ଓଡ଼ିଶାଲାଇଭ୍ ବ୍ୟୁରୋ

ମୁଖ୍ୟମନ୍ତ୍ରୀଙ୍କ ପାଟକୁରା ଗସ୍ତ ବେଳେ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ଦବଙ୍ଗଗିରି। ସାମ୍ବାଦିକଙ୍କୁ ଉଠାଇଲେ ହାତ। ଭିଡିଓ ଭାଇରାଲ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଟକୁରା ଗସ୍ତ ବେଳେ ଅପ୍ରୀତିକର ଘଟଣା ଘଟିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଖବର ସଂଗ୍ରହ କରୁଥିବା ଏକ ଟିଭି ଚ୍ୟାନେଲର ସାମ୍ବାଦିକଙ୍କୁ କେନ୍ଦ୍ରାପଡ଼ା ଏସ୍‌ପି ନୀତି ଶେଖର ହାତ ଉଠାଇବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି।

ପାଟକୁରା ଉପ-ନିର୍ବାଚନ ପାଇଁ ପ୍ରଚାର କରିବାକୁ ମୁଖ୍ୟମନ୍ତ୍ରୀ ଆଜି କେନ୍ଦ୍ରାପଡ଼ା ଗସ୍ତରେ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତର ଖବର ସଂଗ୍ରହ କରିବା ପାଇଁ ନ୍ୟୁଜ-୧୮ ଟିଭି ଚ୍ୟାନେଲର ପ୍ରତିନିଧି ଅଜେଶ ମଲ୍ଲିକ ଭୁବନେଶ୍ୱରରୁ ଯାଇଥିଲେ।

ବାରିମୂଳ ଅସ୍ଥୟୀ ହେଲିପ୍ୟାଡ୍‌ରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଅବତରଣ କରିବା ବେଳେ ସବୁ ଗଣମାଧ୍ୟମ ପ୍ରତିନିଧି ଛିଡ଼ା ହୋଇଥିଲେ। ତେବେ ଏହି ସମୟରେ କେନ୍ଦ୍ରାପଡ଼ା ଏସ୍‌ପି ଦବଙ୍ଗଗିରି ଦେଖାଇଥିଲେ।

ଅଜେଶ ମଲ୍ଲିକଙ୍କୁ ଦୁର୍ବ୍ୟହାର ପ୍ରଦର୍ଶନ କରିବା ସହ ତାଙ୍କ ଉପରକୁ ହାତ ଉଠାଇଥିଲେ। ଏସ୍‌ପି ହାତ ଉଠାଇବା ବେଳେର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଏଭଳି ଆଚରଣକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ଏହାକୁ ନେଇ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Comment