ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରିକେଟ୍‌ ବିଶ୍ୱକପ ୨୦୧୯ରେ ରବିବାର ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଖେଳାଯିବ। ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ। ଦିନ ୩ଟା ବେଳେ ଲଣ୍ଡନର ମାଞ୍ଚେଷ୍ଟରରେ ଏହି ମହା-ମୁକାବିଲା ହେବାକୁ ଥିବା ବେଳେ ସମଗ୍ର ବିଶ୍ୱର ନଜର ଭାରତ-ପାକିସ୍ତାନ ମ୍ୟାଚ୍‌ ଉପରେ। ତେବେ ଆଜିର ମ୍ୟାଚ୍‌ରେ କିଏ ଜିତିବ? ତେବେ ଏହାକୁ ନେଇ ଇତିହାସ କ’ଣ କହୁଛି, ଆସନ୍ତୁ ଜାଣିବା

ଇତିହାସ କହୁଛି ଭାରତ ଜିତିବ

ଭାରତ ହେଉଛି ପାକିସ୍ତାନର ଚିର ପ୍ରତିଦ୍ୱନ୍ଦୀ। କ୍ରିକେଟ୍‌ ଇତିହାସ ଯଦି ଆମେ ଲେଉଟାଇବା ତେବେ ବିଶ୍ୱକପ ସମେତ ଦିନିକିଆ ମ୍ୟାଚ୍‌ରେ ଭାରତ ଏପର୍ଯ୍ୟନ୍ତ ୧୩୧ଟି ମ୍ୟାଚ୍‌ରେ ପାକିସ୍ତାନକୁ ଭେଟିଛି। ଏଥିରୁ ପାକିସ୍ତାନ ୭୩ଟି ମ୍ୟାଚ୍‌ରେ ପାକିସ୍ତାନ ଜିତିଥିବା ବେଳେ ୫୪ଟି ମ୍ୟାଚ୍‌ରେ ଭାରତ ଜିତିଛି।

ମୋଟ ୧୩୧ଟି ଦିନିକିଆ ମ୍ୟାଚ୍‌ରୁ ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ୬ଥର ମୁହାଁମୁହିଁ ହୋଇଛନ୍ତି। ତେବେ ଭାରତ ଏହି ୬ଟି ଯାକ ମ୍ୟାଚ୍‌ରେ ପାକିସ୍ତାନକୁ ଧୂଳି ଚଟାଇଛି। ଚିର ପ୍ରତିଦ୍ୱନ୍ଦୀ ଭାବେ ଭାରତ ସବୁ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇଛି।

୧୯୯୨ ବିଶ୍ୱକପ୍‌ରେ ଭାରତ ପ୍ରଥମଥର ପାଇଁ ପାକିସ୍ତାନକୁ ଭେଟିଥିଲା। ପାକିସ୍ତାନ ଏହି ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରି ବିଶ୍ୱବିଜେତା ହୋଇଥିଲା। ହେଲେ ଭାରତ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନର ଫସର ଫାଟିଥିଲା। ମ୍ୟାଚ୍‌ରେ ପାକିସ୍ତାନ ଭାରତଠାରୁ ୪୧ ରନ୍‌ରେ ହାରିଥିଲା।

ଏହାର ପରବର୍ତ୍ତୀ ୧୯୯୬ ବିଶ୍ୱକପରେ କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ପାକିସ୍ତାନ। ଏହି ମ୍ୟାଚ୍‌ରେ ପାକିସ୍ତାନ ୪୦ ରନ୍‌ରେ ଭାରତଠାରୁ ହାରିଥିଲା।

ସେହିପରି ୧୯୯୯ ବିଶ୍ୱକପରେ ଲଣ୍ଡନର ମାଞ୍ଚେଷ୍ଟରଠାରେ ପାକିସ୍ତାନକୁ ଭେଟିଥିଲା ଭାରତ। ଏହି ମ୍ୟାଚ୍‌ରେ ରାହୁଲ ଦ୍ରାବିଡଙ୍କ ଧୁଆଁଧାର ବ୍ୟାଟିଂ ବଳରେ ଭାରତ ୪୭ ରନ୍‌ରେ ପାକିସ୍ତାନକୁ ପରାସ୍ତ କରିଥିଲା। ୨୦୦୩ ବିଶ୍ୱକପରେ ଏକ ମ୍ୟାଚ୍‌ରେ ଭାରତ ୬ ୱିକେଟ୍‌ରେ ପାକିସ୍ତାନକୁ ପରାଜିତ କରିଥିଲା।

୧୯୮୩ ପରେ ଦ୍ୱିତୀୟ ଥର ପାଇଁ ୨୦୧୧ ମସିହାରେ ଭାରତ ବିଶ୍ୱବିଜେତା ହୋଇଥିଲା। ୨୦୧୧ରେ ମୋହାଲିରେ ଖେଳାଯାଉଥିବା ଏକ ସେମି ଫାଇନାଲ୍ ମ୍ୟାଚ୍‌ରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ୩୦ ରନ୍‌ରେ ଭାରତ ପାକିସ୍ତାନକୁ ପରାଜୟ କରିଥିଲା।

ଶେଷଥର ପାଇଁ ୨୦୧୫ ବିଶ୍ୱକପରେ ଭାରତ ପାକିସ୍ତାନକୁ ଭେଟିଥିଲା। ଏହି ମ୍ୟାଚ୍‌ରେ କୋହଲିଙ୍କ ଦମ୍‌ଦାର ଶତକ ବଳରେ ଭାରତ ପାକିସ୍ତାନକୁ ୭୭ ରନ୍‌ରେ ପରାସ୍ତ କରିଥିଲା।

ସପ୍ତମ ଥର ପାଇଁ ଆଜି ବିଶ୍ୱକପ୍‌ରେ ଦୁଇ ଦେଶ ପରସ୍ପରକୁ ଭେଟିବେ। ୬ଟି ଯାକ ବିଶ୍ୱକପ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ହରାଇଥଇବା ବେଳେ ଆଜିର ମ୍ୟାଚ୍‌ରେ ଭାରତ ତା’ର ବିଜୟଧାରାକୁ ବଜାଇ ରଖି ଖେଳିବ। ଅନ୍ୟପକ୍ଷରେ ଭାରତର ଏହି ରେକର୍ଡକୁ ଭାଙ୍ଗିବାକୁ ଚେଷ୍ଟା କରିବ ପାକିସ୍ତାନ ଟିମ୍‌।

Comment