ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ : ଦରମା ବୃଦ୍ଧିକୁ ନେଇ ଓଏସ୍ଆରଟିସିରେ ଚାଲିଥିବା କର୍ମଚାରୀ ଆନ୍ଦୋଳନ ମଙ୍ଗଳବାର ଉଗ୍ରରୂପ ନେଇଛି। ଫଳରେ କଟକରୁ ଆଜି ଗୋଟିଏ ହେଲେ ସରକାରୀ ବସ୍ ଚାଲିପାରିନି। ଏଥିପାଇଁ ଶହଶହ ଯାତ୍ରୀ କଟକ ବସ୍‌ ଷ୍ଟାଣ୍ଡରୁ ନିରାଶ ହୋଇ ଫେରିଛନ୍ତି। ତିନି ମାସର ଦରମା ନମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କର୍ମଚାରୀ ଚେତାବନୀ ଦେଇଛନ୍ତି।

ଓଏସ୍‌ଆରଟିସିର କଟକ ଜୋନରେ ପ୍ରାୟ ୨ଶହ କର୍ମଚାରୀ କାମ କରୁଛନ୍ତି। ଅନ୍ୟ ଜୋନଗୁଡ଼ିକରେ କର୍ମଚାରୀମାନେ ଦରମା ପାଉଥିବା ବେଳେ କଟକର ଏହି କର୍ମଚାରୀଙ୍କୁ ଗଲା ୩ ମାସ ହେବ ଦରମା ମିଳିନି। ଦରମା ବଢ଼ାଇବା ପାଇଁ କର୍ମଚାରୀମାନେ ପୂର୍ବରୁ ବହୁବାର ଜଣାଇଥିଲେ ମଧ୍ୟ ତାହା ପୂରଣ ହୋଇନି। ଗଲା ମାସ ୨୩ ତାରିଖରେ କର୍ମଚାରୀମାନେ ଏକ ବୈଠକ କରି ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିଲେ। ଲିଖିତ ଭାବେ ସେମାନଙ୍କର ଦାବି କଟକ ଡିଟିଏମ୍‌ଙ୍କୁ ଜଣାଇଥିଲେ।

ଜୁଲାଇ ୨ ତାରିଖ ସୁଦ୍ଧା ଦରମା ନମିଳିଲେ କାର୍ଯ୍ୟ ବନ୍ଦ ହେବ ବୋଲି କର୍ମଚାରୀମାନେ ଚେତାବନୀ ଦେଇଥିଲେ। ପରେ ରଥଯାତ୍ରା ପାଇଁ ଏହି ଆନ୍ଦୋଳନକୁ ସପ୍ତାହେ ଘୁଞ୍ଚାଇ ଦିଆଯାଇଥିଲା। ତେବେ ୯ ତାରିଖ ସୁଦ୍ଧା ଦରମା ନମିଳିବାରୁ ବାଧ୍ୟ ହୋଇ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏଥିପାଇଁ କଟକରୁ ୨୦ଟି ରୁଟରେ ଗୋଟିଏ ହେଲେ ବସ୍ ଚାଲିନି।

ସେହିପରି କଟକ-ଭୁବନେଶ୍ୱର ମଧ୍ୟରେ ମହିଳା ସ୍ପେସାଲ୍ ବସ୍ ମଧ୍ୟ ଚାଲିପାରିନି। ଯାତ୍ରୀମାନେ ଘରୋଇ ବସ୍‌ରେ ପ୍ରାୟ ଦୁଇ ଗୁଣା ଅଧିକ ଭଡ଼ା ଦେଇ ଯାତ୍ରା କରିଛନ୍ତି।

କଟକ ଡିଟିଏମ୍ ପି କେ ହୋତା ନିଜର ଅସହାୟତା ପ୍ରକାଶ କରିବା ସହିତ କର୍ମଚାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ସେ ଅନୁରୋଧ କରିଛନ୍ତି।

Comment