ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇସିସି ବିଶ୍ଵକପର ୩୩ତମ ମ୍ୟାଚରେ ବୁଧବାର ବର୍ମିଙ୍ଗହାମରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍‌ ହରାଇ ୨୩୭ ରନ୍‌ ସଂଗ୍ରହ କରିଛି। ବର୍ତ୍ତମାନ ପାକିସ୍ତାନ ଆଗରେ ୨୩୮ ରନ୍‌ର ବିଜୟଲକ୍ଷ୍ୟ।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା। ଆରମ୍ଭରୁ ମାର୍ଟିନ ଗୁପ୍ଟିଲ, କୋଲିନ ମୁନ୍‌ରୋ, କେନ୍‌ ଉଇଲିୟମସନ୍‌, ରସ୍‌ ଟାୟଲର, ଟମ୍‌ ଲଥାମ୍‌ ଭଳି ଦମ୍‌ଦାର ଖେଳାଳୀ ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିଥିଲେ। ତେବେ ଷଷ୍ଠ ସ୍ଥାନରେ ଆସି ନ୍ୟୁଜିଲାଣ୍ଡର ମଙ୍ଗ ଧରିଥିଲେ ଜେମ୍‌ସ ନିସମ। ତାଙ୍କ ସାଥ୍‌ ଦେଇଥିଲେ କଲିନ୍‌ ଗ୍ରାଣ୍ଡହୋମ୍‌। ଉଭୟଙ୍କ ଧୂଆଁଧାର ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡ ୨୩୭ ରନ୍‌ ସଂଗ୍ରହ କରିଛି।

ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଜବରଦସ୍ତ ବୋଲିଂ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଦଳ ପକ୍ଷରୁ ସାହିନ୍‌ ଆଫ୍ରିଦି ସର୍ବାଧିକ ୩ଟି ୱିକେଟ୍‌ ସଂଗ୍ରହ କରିଛନ୍ତି। ତେବେ ବର୍ତ୍ତମାନ ପାକିସ୍ତାନ ଆଗରେ ୨୩୮ ରନ୍‌ର ଟାର୍ଗେଟ୍‌ ରହିଛି।

ନ୍ୟୁଜିଲାଣ୍ଡ ଚଳିତ ବିଶ୍ଵକପରେ କୌଣସି ବି ମ୍ୟାଚରେ ପରାଜୟ ହୋଇନାହିଁ। ୬ଟି ମ୍ୟାଚ ଖେଳି ୫ଟିରେ ବିଜୟ ହୋଇଥିବା ବେଳେ ଭାରତ ବିପକ୍ଷ ଗୋଟିଏ ମ୍ୟାଚ ବାତିଲ ହୋଇଛି। ଅନ୍ୟପକ୍ଷରେ ପାକିସ୍ତାନ ୬ଟି ମ୍ୟାଚ ଖେଳି ୨ଟିରେ ବିଜୟ ହୋଇଥିବା ବେଳେ ୩ଟିରେ ପରାଜୟ ଓ ଗୋଟିଏ ମ୍ୟାଚ ବାତିଲ ହୋଇଛି। ତେବେ ଆଜିର ମ୍ୟାଚ୍‌ରେ ପାକିସ୍ତାନ ଜିତିଲେ ସେମିଫାଇନାଲ୍‌ର ନିକଟବର୍ତ୍ତୀ ହେବ।

Comment