏ, ଠିକ୍ ସେହିପରି ନିମନ୍ତ୍ରଣ କରି, ଡାକିବା ପରେ ଆରମ୍ଭ ହୁଏ ବିବାହ କାର୍ଯ୍ୟ।
ଚଳିତବର୍ଷ ଜୁନ୍ ୭ତାରିଖରେ ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବିବାହର ଠିକ୍ ଦୁଇଦିନ ପୁର୍ବରୁ ପତର୍ପେଣ୍ଡି ବା ଦେବ ନିର୍ବନ୍ଧ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ। ଏହାପର ଦିନ ଗୁଆଗୁଣ୍ଡା, ନୃସିଂହ ନିଉତା, ହନୁମାନ ନିଉତା, ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ପ୍ରତ୍ୟକ ପୂଜା କମିଟି ପ୍ରାୟ ସେହି ଏକା ଦିନ ପତର୍ପେଣ୍ଡି ଓ ଗୁଆଗୁଣ୍ଡା କାର୍ଯ୍ୟ ସଂପନ୍ନ କରିଥାନ୍ତି। ଏହାପରେ ଦେବ ବିବାହ କାର୍ଯ୍ୟ ଆରମ୍ଭ ହୁଏ। ନର, କିନ୍ନର, ଦେବ, ଗନ୍ଧର୍ବ, ପଶୁପକ୍ଷୀ, କୀଟପତଙ୍ଗ, ଭୁତ ପିଶାଚଙ୍କୁ ସାଙ୍ଗରେ ଧରି ବର ବରଯାତ୍ରାଙ୍କ ସହ କନ୍ୟାଘରକୁ ଯାଇଥାନ୍ତି। ଏଠାରେ ବର ସ୍ୱୟଂ ଦେବଦେବ ମହାଦେବଙ୍କ ଚଳତି ପ୍ରତିମା ଓ କନ୍ୟା ଜଗତ୍ଜନନୀ ମାତା ପାର୍ବତୀଙ୍କ ଚଳନ୍ତି ପ୍ରତିମାଙ୍କୁ ବରକନ୍ୟା ବେଶରେ ସଜ୍ଜିତ କରାଯାଇ ସଂପୂର୍ଣ୍ଣ ଲୋକାଚାର ନିତୀରେ ବାହାଘର କରାଯାଇଥାଏ। ଯେମିତି ଅନ୍ୟସ୍ଥାନ, ମାଟିପକା, ଗାଲସେକା, ଶଳାବିଧା, ଗଇଁଠାଳ ଫିଟା, ପ୍ରୀତି ଭୋଜନ ସବୁର ଆୟୋଜନ କରାଯାଇଥାଏ।
ବାହାଘର ମଧ୍ୟ ରାତ୍ରରେ, ଦେବଦମ୍ପତ୍ତି ସର୍ବସାଧାରଣଙ୍କୁ ଦର୍ଶନ ଦେବା ପାଇଁ ସୁସଜ୍ଜିତ ପରଭାରେ ବସି, ଯୁଗଳମୂର୍ତ୍ତୀ ନଗର ପରିକ୍ରମା କରିଥାନ୍ତି। ଏହା ମଧ୍ୟ ରାତ୍ରରୁ ଆରମ୍ଭ ହୋଇ ତା’ ପରଦିନ ସଂନ୍ଧ୍ୟା ପର୍ଯ୍ୟନ୍ତ ଚାଲିଥାଏ। ଏହି ଯୁଗଳମୂର୍ତ୍ତୀ ଦର୍ଶନ କରିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ଼ ସମ୍ବଲପୁର ସହରରେ ଦେଖିବାକୁ ମିଳିଥାଏ।
କୁହାଯାଏ ଯେ, ଦେବଦମ୍ପତ୍ତିଙ୍କ ଯୁଗଳମୂର୍ତ୍ତୀ ସମ୍ମୁଖରେ ନୃତ୍ୟ ପରିବେଷଣ କଲେ କିନ୍ନର ଜନ୍ମରୁ ମୁକ୍ତି ମିଳିଥାଏ। ତେଣୁ ଏହି ଦେବ ବିବାହର ଢେର୍ ସମୟ ପୁର୍ବରୁ କିନ୍ନରମାନେ ସମ୍ବଲପୁର ସହରକୁ ଆସିଥାନ୍ତି। ଏମାନଙ୍କ ସଂଖ୍ୟା ପ୍ରତିବର୍ଷ ବଢ଼ିବାରେ ଲାଗିଛି। ଶହଶହ ସଂଖ୍ୟାରେ କିନ୍ନର ରାଜ୍ୟ ତଥା ରାଜ୍ୟ ବାହାରୁ କେବଳ ଏହି ଦେବ ବିବାହରେ ଯୋଗଦେବାକୁ ଆସିଥାନ୍ତି।
ଜୁନ୍ ୫ତାରିଖରୁ ପତର୍ପେଣ୍ଡି କାର୍ଯ୍ୟକ୍ରମ ଆରମ୍ଭ ହେବା ସହ ୬ତାରିଖରେ ଗୁଆଗୁଣ୍ଡା ଓ ୭ ତାରିଖରେ ଦେବ ବିବାହ କାର୍ଯ୍ୟକ୍ରମ ରହିଛି।