ଓଡ଼ିଶାଲାଇଭ୍ ବ୍ୟୁରୋ

ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ଉନବିଂଶ ଓ ଶିଶୁକିଶୋର ପତ୍ରିକା ‘କୁନିକଥା’ର ଅଷ୍ଟମ ସ୍ୱନକ୍ଷତ୍ର ଉତ୍ସବ ମଙ୍ଗଳବାର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି।

ବରିଷ୍ଠ ସାହିତ୍ୟିକ ଡକ୍ଟର ବିଭୂତି ପଟ୍ଟନାୟକ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, ସମ୍ମାନିତ ଅତିଥି ଭାବେ ଉଦୟନ ବାଜପେୟୀ ଏବଂ ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ଆଶୁତୋଷ ଭରଦ୍ୱାଜ ଯୋଗ ଦେଇଥିଲେ।

‘‘ବିଜ୍ଞାନ ଯେଉଁଠି ଶେଷ ହୋଇଥାଏ, ସାହିତ୍ୟ ଓ କଳା ସେହିଠାରୁ ଆରମ୍ଭ ହୋଇଥାଏ। ସାହିତ୍ୟ ପରସ୍ପର ଭିତରେ ଭାଇଚାରା ସୃଷ୍ଟି କରିଥାଏ। ଆଜିର ପିଲା ସାମ୍ ପିଟ୍ରୋଡାଙ୍କୁ ଜାଣୁଛନ୍ତି କିନ୍ତୁ ବଡ଼ ବଡ଼ ସାହିତ୍ୟିକଙ୍କୁ ଜାଣୁ ନାହାନ୍ତି। ଆଗାମୀ ଦିନରେ କଳା ଓ ସାହିତ୍ୟ କୋଣଠେସା ହୋଇଯିବ’’ ,କହିଥିଲେ ଉଦୟନ ବାଜପେୟୀ।

ଏହି ଅବସରରେ କୃଷିବିତ୍ ପଦ୍ମଶ୍ରୀ କମଳା ପୂଜାରୀଙ୍କୁ କାଦମ୍ବିନୀ ସମ୍ମାନ-୨୦୧୯ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସମ୍ମାନ ସ୍ୱରୁପ ତାଙ୍କୁ ୫୦ ହଜାର ଟଙ୍କା ସହିତ ମାନପତ୍ର ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ଡକ୍ଟର ଇତି ସାମନ୍ତ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଦେଇଥିଲେ।

ଏହି ଅବସରରେ ଗୋଲାପ ମଞ୍ଜରୀ କରଙ୍କୁ ‘କାଦମ୍ବିନୀ ଗଳ୍ପ ସମ୍ମାନ’, ସୌଭାଗ୍ୟବନ୍ତ ମହାରଣାଙ୍କୁ ‘କାଦମ୍ବିନୀ କବିତା ସମ୍ମାନ’ ପ୍ରବାସିନୀ ମହାକୁଡ଼ ଓ ପ୍ରଭାକର ସ୍ୱାଇଁଙ୍କୁ ‘କାଦମ୍ବିନୀ ଅନୁବାଦ ସମ୍ମାନ’ରେ ରେ ସମ୍ମାନିତ କରାଯାଇଛି।

ଏଥିସହ ସୁଶ୍ରୀ ବିଭାବତୀ ଦାଶଙ୍କୁ ‘କାଦମ୍ବିନୀ ପ୍ରଚ୍ଛଦଶିଳ୍ପୀ ସମ୍ମାନ’ ଓ ଶ୍ୱେତା ରାଉତଙ୍କୁ ‘କାଦମ୍ବିନୀ ଆମ ରୋଷେଇ’ ପୁରସ୍କାର ପ୍ରଦାନ କରାଯାଇଛି।

ହରେକୃଷ୍ଣ ଦାଶ ଓ ସୁଶ୍ରୀ ଅକ୍ଷତା ଅରୁଣା ‘କାଦମ୍ବିନୀ ପ୍ରିୟ ପାଠକ’, ନଗେନ୍ଦ୍ରନାଥ ପଟ୍ଟନାୟକଙ୍କୁ ‘କୁନିକଥା ପ୍ରିୟ ଲେଖକ’ ସମ୍ମାନରେ ସମ୍ମାନିତ କରାଯିବା ସହ ସୁଶ୍ରୀ ଇପ୍ସିତା ବିଶ୍ୱାଳ ‘କୁନି ପ୍ରତିଭା ପୁରସ୍କାର’, ‘କାଦମ୍ବିନୀ ଗଳ୍ପ ଉନ୍ମେଷ’ର ବିଜେତା ପରମବୀର ଚକ୍ର, ଡିଲେଶ୍ୱର ରଣା ଓ ସ୍ୱଦେଶ ପାତ୍ର ପ୍ରମୁଖ ଏହି ଉତ୍ସବରେ ସମ୍ମାନିତ କରାଯାଇଛି।

Comment