ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଚମତ୍କାର ପ୍ରଦର୍ଶନ ସହାୟତାରେ ଭାରତୀୟ ମହିଳା ଟିମ୍ ରାଜ୍ୟଗୋଷ୍ଠୀ ଟେବୁଲ୍ ଟେନିସ୍ ଚାମ୍ପିଅନ୍‌ସିପ୍‌ରେ ସେମିଫାଇନାଲରେ ପ୍ରବେଶ କରିଛି। ସୁପର ୮ ମ୍ୟାଚଗୁଡିକରେ ଦଳର ପ୍ରଦର୍ଶନ ଜବରଦସ୍ତ ରହିଥିଲା। ଭାରତ ମହିଳା ଟିମ୍ ୱେଲ୍ସ, ମାଲେସିଆ ଏବଂ ନାଇଜେରିଆକୁ ୩-୦ ସେଟ୍‌ରେ ପରାସ୍ତ କରି ସେମିଫାଇନାଲରେ ଜାଗା ପକ୍କା କରିଛି। ଅନ୍ୟପକ୍ଷରେ ପୁରୁଷ ଟିମ୍‌ ମଧ୍ୟ ସେମିଫାଇନାଲ ନିକଟବର୍ତ୍ତୀ ହୋଇଛି।

ଗତକାଲି ସୁପର ୮ରେ ପ୍ରବେଶ କରିଥିବା ଭାରତୀୟ ମହିଳା ଟମର ସଦସ୍ୟମାନେ ଆଜି ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ୱେଲ୍ସ ବିପକ୍ଷରେ ପ୍ରଥମ ରାଉଣ୍ଡରେ ମଇଦାନକୁ ଓହ୍ଲାଇଥିଲେ ମଧୁରିକା ପଟକର। ପ୍ରତିପକ୍ଷ ୱେଲ୍ସର ଚାରଲୋଟ୍ କେରିଙ୍କୁ ୫-୧୧, ୧୧-୮, ୧୧-୫, ୧୧-୮ରେ ପରାସ୍ତ କରିଥିଲେ।

ଦ୍ୱିତୀୟ ରାଉଣ୍ଡରେ ଅର୍ଚ୍ଚନା କମାଥ୍ ୧୧-୮, ୧୧-୬, ୧୧-୭ ପଏଣ୍ଟରେ ବେଥ୍ ରିଚାର୍ଡସଙ୍କୁ ହରାଇ ବିଜୟ ପକ୍କା କରିଥିଲେ। ଶେଷ ସେଟ୍ ପାଇଁ ପ୍ରତିଯୋଗିତାକୁ ଓହ୍ଲାଇ ଆହ୍ୟିକା ମୁଖାର୍ଜୀ ଚାପମୁକ୍ତ ଭାବେ ପ୍ରତିପକ୍ଷ ଲାରା ହ୍ୱିଟନଙ୍କୁ ୧୧-୩, ୧୧-୮, ୧୧-୭ ରେ ମାତ୍ ଦେଇ ଦଳକୁ ବିଜୟୀ କରାଇଥିଲେ।

ଆଜିର ଦ୍ୱିତୀୟ ମ୍ୟାଚରେ ଭାରତ ପ୍ରତିଯୋଗିତାର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ମାଲେସିଆକୁ ପରାସ୍ତ କରିବାର ସଫଳ ହୋଇଛି। ଭାରତ ୩-୦ ସେଟରେ ବିଜୟୀ ହୋଇ ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲା। ଅର୍ଚ୍ଚନା ପ୍ରଥମ ରାଉଣ୍ଡରେ ୧୧-୬, ୧୨-୧୦, ୧୧-୬ ସେଟରେ ପ୍ରତିପକ୍ଷ ଟିମ ଆଇଜିନଙ୍କୁ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ମନିକା ବାତ୍ରାଙ୍କ ବିଜୟ ଏତେ ସହଜ ନଥିଲା। ୧୩-୧୧ ପଏଣ୍ଟରେ ପ୍ରଥମ ସେଟ୍ କବ୍‌ଜା କରିବା ପରେ ମନିକା ଲଗାତାର ଦୁଇ ସେଟରେ ପରାସ୍ତ ହୋଇଥିଲେ। ଏଥିରେ ପ୍ରତିପକ୍ଷ ହୋ ୟିଙ୍ଗ୍ ୮-୧୧, ୭-୧୧ ସେଟରେ ଖେଳକୁ ନିଜ ପକ୍ଷକୁ ନେଇଯାଇଥିଲେ।

