ଓଡ଼ିଶାଲାଇଭ୍ ବ୍ୟୁରୋ

ଚା’ ବା କଫି ପିଇବା ଏକ ପ୍ରକାର ନିଶା କହିଲେ ଭୁଲ ହେବ ନାହିଁ । ପ୍ରତିଦିନ ଚା’, କଫି ପିଇବାରେ ଅଭ୍ୟାସ ହୋଇଗଲେ ଏଥୁରୁ ମୁକୁଳିବା ସହଜ ହୁଏ ନାହିଁ । ବହୁ ଲୋକଙ୍କର ବେଡ୍‌ ଟି ଅଭ୍ୟାସ ଥାଏ । ବେଡ ଟି ନ ପିଇଲେ କୋଣସି କାମ କରିବାରେ ମନ ଲାଗେନି ଓ ଚିଡ୍ ଚିଡ୍ ଲାଗିଥାଏ । କିଛି ଲୋକଙ୍କର ମୁଣ୍ଡ ଓଜନିଆ ଲାଗେ ଓ ମୁଣ୍ଡ ବିନ୍ଧିଥାଏ । ବହୁ ସମୟରେ ଲୋକେ ଚିନ୍ତାଗ୍ରସ୍ତ ଥିଲା ବେଳେ ବି ଚା’ ପିଇ ଏଥିରୁ ମୁକ୍ତି ପାଆନ୍ତି ବୋଲି ଭାବନ୍ତି । ସତରେ କଣ ଚା’ କଫି ଆମମାନଙ୍କୁ ସତେଜ କରାଏ, ଆମ ଚିନ୍ତା ଦୂର କରେ । ନା ଏହା ଏକ ବଦଭ୍ୟାସ। ଅଧିକ ଥର ଏଗୁଡ଼ିକୁ ସେବନ କଲେ ଆମେ ଗ୍ୟାସ  କିମ୍ବା ଅନ୍ୟାନ୍ୟ ସମସ୍ୟା ଭୋଗିଥାଉ । ବେଳେ ବେଳେ ଏହାକୁ ଛାଡ଼ିବା ପାଇଁ ଚାହିଁଲେ ମଧ୍ୟ ଛାଡ଼ି ପାରି ନ ଥାଉ । କିନ୍ତୁ ଏପରି କିଛି କାମ କଲେ ଆପଣ ନିଜକୁ ଚା କଫି ଠାରୁ ଦୂରେଇ ରଖି ପାରିବେ ।

-ପ୍ରତିଦିନ ପ୍ରାତଃ ଭ୍ରମଣ ଓ ସାନ୍ଧ୍ୟଭ୍ରମଣ କରନ୍ତୁ । ଫଳରେ ମନ ଓ ଶରୀର ଶାନ୍ତ ରହିବ।

-ପ୍ରତିଦିନ ପ୍ରାଣାୟମ କରନ୍ତୁ। ଯଦି କରି ନ ପାରୁଛନ୍ତି ପାଞ୍ଚ ମିନିଟ୍ ପାଇଁ ମନଖୋଲା ହସ ହସନ୍ତୁ।

– ଯଦି ଚା’ ପିଇବା ସମୟ ହେଲେ ନିହାତି ଚା’ ପିଇବାକୁ ଇଛା ହେଉଛି ତେବେ ଉଷୁମ ପାଣିରେ ତୁଳସୀ ପତ୍ର ପକାଇ ପିଅନ୍ତୁ । ମୁଣ୍ଡ ବିନ୍ଧା ସହ ଅବସାଦ ମଧ୍ୟ ଦୂର ହୋଇପାରିବ ।

– ଚା’ ବା କଫି ପିଇବା ବନ୍ଦ କରିଦେଉଥିଲେ ପାଣି ପିଇବା ଅଭ୍ୟାସରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି । ଶରୀର ଓଜନର ପ୍ରତି ୨୦ କିଗ୍ରା ହିସାବରେ ଏକ ଲିଟର ପାଣି ପିଅନ୍ତୁ । ଧୀରେ ଧୀରେ ଏହି ଅଭ୍ୟାସ ଜାରି ରଖିଲେ ଆଉ ଚା’ କିମ୍ବା କଫି ପିଇବାକୁ ଇଛା ହେବ ନାହିଁ।

-ସାଧାରଣତଃ ଗୃହିଣୀମାନେ ତଥା ଯେଉଁମାନେ କମ୍ପ୍ୟୁଟରରେ ଘଣ୍ଟା ଘଣ୍ଟା ଧରି କାମ କରିଥା’ନ୍ତି ସେମାନଙ୍କର ଚା’ କଫି ପିଇବାର ଅଭ୍ୟାସ ରହିଥାଏ । ସେହିମାନଙ୍କର ଏହି ଅଭ୍ୟାସରେ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଅଧିକ ସମୟ କମ୍ପ୍ୟୁଟରରେ ବସିବା ଦ୍ୱାରା ଯଦି ଥକ୍କା ଲାଗୁଛି ତେବେ ୨୦ରୁ ୩୦ ଥର ଲମ୍ବା ନିଶ୍ୱାସ ନିଅନ୍ତୁ । କିଛି ସମୟ ଆଖି ବନ୍ଦ କରି ବସନ୍ତୁ ଦେଖିବେ ଶରୀରକୁ ଆରାମ ଲାଗିବ । ସେହିପରି ଗୃହିଣୀମାନେ ନିଜକୁ ବ୍ୟସ୍ତ ରଖନ୍ତୁ ଫଳରେ ଚା’ ବା କଫି ପିଇବାକୁ ଇଛା ଲାଗିବ ନାହିଁ ।

– ଅବସର ସମୟରେ ଗୀତ ଶୁଣିଲେ ମଧ୍ୟ ସୁଫଳ ମିଳିପାରିବ।

Comment