ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ଦ୍ୱିତୀୟ ଚନ୍ଦ୍ରଯାନ ଅଭିାଯାନ ‘ଚନ୍ଦ୍ରଯାନ ୨’ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆଜି ସକାଳ ୬ଟା ୫୧ରୁ ୨୦ ଘଣ୍ଟିଆ କାଉଣ୍ଟଡାଉନ ଆରମ୍ଭ ହୋଇଛି। ୧୫ ତାରିଖ ରାତି ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଶତୀଶ ଧଓ୍ୱନ କେନ୍ଦରୁ ଜିଏସଏଲଭି ଏମକେ ୩ ’ବାହୁବଳୀଭ’ ରକେଟ ସାହାଯ୍ୟରେ ଏହାର ଉତକ୍ଷେପଣ କରାଯିବ।

ଗୋଟିଏ ଅର୍ବିଟର, ଗୋଟିଏ ଲ୍ୟାଣ୍ଡର (ବିକ୍ରମ) ଏବଂ ଗୋଟିଏ ରୋଭର (ପ୍ରଜ୍ଞା)କୁ ନେଇ ଗଠିତ ହୋଇଛି ‘ଚନ୍ଦ୍ରଯାନ-୨’। ଭାରତର ମହାକାଶ ଅଗ୍ରଦୂତ ବିକ୍ରମ ସରାଭାଇଙ୍କ ସ୍ମୃତିରେ ଇସ୍ରୋ ଚନ୍ଦ୍ରଯାନର ଲ୍ୟାଣ୍ଡର ନାମ ‘ବିକ୍ରମ ’ ଏବଂ ରୋଭରର ନାମ ‘ପ୍ରଜ୍ଞା’ ରଖିଛି। ଆସନ୍ତା ସେପ୍ଟେମ୍ବର ୬ କିମ୍ବା ୭ ତାରିଖରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଏହାପରେ ରୋଭର ଲ୍ୟାଣ୍ଡରଠାରୁ ଅଲଗା ହୋଇ ଚନ୍ଦ୍ରପୃଷ୍ଠରେ ୧୪ ଦିନ ପର୍ଯ୍ୟନ୍ତ ଅନୁଧ୍ୟାନ ଜାରି ରଖିବ।

ରୋଭର ଏବଂ ଲ୍ୟାଣ୍ଡର ୧୪ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଅର୍ବିଟର ବର୍ଷେ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହି ଏହାର ମିସନ୍‌ ଜାରି ରଖିବ। ଏହି ମିସନ୍‌ରେ ୧୩ଟି ଭାରତୀୟ ପେଲୋଡ ରହିଛି। ରୋଭର୍‌ ଚନ୍ଦ୍ରପୃଷ୍ଠରେ ମାଗ୍ନେସିୟମ, କାଲସିୟମ , ଆଇରନ୍‌ ଭଳି ଉପାଦାନର ସନ୍ଧାନ ପାଇଁ ଚନ୍ଦ୍ରପୃଷ୍ଠରେ ଥିବା ଶିଳାର ଫଟୋ ଉଠାଇବ। ଚନ୍ଦ୍ରର ଅନ୍ଧକାର ପାର୍ଶ୍ୱକୁ ଏହି ମିଶନ୍‌ ଅଧ୍ୟୟନ କରିବ।

ଏହା ସମୁଦାୟ ୯୭୮ କୋଟି ଟଙ୍କାର ପ୍ରକଳ୍ପ। ମହାକାଶ ଯାନ ପାଇଁ ୬୦୩ କୋଟି ଜିଏସଏଲଭି ଏମକେ ୩ ପାଇଁ ୩୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

୧୯୬୯, ଜୁଲାଇ ୨୦ ତାରିଖରେ  ନିଲ୍ ଆର୍ମଷ୍ଟ୍ରଙ୍ଗ ପ୍ରଥମ ଥର ପାଇଁ ଚନ୍ଦ୍ରରେ ପାଦ ଥାପିଥିଲେ। ଏହି ଦିନକୁ ୫୦ ବର୍ଷ ପୂର୍ତ୍ତି ହେବାର ମାତ୍ର ୫ ଦିନ ପୂର୍ବରୁ ‘ଚନ୍ଦ୍ରଯାନ ୨’ ଉତକ୍ଷେପଣ କରିବାକୁ ଯୋଜନା କରିଛି।

Comment