ଶେଷ ଦୁଇ ସେଟ୍‌ରେ ମନିକା ଚମତ୍କାର ପ୍ରତ୍ୟାବର୍ତ୍ତନ କରି ହୋ’ଙ୍କୁ ୧୨-୧୦, ୧୧-୯ ପଏଣ୍ଟରେ ମାତ୍ ଦେଇ ବିଜୟୀ ହୋଇଥିଲେ। ଶେଷ ସେଟରେ ମଧୁରିକା ମଧ୍ୟ ସଂଘର୍ଷର ସମ୍ମୁଖିନ ହୋଇଥିଲେ। ପ୍ରତିପକ୍ଷ ଲି ସିଆନଙ୍କୁ ୧୧-୮, ୮-୧୧, ୧୧-୨, ୬-୧୧, ୧୧-୫ ପଏଣ୍ଟରେ ଜିତି ସେମିଫାଇନାଲ ରାସ୍ତା ସଫା କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଭାରତ ପ୍ରତିପକ୍ଷ ନାଇଜେରିଆକୁ ବି ହରାଇଥିଲା। ଅର୍ଚ୍ଚନା ୬-୧୧, ୧୧-୪, ୧୧-୫, ୧୧-୮ ପଏଣ୍ଟରେ, ମନିକା ୬-୧୧, ୧୧-୪, ୧୧-୫, ୧୧-୮ ପଏଣ୍ଟରେ ଏବଂ ସୁତିର୍ଥା ମୁଖାର୍ଜୀ ୧୧-୪, ୧୧-୮, ୧୧-୮ ପଏଣ୍ଟରେ ଜିତି ଭାରତକୁ ପ୍ରତିଯୋଗିତାର ଶକ୍ତିଶାଳୀ ଦଳ ଭାବେ ପ୍ରମାଣିତ କରିଥିଲେ।

ଭାରତ ପୁରୁଷ ଦଳ ବି ଆଜି ଦମଦାର ପ୍ରଦର୍ଶନ କରିଛି। ପ୍ରଥମ ରାଉଣ୍ଡରେ ଦଳ ଶ୍ରୀଲଙ୍କାକୁ ୩-୦ ସେଟରେ ହରାଇଥିଲା। ଅମଲରାଜ ପ୍ରତିପକ୍ଷ କ୍ରୀଷ୍ଣାଙ୍କୁ ୧୧-୫, ୧୧-୬, ୧୧-୩ ସେଟରେ  ଏବଂ ଜି ସାଥିୟାନ୍ ୧୧-୫, ୧୧-୩, ୧୧-୪ ପଏଣ୍ଟରେ ଜୟସିଂଘିକୁ ସହଜରେ ହରାଇଥିଲେ। ତୃତୀୟ ଖେଳାଳି ଭାବେ ମାନବ ଠକ୍କର କଡ଼ା ପ୍ରତିଯୋଗିତାର ସମ୍ମୁଖିନ ହୋଇଥିଲେ। ପ୍ରଥମ ସେଟରେ ୮-୧୧ ପଏଣ୍ଟରେ ଶ୍ରୀଲଙ୍କାର ମିଲିନ୍ଦା ଲକ୍ସିଥାଙ୍କଠାରୁ ହାରିଯାଇଥିଲେ। ପରେ ୧୧-୪, ୧୧-୮ ପଏଣ୍ଟରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ଯାହାଫଳରେ ତାଙ୍କ ବିଜୟ ସମ୍ଭବ ହୋଇଥିଲା।

ଭାରତ ଦ୍ୱିତୀୟ ମ୍ୟାଚରେ ମାଲେସିଆକୁ ୩-୦ ସେଟରେ ମାତ୍ ଦେଇଥିଲା। ଅମଲରାଜ ପ୍ରଥମ ମ୍ୟାଚରେ ପ୍ରତିପକ୍ଷ ଫେଙ୍ଗ୍ ଚି ଲିଲଞ୍ଜଙ୍କୁ ୭-୧୧, ୧୨-୧୦, ୧୧-୭, ୧୧-୮ ପଏଣ୍ଟରେ ହରାଇଥିଲେ। ପରେ ଶରତ କମଲ୍ ୧୧-୯, ୧୧-୮, ୧୧-୭ ରେ ମହମ୍ମଦ ରିଜାଲଙ୍କୁ, ହରମିତ୍ ୧୧-୨, ୧୧-୪, ୧୧-୪ ପଏଣ୍ଟରେ ସେନ୍ ୱଙ୍ଗଙ୍କୁ ପରାସ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here