ଓଡ଼ିଶାଲାଇଭ୍ ବ୍ୟୁରୋ

ଘରର ଦାୟିତ୍ୱ ଯୋଗୁଁ ବ୍ୟସ୍ତ ରହି ଅଧିକାଂଶ ସମୟରେ ମହିଳାମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଭୁଲି ଯାଇଥାନ୍ତି। ଏହାଯୋଗୁଁ ୪୦ ବର୍ଷ ହେବା ବେଳକୁ ମହିଳାମାନଙ୍କୁ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟା ଭୋଗିବାକୁ ପଡ଼ିଥାଏ। ତେବେ ୪୦ ବର୍ଷ ପରେ ମହିଳାମାନେ ଫିଟ୍ ରହିବା ପାଇଁ ନିୟମିତ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରିବା ଜରୁରୀ ହୋଇଥାଏ।

ମାମୋଗ୍ରାମ: ଭାରତରେ ମହିଳାମାନଙ୍କୁ ଅଧିକ ସଂଖ୍ୟାରେ ସ୍ତନକର୍କଟ ରୋଗ ହୋଇଥାଏ। ତେଣୁ ସମୟ ଥାଉଥାଉ ସେ ବିଷୟରେ ପରୀକ୍ଷା କରାଇନେବା ଭଲ। ୪୦ ବର୍ଷ ହେବା ପରେ ନିୟମିତ ଭାବେ ଡାକ୍ତରଙ୍କ ପାଖରେ ମାମୋଗ୍ରାମ କରାଇ ନିଅନ୍ତୁ।

ଅଲଟ୍ରାସାଉଣ୍ଡ: ମହିଳାମାନଙ୍କୁ ମେନୋପଜ୍ ହେବା ପରେ ଓଭାରିଆନ୍ କ୍ୟାନସର ହେବାର ଆଶଙ୍କା ବଢ଼ିଯାଏ। ଡିଏନ୍ଏ କୋଷିକାଗୁଡ଼ିକରେ ପରିବର୍ତ୍ତନ ଯୋଗୁଁ ଏପରି ହେବାର ଆଶଙ୍କା ଥାଏ। ଏପରିସ୍ଥଳେ ମେନୋପଜ୍ ପରେ ନିୟମିତ ଭାବେ ଅଲଟ୍ରାସାଉଣ୍ଡ କରନ୍ତୁ।

ବୋନ୍ ମିନେରାଲ ଡେନସିଟି ଟେଷ୍ଟ: ୪୦ ବର୍ଷ ପରେ ମହିଳାମାନଙ୍କୁ ହାଡ଼ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବୃଦ୍ଧି ପାଏ। ଏଷ୍ଟ୍ରୋଜେନ୍ ହରମୋନ୍ କମିଯିବା ଯୋଗୁଁ ଏହା ହୋଇଥାଏ। ତେଣୁ ବୋନ୍ ମିନେରାଲ ଡେନସିଟି ଟେଷ୍ଟ କରାଇନେବା ଭଲ।

ଥାଇରଏଡ୍: ମହିଳାମାନଙ୍କୁ ଅଧିକାଂଶ ସମୟରେ ଥାଇରଏଡ୍ ସମସ୍ୟା ହୋଇଥାଏ। ଏହାଯୋଗୁଁ ଓଜନ ବୃଦ୍ଧି ହେବା ବା କମିବାର ଆଶଙ୍କା ରହେ। ଏହି ସମସ୍ୟା ହେଲେ କେଶ ଝଡ଼ିବା, ନଖ ଉପୁଡ଼ିବା ପ୍ରଭୃତି ସ୍ଥିତି ହୋଇଥାଏ। ତେଣୁ ପ୍ରତି ୮-୯ ମାସ ମଧ୍ୟରେ ଥାଇରଏଡ୍ ପରୀକ୍ଷା କରାଇ ନିଅନ୍ତୁ।

ଡାଇବେଟିସ୍, ମୋଟାପଣ: ଅସନ୍ତୁଳିତ ଖାଦ୍ୟ ଖାଇବା ଫଳରେ ମହିଳାମାନଙ୍କୁ ୪୦ ବର୍ଷ ପରେ ମଧୁମେହ, ମୋଟାପଣ ହେବାର ଆଶଙ୍କା ବୃଦ୍ଧି ହୋଇଯାଏ। ତେଣୁ ଡାକ୍ତରଙ୍କ ସହ ପରାମର୍ଶ କରି ଏହି ପରୀକ୍ଷା କରାଇ ନିଅନ୍ତୁ।

ଲିପିଡ୍ ପ୍ରୋଫାଇଲ୍ ଟେଷ୍ଟ: ବୟସ ବୃଦ୍ଧି ବେହା ସହିତ ଶରୀରରେ ଧୀରେ ଧୀରେ କୋଲେଷ୍ଟେରୋଲ୍ର ପରିମାଣ ଅଧିକ ହୋଇଥାଏ। କୋଲେଷ୍ଟେରୋଳ୍ ବଢ଼ିଗଲେ ତାହା ରକ୍ତରେ ଜମା ହୋଇଥାଏ। ତେଣୁ ହୃଦରୋଗର ଆଶଙ୍କା ବଢ଼ିଯାଏ। ଏପରିସ୍ଥଳେ ଲିପିଡ୍ ପ୍ରୋଫାଇଲ୍ ଟେଷ୍ଟ କରିନେବା ଜରୁରୀ।

Comment