ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ଚାଲିଥାଏ କାରଗିଲ୍ ଯୁଦ୍ଧ। ସାରା ଦେଶରେ ଭୟର ବାତାବରଣ ଥାଏ। ମେ’ ମାସ ୨୮ତାରିଖ ସନ୍ଧ୍ୟା ସମୟ। ଚୌଦ୍ୱାର ଅଞ୍ଚଳର କୃଷ୍ଣ ଚନ୍ଦ୍ର ସାହୁଙ୍କ ପାଖକୁ ହଠାତ୍ ଉତ୍ତର ପ୍ରଦେଶରୁ ଟେଲିଫୋନ୍ ଆସିଲା। କୁହାଗଲା, କାର୍‌ଗିଲ୍‌ ଯୁଦ୍ଧରେ ସାମିଲ୍ ତାଙ୍କ ପୁଅ ରାଜକିଶୋର ଥିବା ହେଲିକପ୍ଟରଟି ନିଖୋଜ ଅଛି।

ବାସ୍ ଏତିକି ଖବରରୁ କୃଷ୍ଣଚନ୍ଦ୍ର ଜାଣିଯାଇଥିଲେ ଯେ ତାଙ୍କ ପୁଅ ରାଜକିଶୋର ଆଉ ଏ ଦୁନିଆରେ ନାହାନ୍ତି। ଘଟଣାକୁ ୨୦ ବର୍ଷ ବିତି ଯାଇଛି। କିନ୍ତୁ ଏବେ ବି ସେହି କଥା ମନେ ପକାଇଲେ କୃଷ୍ଣଚନ୍ଦ୍ରଙ୍କ ହୃଦୟ କୋହରେ ଫାଟିପଡୁଛି। ଆଖିରୁ ଧାର ଧାର ଲୁହ ଝରିପଡୁଛି।

କାରଗିଲ୍ ଯୁଦ୍ଧରେ ସହିଦ ହୋଇଥିବା ଚୌଦ୍ୱାର ଅଞ୍ଚଳର ରାଜକିଶୋର ସାହୁ ୧୯୭୧ ମସିହା ଜୁଲାଇ ୨୯ତାରିଖରେ ଜନ୍ମ ଗ୍ରହଣ କରିଥିଲେ। କୃଷ୍ଣ ଚନ୍ଦ୍ର ସାହୁ ଓ ନିରୁପମା ସାହୁଙ୍କର ୨ପୁଅ ଓ ୨ଝିଅଙ୍କ ମଧ୍ୟରୁ ରାଜକିଶୋର ଥିଲେ ବଡପୁଅ।

କୃଷ୍ଣ ଚନ୍ଦ୍ର ପୋଷ୍ଟାଲରେ ଚାକିରୀ କରିଥିବାରୁ ତାଙ୍କର ଚାକିରୀକାଳର ୧୪ ବର୍ଷ କଟିଥିଲା ଫୁଲବାଣୀରେ। ରାଜକିଶୋରଙ୍କ ପିଲାଦିନ ମଧ୍ୟ ଫୁଲବାଣୀରେ ବିତିଥିଲା। ଏ.ଜେ.ଓ ହାଇସ୍କୁଲରେ ରାଜକିଶୋର ପଢୁଥିବା ବେଳେ ବାପା କୃଷ୍ଣ ଚନ୍ଦ୍ର ପଳାଇ ଆସିଥିଲେ ଚୌଦ୍ୱାର ମାଟିକୁ । ରାଜକିଶୋର ଚୌଦ୍ୱାର ମ୍ୟୁନିସିପାଲିଟି ହାଇସ୍କୁଲରେ ନାମ ଲେଖାଇଥିଲେ। ଏହି ସ୍କୁଲରୁ ହିଁ ସେ ମାଟ୍ରିକ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ  ହୋଇଥିଲେ।

