ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରର ମୁଜାଫରପୁରରେ ମସ୍ତିଷ୍କ ଜ୍ୱର ଯୋଗୁଁ ପ୍ରାୟ ୧୪୦ରୁ ଉର୍ଦ୍ଧ୍ୱ ଶିଶୁଙ୍କର ମୃତ୍ୟୁ ହେଲାଣି। ଏହି ମସ୍ତିଷ୍କ ରୋଗ ହେଉଛି ‘ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍’। ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଯୋଗୁଁ ସାଧାରଣତଃ ୧ରୁ ୮ ବର୍ଷର ପିଲାମାନଙ୍କୁ ଏହି ରୋଗ ଶୀଘ୍ର ହୋଇଥାଏ। ଏପରିସ୍ଥଳେ ଏହି ରୋଗର ଲକ୍ଷଣ, କିଭଳି ପିଲାମାନଙ୍କୁ ଏଥିରୁ ରକ୍ଷା କରିବେ ଜାଣନ୍ତୁ ।

ଆମ ମସ୍ତିଷ୍କରେ ଲକ୍ଷ ଲକ୍ଷ କୋଷିକା ଥାଏ ଯାହା ଯୋଗୁଁ ଶରୀରର ସବୁ ଅଙ୍ଗ ସୂଚାରୁ ଭାବେ କାର୍ଯ୍ୟ କରିଥାଏ। କିନ୍ତୁ ଯେତେବେଳେ ଏହି କୋଷିକା ଫୁଲିଯାଏ ସେତେବେଳେ ଏଭଳି ସ୍ଥିତିକୁ ‘ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍’ ବୋଲି କୁହାଯାଏ। ଏହା ଏକ ସଂକ୍ରାମକ ରୋଗ। ଏହି ରୋଗର ଭାଇରସ ଶରୀରରେ ପ୍ରବେଶ କରିବା ପରେ ରକ୍ତରେ ମିଶି ପ୍ରଜନନ ଆରମ୍ଭ କରିଦିଏ। ଶରୀରରେ ଏହି ଭାଇରସର ସଂଖ୍ୟା ବଢ଼ିବାପରେ ରକ୍ତରେ ମିଶି ବ୍ୟକ୍ତିଙ୍କର ମସ୍ତିଷ୍କ ଯାଏ ପହଞ୍ଚିଥାଏ। ମସ୍ତିଷ୍କରେ ଏହି ଭାଇରସ କୋଷିକାଗୁଡ଼ିକୁ ଫୁଲାଇ ଦେଇଥାଏ। ଏହାଯୋଗୁଁ ଶରୀରର ‘ସେଣ୍ଟ୍ରାଲ ନର୍ଭସ ସିଷ୍ଟମ୍’ ଖରାପ ହୋଇଯାଏ।

ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ପ୍ରବଳ ଜ୍ୱର ହୋଇଥାଏ। ଦେହ ଶକ୍ତ ହୋଇଯାଏ। ପିଲାମାନେ ଦାନ୍ତ ଜାବି ରହିଥାନ୍ତି। ଦୁର୍ବଳତା ଯୋଗୁଁ ପିଲାମାନେ ବାରମ୍ବାର ବେହୋସ ହୁଅନ୍ତି। ସେମାନଙ୍କୁ ସବୁକିଛି ଶୂନ୍ୟ ହୋଇଯିବା ଭଳି ଲାଗେ। ତେଣୁ ସେମାନେ ବାରମ୍ବାର ଝଟକା ଖାଇବା ଭଳି ହୁଅନ୍ତି।

-ଏଭଳି ଲକ୍ଷଣ ଦେଖିଲେ ତୁରନ୍ତ ଶିଶୁକୁ ନେଇ ହସ୍ପିଟାଲକୁ ଯାଆନ୍ତୁ। ଡାକ୍ତରମାନେ ଏଥିପାଇଁ ଏମଆରଆଇ ବା ସିଟିସ୍କାନ୍ କରିଥାଆନ୍ତି। ଏହାଛଡ଼ା ରକ୍ତ ବା ପରିସ୍ରାରୁ ମଧ୍ୟ ଏହି ରୋଗର ଚିହ୍ନଟ କରିହୁଏ। ସେହିପରି ଡାକ୍ତରମାନେ ମସ୍ତିଷ୍କର ବାୟୋପ୍ସି ବି କରାଇପାରନ୍ତି।

-ଏହାଛଡ଼ା ବାପା ମା’ଙ୍କୁ ମଧ୍ୟ ସତର୍କ ରହିବାର ଆବଶ୍ୟକତା ରହିଛି। ପିଲାଙ୍କୁ ଜ୍ୱର ଆସିବା ମାତ୍ରେ ଶରୀରକୁ ଓଦା କପଡ଼ାରେ ବାରମ୍ବାର ପୋଛନ୍ତୁ। ଏହାଦ୍ୱାରା ଜ୍ୱର ମୁଣ୍ଡକୁ ଚଢ଼ିବ ନାହିଁ।

-ପାରାସିଟାମଲର ଟାବଲେଟ୍ ବା ସିରପ୍ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେବନ କରନ୍ତୁ।

-ସଫା ବାସନରେ ଏକ ଲିଟର ପାଣି ଭର୍ତ୍ତି କରି ସେଥିରେ ଓଆରଏସ୍ ପକାଇ ପିଲାଙ୍କୁ ପିଆନ୍ତୁ। ୨୪ ଘଣ୍ଟା ପରେ ସେହି ପାଣିକୁ ଆଉ ବ୍ୟବହାର କରନ୍ତୁ ନାହିଁ।

-ଜ୍ୱର ଆସିବା ପରେ ପିଲାକୁ ଡାହାଣ ବା ବାମ କଡ଼କୁ ଲେଉଟାଇ ହସ୍ପିଟାଲ ନିଅନ୍ତୁ।

-ପିଲା ବେହୋସ ଥିଲେ ତାକୁ ଶୁଆଇ କରି ହିଁ ରଖନ୍ତୁ।

-ଜ୍ୱର ଆସିଲେ ପିଲାର ଶରୀରରୁ ପୋଷାକ ବାହାର କରି ହାଲ୍କା ପୋଷାକ ପିନ୍ଧାନ୍ତୁ। ମେରୁଦଣ୍ଡ ସିଧା ରଖନ୍ତୁ।

-ଖାଲି ପେଟରେ ଲିଚୁ ଖୁଆନ୍ତୁ ନାହିଁ। ଦର ପାଚିଲା ଲିଚୁ ଆହୁରି କ୍ଷତିକାରକ।

-ପିଲାଙ୍କୁ କମ୍ବଳ ବା ମୋଟା ଲୁଗା ଘୋଡ଼ାନ୍ତୁ ନାହିଁ। ବେହୋସ ଥିବାବେଳେ ତାକୁ କିଛି ଖାଇବାକୁ ଦିଅନ୍ତୁ ନାହିଁ।

Comment