ଓଡ଼ିଶାଲାଇଭ୍ ବ୍ୟୁରୋ

ଜାଣନ୍ତୁ ଚଳିତ ବଜେଟରେ ନିର୍ମଳା ସୀତାରମଣ ଆୟକର ନିୟମରେ ଆଣିଛନ୍ତି କାହା ପାଇଁ କି ପରିବର୍ତ୍ତନ?

  • ଏଣିକି ପାନ୍ ନଥାଇ କରିହେବ ଆୟକର ରିଟର୍ଣ୍ଣ ଫାଇଲ
  • ଫିକ୍ସ ଡିପୋଜିଟ ସୁଧ ବାବଦରେ ବରିଷ୍ଠ ନାଗରିକଙ୍କୁ ରିହାତି
  • କର୍ପୋରେଟ ଟ୍ୟାକ୍ସ କ୍ଷେତ୍ରରେ ବ୍ୟବସ୍ଥାରେ ପରିବର୍ତ୍ତନ

ନିର୍ମଳା ସୀତାରମଣଙ୍କ ବଜେଟରେ ଦେଶର ଆୟକରଦାତାଙ୍କ ପାଇଁ ଖୁସି ହେଲା ଭଳି ବିଶେଷ କିଛି ନାହିଁ। ତେବେ କୁବେର ଅର୍ଥାତ ଅଧିକ ଆୟ ବର୍ଗର ବ୍ୟକ୍ତି ଦୁଃଖି ହେଲା ଭଳି ବିଷୟ ରହିଛି। ଜାଣନ୍ତୁ କେମିତି?

ଚଳିତ ବଜେଟରେ ଆୟକର ଛାଡ଼ ସୀମା ୫ ଲକ୍ଷ ଟଙ୍କାକୁ ଅପରିବର୍ତ୍ତିତ ରହିଛି। ସେହିପରି ଆୟକରଦାତାଙ୍କ ପାଇଁ କର ସ୍ଲାବ୍ ୫ ପ୍ରତିଶତ, ୨୦ ପ୍ରତିଶତ ଏବଂ ୩୦ ପ୍ରତିଶତ କରାଯାଇଥିଲା।

ବରିଷ୍ଠ ନାଗରିକଙ୍କ ପାଇଁ ସୁବିଧା

ଫିକ୍ସ ଡିପୋଜିଟ୍ ଉପରେ ଜଣେ ବ୍ୟକ୍ତି ବାର୍ଷିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ପାଉଥିଲେ ତା’ ଉପରେ ଆୟକର ଦେବାକୁ ପଡ଼ି ନଥାଏ। ତେବେ ତାଠାରୁ ଅଧିକ ସୁଧ ପାଇଲେ ଆୟକରଦାତାଙ୍କ ନିର୍ଦ୍ଧାରିତ କର ସ୍ଲାବ ହିସାବରେ ଆୟକର ଦେବାକୁ ପଡ଼େ। ତେବେ ବରିଷ୍ଠ ନାଗରିକଙ୍କ ପାଇଁ ଏହି ପରିମାଣ ୫୦ ହଜାର ଟଙ୍କା କରାଯାଇଛି।

ମୋଦିଙ୍କ ବଜେଟରେ କୁବେରଙ୍କ ଉପରେ ହୋଇଛି କର ମାଡ଼। ଯେଉଁ ବ୍ୟକ୍ତିଙ୍କ ଟ୍ୟାକ୍ସେବୁଲ ଇନକମ୍ ୨ କୋଟିରୁ ୫ କୋଟି ଟଙ୍କା ମଧ୍ୟରେ ଏବେ ତାଙ୍କୁ ଅତିରିକ୍ତ ୩ ପ୍ରତିଶତ ଆୟକର ଦେବାକୁ ପଡ଼ିବ। ଅର୍ଥାତ ତାଙ୍କର ମୂଳ ଆୟକର ୩୦ ପ୍ରତିଶତ ବାହାରେ ଏହି ୩ ପ୍ରତିଶତ ହିସାବ କରାଯିବ।

ସେହିପରି ୫ କୋଟିରୁ ଅଧିକ ଟଙ୍କା ଟ୍ୟାକ୍ସେବୁଲ ଇନକମ୍ ଥିବା ବ୍ୟକ୍ତିଙ୍କୁ ଅତିରିକ୍ତ ଭାବେ ଏବେ ୭ ପ୍ରତିଶତ ଦେବାକୁ ପଡ଼ିବ।

ଅନ୍ୟପକ୍ଷରେ କର୍ପୋରେଟ ଟ୍ୟାକ୍ସ ବା କମ୍ପାନିମାନେ ଦେଉଥିବା ଆୟକର ବ୍ୟବସ୍ଥାରେ ଆସିଛି ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ। ପୂର୍ବରୁ କର୍ପୋରେଟ୍‌ ଟ୍ୟାକ୍ସ ବାବଦରେ ଥିବା ୩୦ ପ୍ରତିଶତ ଆୟକରକୁ ୨୫ ପ୍ରତିଶତକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ସେହିପରି ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ କାରବାରର ଯେଉଁ ସୀମା ରହିଥିଲା ଏବେ ତାକୁ ୪୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି।