ଏହାପରେ ଢେଙ୍କାନାଳ କଲେଜରେ ଗ୍ରାଜୁଏସନ୍ ସାରିବା ପରେ ୧୯୮୯ରେ ଏୟାର ଫୋର୍ସରେ ଚାକିରୀ ପାଇଁ ମାଡ୍ରାସ୍ ତାମ୍ୱରମଠାରେ ଟ୍ରେନିଂ ନେଇଥିଲେ। ପରେ ଦିଲ୍ଲୀ ହିଣ୍ଡନ୍ ଏୟାରବେସ୍‌ରେ କାର୍ଯ୍ୟ କରୁଥିଲେ ରାଜକିଶୋର।

୧୯୯୯ ମେ’ ୨୮ରେ ଭାରତୀୟ ସେନାର ୪ ଜଣ ଯବାନଙ୍କୁ ନେଇ ରାଜକିଶୋର ତାଙ୍କ ହେଲିକପ୍ଟରରେ ଯାଉଥିଲେ। ହେଲେ ପାକିସ୍ତାନୀ ସେନାଙ୍କ କମାଣ ମାଡ଼ରେ ହେଲିକପ୍ଟର ଧ୍ୱଂସ ହୋଇଗଲା। ତା’ ମଧ୍ୟରେ ଥିଲେ ରାଜକିଶୋର। କିନ୍ତୁ ଏୟାରଫୋର୍ସ ତରଫରୁ ବିମାନ ନିଖୋଜ ଥିବା କଥା କୁହାଯାଉଥିଲା। ହେଲେ ୩୦ ତାରିଖ ୧.୩୦ମିନିଟରେ ଜଣାପଡ଼ିଲା ରାଜକିଶୋର ଆଉ ନାହାନ୍ତି। ଆର୍ମି କ୍ୟାମ୍ପରୁ ରାଜକିଶୋର ଚିତାଭଷ୍ମ ଆସିଥିଲା ଚୌଦ୍ୱାରକୁ। କୃଷ୍ଣଚନ୍ଦ୍ର ପୁଅର ଚିତାଭଷ୍ମ ଧରି କହିଥିଲେ, ‘‘ଦେଶ ପାଇଁ ମୋ ପୁଅ ସହିଦ ହୋଇଥିବାରୁ ମୁଁ ଗର୍ବିତ’’।

କାରଗିଲ ଯୁଦ୍ଧକୁ ୨୦ ବର୍ଷ ବିତିଯାଇଛି। ଦେଶ ପାଇଁ ଜୀବନ ଦେଇଥିବା ରାଜକିଶୋରଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ନିକଟରୁ ମିଳିଥିଲା ପେଟ୍ରୋଲ ପମ୍ପ କରିବା ପାଇଁ ଲାଇସେନ୍ସ ଦିଆଯାଇଛି। ଏହାସହ ରାଜ୍ୟ ସରକାର ୨ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିଥିଲେ। ଭୁବନେଶ୍ୱର ଚନ୍ଦକା ଅଞ୍ଚଳରେ ରାଜକିଶୋରଙ୍କ ପରିବାରକୁ ଜାଗା ମଧ୍ୟ ପ୍ରଦାନ କରାଯାଇଛି।

ଏତେ ସବୁ ପରେ ସହିଦ ରାଜକିଶୋରଙ୍କୁ ଭୁଲିଗଲା ଚୌଦ୍ୱାର ପୌରପାଳିକା। ଆଜି ପର୍ଯ୍ୟନ୍ତ ରାଜକିଶୋରଙ୍କ ଚୌଦ୍ୱାରରେ କୌଣସି ସ୍ଥାନରେ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇନାହିଁ। ବାପା କୃଷ୍ଣ ଚନ୍ଦ୍ର ନିଜେ ପୁଅ ରାଜକିଶୋରର ଏକ ପ୍ରତିମୂର୍ତ୍ତି ଚୌଦ୍ୱାରର ୫୫ ନମ୍ବର ଜାତୀୟ ରାଜପଥ କଡରେ ଥିବା ପେଟ୍ରୋଲ ପମ୍ପ ନିକଟରେ ପ୍ରତିଷ୍ଠା କରିଛନ୍ତି।

Comment