ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ସହିଦଭବନରେ ୨୩ତମ ରୁଚି ପ୍ରତିଭା ସମ୍ମାନ ସମାରୋହ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା। ରୁଚି ପ୍ରତିଭା ପାଉଣ୍ଡେଶନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏହି ସମାରୋହକୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉଦ୍‌ଘାଟନ କରିଥିଲେ।

ଏହି ସମାରୋହରେ ବିଭିନ୍ନ କ୍ଷେତ୍ରରେ ପ୍ରତିଭା ଅଜର୍ନ କରିଥିବା ମୋଟ୍ ୧୦ ଜଣ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ତିନିଜଣ ପଦ୍ମଶ୍ରୀ ସମ୍ମାନର ଅଧିକାରୀ କୋରାପୁଟର ମହିଳା କୃଷିବିତ୍ କମଳା ପୂଜାରୀ, ଦୈତାରୀ ନାଏକ, କଟକର ସମାଜସେବୀ ଡକ୍ଟର ଡି ପ୍ରକାଶ ରାଓଙ୍କୁ ରୁଚି ଦେଶଜ୍ୟୋତି ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଦିଲ୍ଳୀର ଓଡ଼ିଆ ସାମ୍ବାଦିକ ଦୀପକ କୁମାର ରଥଙ୍କୁ ରୁଚି ଗୋପବନ୍ଧୁ ସାମ୍ବାଦିକ ସମ୍ମାନ, ଓଡ଼ିଶାର ଆଇଏଏସ୍ ଟପ୍ପର ଅନ୍ୟା ଦାସଙ୍କୁ ରୁଚି ବିଦ୍ୟାସାଗର ସମ୍ମାନ, କ୍ରିକେଟର୍ ରାଜେଶ ମହାନ୍ତିଙ୍କୁ ରୁଚି ବାରବାଟୀ କ୍ରୀଡ଼ା ସମ୍ମାନ ପ୍ରଦାନ କରାଯାଇଥିଲା।

ଚଳିତବର୍ଷର ମାଟ୍ରିକ ଟପ୍ପର ଶିବପ୍ରସାଦ ପାଣି, ଯୁକ୍ତ ୨ କଳା, ବିଜ୍ଞାନ,ବାଣିଜ୍ୟ ଟପ୍ପର ଶିବାନୀ ପ୍ରିୟଦର୍ଶନୀ ପତ୍ରୀ, ଭବାନୀ ଶଙ୍କର ପଟ୍ଟନାୟକ,  ଲକ୍ଷ୍ମୀ ଅଗ୍ରୱାଲ୍‌ଙ୍କୁ ରୁଚି ପ୍ରତିଭା ସମ୍ମାନରେ ସମ୍ମାନିତ କରାଯାଇଥିଲା। ସମ୍ମାନିତ ପ୍ରତିଭାମାନଙ୍କୁ ଉତ୍ତରୀୟ, ସମ୍ମାନ ଫଳକ ସମତେ ୧୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା।

ରୁଚି ପ୍ରତିଭା ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ଶରତ କୁମାର ସାହୁ ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ।

ପୂର୍ବତନ ଆୟକର ମହାନିର୍ଦ୍ଦେଶକ ବିଧୁଭୂଷଣ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସମାରୋହରେ ରୁଚିର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ରଶ୍ମି ସାହୁ ଓ ସଲିନା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Comment