ଆୟକର ରିଟର୍ଣ୍ଣ ଫାଇଲ କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଏଣିକି ରିଟର୍ଣ୍ଣ ଫାଇଲ୍ ବେଳେ ପାନ୍ କାର୍ଡ ବାଧ୍ୟତାମୂଳକ ହେବ ନାହିଁ। ଅର୍ଥାତ ଯଦି ଆପଣଙ୍କର ପାନ୍ କାର୍ଡ ନାହିଁ ଆଧାର କାର୍ଡ ବ୍ୟବହାର କରି ରିଟର୍ଣ୍ଣ ଫାଇଲ୍ କରିପାରିବ।

ଗୃହ ୠଣ ବାବଦ ସୁଧ ଉପରେ ସାଢ଼େ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼

ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆଜି ବଡ଼ ଘୋଷଣା କରିଛନ୍ତି। ଦେଶର ମଧ୍ୟବିତ୍ତ ବର୍ଗ ଲାଗି ଗୃହ ୠଣ କ୍ଷେତ୍ରରେ ନିର୍ମଳା ଏହି ଉପହାର ଦେଇଛନ୍ତି।

ଏଣିକି ଗୃହ ୠଣ ନେଇଥିବା କୌଣସି ବ୍ୟକ୍ତି ବାର୍ଷିକ ଗୃହ ୠଣ ବାବଦ ସୁଧ ଉପରେ ସାଢ଼େ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ର ସୁଯୋଗ ପାଇ ପାରିବେ। ପୂର୍ବରୁ ଏହି ପରିମାଣ ବାର୍ଷିକ ୨ ଲକ୍ଷ ଟଙ୍କା ରହିଥିଲା।  ଏହି ସୁବିଧା ୩୧ ମାର୍ଚ୍ଚ ୨୦୨୦ ମଧ୍ୟରେ ୠଣ ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଲାଗୁ ହେବ।

ତେବେ ୪୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଘର କ୍ଷେତ୍ରରେ ଏହି ସୁବିଧା ମିଳିବ।

୨୦୧୪ ମସିହାରେ ମୋଦି ସରକାରଙ୍କ ପ୍ରଥମ ପାଳି ବଜେଟ୍‌ରେ ଗୃହ ୠଣର ସୁଧ ବାବଦରେ ଆୟକର ଛାଡ଼ ସୀମା ବାର୍ଷିକ ଦେଢ଼ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବଢ଼ାଇ ଦିଆଯାଇଥିଲା। ଚଳିତ ବଜେଟରେ ତାକୁ ସାଢ଼େ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବଢ଼ାଇ ମୋଦି ସରକାର ମଧ୍ୟବିତ୍ତ ବର୍ଗର ପରିବାରଙ୍କ ମନ କିଣିବାକୁ ଚେଷ୍ଟା କରିଛନ୍ତି।

ବର୍ଷକୁ ୧ କୋଟିରୁ ଅଧିକ ଟଙ୍କାର ନଗଦ ଉଠାଣ କଲେ ୨% ଟିଡିଏସ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଉପସ୍ଥାପନ କରିଥିବା ବଜେଟରେ ନଗଦ କାରବାର ଉପରେ ଲଗାଇଛନ୍ତି ଏକ କଟକଣା। ଏଣିକି ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ବର୍ଷକୁ ୧ କୋଟିରୁ ଅଧିକ ଟଙ୍କାର ନଗଦ ଉଠାଣ କଲେ ୨% ଟିଡିଏସ କଟିବ। ଆପଣଙ୍କ ବ୍ୟାଙ୍କ ଏହି ଟିଡିଏସ୍ କାଟି ଆୟକର ବିଭାଗକୁ ପଠାଇ ଦେବ।

ଦେଶରେ ଡିଜିଟାଲ ବା କ୍ୟାସ୍‌ଲେସ୍‌ ଟ୍ରାଞ୍ଜାକ୍ସନ ଉପରେ ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି। ସବୁ କ୍ଷେତ୍ରରେ ନଗଦ କାରବାରକୁ ନିରୁତ୍ସାହିତ କରାଯାଉଛି। ତେଣୁ ଇ-ଟ୍ରାଞ୍ଜାକ୍ସନ ନକରି ବ୍ୟାଙ୍କରୁ ବାରମ୍ବାର ନଗଦ ଟଙ୍କା ଉଠାଉଥିବା ବ୍ୟକ୍ତି ବା କୌଣସି ଅନୁଷ୍ଠାନଙ୍କ ଉପରେ ଆର୍ଥିକ କଟକଣା ହିସାବରେ ସରକାର ଏହି ନିୟମ ଘୋଷଣା କରିଛନ୍ତି।

ଟିଡିଏସ୍‌ ବା ଟ୍ୟାକ୍ସ ଡିଡକ୍ସନ୍ ଆଟ୍ ସୋର୍ସ ହେଉଛି ଆୟକର ନିୟମର ଏକ ବିଶେଷ ଉପାଦାନ। ଏହା ମାଧ୍ୟମରେ କୌଣସି କାରବାର ବେଳେ ଅର୍ଥ ପ୍ରଦାନ କରୁଥିବା କୌଣସି ସଂସ୍ଥାକୁ ଆୟକର ନିୟମ ଅନୁଯାୟୀ ଟିଡିଏସ୍ କାଟିବାକୁ ପଡ଼ିଥାଏ। ବିଭିନ୍ନ କାରବାର ପାଇଁ ଟିଡିଏସ୍ ପରିମାଣ ଭିନ୍ନ ହୋଇଥାଏ।

Comment