ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭରସିଟି)ର ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସ ପକ୍ଷରୁ ବିଶ୍ଵ ହେପାଟାଇଟ୍ସ ଦିବସ ପାଳନ କରାଯାଇଥିଲା।
ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୋଆ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର କୁଳପତି ପ୍ରଫେସର ଅମିତ ବାନାର୍ଜୀ ଅଧ୍ୟକ୍ଷତା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କର ହେପାଟାଇଟିସ୍ ‘ବି’ ସ୍କ୍ରିନିଂ ଏବଂ ଚିକିତ୍ସା ମାଗଣାରେ କରାଯାଇଥିଲା। ଏହି ସଭା ପୂର୍ବରୁ ହେପାଟାଇଟ୍ସ ‘ବି’ ରୋଗ ସମ୍ପର୍କିତ ଏକ ସଚେତନତା ରାଲି ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଆୟୋଜନ କରାଯାଇଥିଲା।

ସମ୍ ହସ୍ପିଟାଲରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ମୁଖ୍ୟ ଡକ୍ଟର ମନୋଜ କୁମାର ସାହୁ କହିଥିଲେ, ‘‘ହେପାଟାଇଟ୍ସ ଦ୍ୱାରା ଯକୃତ ଭଳି ଆକ୍ରାନ୍ତ ହୋଇଥାଏ। ହେପାଟାଇଟ୍ସ ‘ବି’ ଏବଂ ‘ସି’ ସବୁଠାରୁ ମାରାତ୍ମକ। ଖାଦ୍ୟ ଏବଂ ଜଳ ପ୍ରଦୂଷଣ ଦ୍ୱାରା ହେପାଟାଇଟିସ୍ ‘ଏ’ ଏବଂ ‘ଇ’ ସଂକ୍ରମଣ ହୋଇଥାଏ। ଦୂଷିତ ରକ୍ତ କିମ୍ବା ଶରୀର ମଧ୍ୟକୁ ପ୍ରବେଶ କଲେ ହେପାଟାଇଟିସ୍ ‘ବି’, ‘ସି’ ଏବଂ ‘ଡି’ ରୋଗ ହୋଇଥାଏ। ପ୍ରଦୂଷିତ ରକ୍ତ ଶରୀର ମଧ୍ୟକୁ ପ୍ରବେଶ କରିବା, ଚିକିତ୍ସା ସମୟରେ ପ୍ରଦୂଷିତ ଯନ୍ତ୍ରପାତି ବ୍ୟବହାର କରିବା, ଇଞ୍ଜେକ୍ସନ୍ ଦେବା ପାଇଁ ବ୍ୟବହାର ଛୁଞ୍ଚି ବା ସେଭିଂ ବ୍ଲେଡ୍କୁ ଅନେକ ଜଣ ବ୍ୟବହାର କରିବା ଫଳରେ ହେପାଟାଇଟିସ୍ ଭାଇରସ୍ ମଣିଷ ଶରୀରରେ ପ୍ରବେଶ କରିଥାଏ।’’
୧୯୮୨ ମସିହାରୁ ହେପାଟାଇଟିସ୍ ‘ବି’ର ପ୍ରତିରୋଧ ନିମନ୍ତେ ଟୀକା ଉପଲବ୍ଧ ହେଲାଣି ଯାହାକି ଏହି ସଂକ୍ରମଣକୁ ସଂପୂର୍ଣ୍ଣ ଭାବେ ରୋକି ପାରିବ। ଏହି ଟୀକା ଯେକୌଣସି ବ୍ୟକ୍ତିଙ୍କୁ ଯେଉଁ ବୟସର ଏପରିକି ଗର୍ଭବତୀ ମହିଳାଙ୍କୁ ମଧ୍ୟ ଦିଆଯାଇ ପାରିବ। ଯଦିଓ ହେପାଟାଇଟିସ୍ ‘ସି’ ପାଇଁ କୌଣସି ଟୀକା ନାହିଁ ତେବେ ତିନି ମାସ ଧରି ଗୋଟିଏ ଟାବଲେଟ୍ ସେବନ କଲେ ଏହି ସଂକ୍ରମଣରୁ ମୁକ୍ତି ମିଳିପାରିବ ବୋଲି ସେ କହିଥିଲେ।

ସୋଆ କୁଳପତି ପ୍ରଫେସର ବାନାର୍ଜୀ କହିଥିଲେ ଯେ ରାଜ୍ୟରେ ହେପାଟାଇଟ୍ସ ରୋଗର ନିରାକରଣ ନିମନ୍ତେ ସୋଆ ନିରନ୍ତର ଚେଷ୍ଟା ଚଲାଇଛି। ପିଲାମାନଙ୍କୁ ହେପାଟାଇଟ୍ସ ମୁକ୍ତ କରିବା ପାଇଁ ସ୍କ୍ରିନିଂ ଏବଂ ଟୀକାକରଣ ଉଦ୍ଦେଶ୍ୟରେ ସୋଆ ଆଦିବାସୀ ହେପାଟାଇଟ୍ସ ମିଶନ୍ ପ୍ରକଳ୍ପ ଆରମ୍ଭ କରାଯାଇଛି। ଏହି ହସ୍ପିଟାଲ୍ ହେପାଟାଇଟିସ୍ ‘ସି’ ରୋଗୀମାନଙ୍କର ମାଗଣା ଚିକିତ୍ସା କରିବା ନିମନ୍ତେ ମଧ୍ୟ ଲକ୍ଷ୍ୟ ରଖିଛି ।
ଏହି ଅବସରରେ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଣ୍ଟ ପୁଷ୍ପରାଜ ସାମନ୍ତସିଂହାର, ଆଇଏମ୍ଏସର ଆଡିସ୍ନାଲ୍ ଡିନ୍ ଡକ୍ଟର ଅଜୟ କୁମାର ଜେନା, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର ଡକ୍ଟର ଜିମି ନାରାୟଣ ବକ୍ତବ୍ୟ ରଖିଥିଲେ। ହେପାଟାଇଟିସ୍ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ନାଟକ ମଧ୍ୟ ପରିବେଷଣ କରାଯାଇଥିଲା।

















