ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବା ନେଇ ଆଜି ରାଜ୍ୟ ସଚିବାଳୟରେ ଉଚ୍ଚ ସ୍ତରୀୟ ବୈଠକ ବସିଛି। ଏହି ବୈଠକରେ ଆୟୁଷ୍ମାନ ଭାରତର ସିଇଓ ଇନ୍ଦୁ ଭୂଷଣଙ୍କ ସହିତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ଆଲୋଚନା କରିଥିଲେ। ତେବେ ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେବ କି ନାହିଁ ସେନେଇ କୌଣସି ସ୍ପଷ୍ଟ ନିଷ୍ପତ୍ତି ନିଆଯାଇନାହିଁ ବୋଲି ବୈଠକ ପରେ ଆଦିତ୍ୟ ପାଢ଼ୀ କହିଛନ୍ତି।

“ଆଜି ବୈଠକରେ ଆୟୁଷ୍ମାନ ଯୋଜନାକୁ ନେଇ ପ୍ରାଥମିକ ସ୍ତରରେ ଆଲୋଚନା ହୋଇଛି। ଏନେଇ ରାଜ୍ୟ ସରକାରଙ୍କ କିଛି ସର୍ତ୍ତ ରହିଛି। ଏ ବିଷୟରେ ଆୟୁଷ୍ମାନ ଭାରତ ସିଇଓଙ୍କୁ ଜଣାଇ ଦିଆଯାଇଛି। ଏହି ଯୋଜନା ପାଇଁ ଆହୁରି ୨ ରୁ ୩ ରାଉଣ୍ଡ ଆଲୋଚନା କରାଯିବ” ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ କହିଛନ୍ତି।

ଅନ୍ୟପକ୍ଷରେ ଆୟୁଷ୍ମାନ ଭାରତର ସିଇଓ ଇନ୍ଦୁ ଭୂଷଣ ଓଡ଼ିଶାରେ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆଶାବାଦୀ ଅଛନ୍ତି। ଆୟୁଷ୍ମାନ ଯୋଜନାକୁ ଓଡ଼ିଶାରେ ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ କିଛି ସର୍ତ୍ତ ରହିଛି। ଏ ଦିଗରେ ଆଲୋଚନା ଚାଲିଥିବା ଆୟୁଷ୍ମାନ ଭାରତର ସିଇଓ ଇନ୍ଦୁ ଭୂଷଣ କହିଛନ୍ତି।

ସାରା ରାଜ୍ୟରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରିବା ପାଇଁ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ତେବେ ଦେଶର ୨୫ଟି ରାଜ୍ୟ ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ଓଡ଼ିଶା ସମେତ ୫ଟି ରାଜ୍ୟ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ। ବର୍ତ୍ତମାନ ଡ. ହର୍ଷବର୍ଦ୍ଧନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ ଓଡ଼ିଶାରେ ଆୟୁଷ୍ମାନ ଯୋଜନାକୁ ଲାଗୁ କରିବା ପାଇଁ କସରତ ଚାଲିଛି।

Comment