ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ପଟାମୁଣ୍ଡାଇ କଲେଜ ମଧ୍ୟରେ ଗୁରୁବାର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ବଳରେ କଲେଜର ଫ୍ୟାକଲ୍ଟି ମେମ୍ବର୍‌ମାନେ ପୁର୍ଣ୍ଣକାଳୀନ ଏବଂ ସାମୟିକ ଭାବେ ସୋଆରେ ଗବେଷଣା ଏବଂ ପିଏଚ୍‌ଡି କରିପାରିବେ।

ବୁଝାମଣା ଅନୁଯାୟୀ କଲେଜର ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ସୋଆରେ ବିଭିନ୍ନ ସୁବିଧା ଏବଂ ଲାଇବ୍ରେରୀ ବ୍ୟବହାର ନିମନ୍ତେ ସୁଯୋଗ ପାଇପାରିବେ। ସେହିପରି ସୋଆର ଫ୍ୟାକଲ୍ଟିମାନେ ପଟାମୁଣ୍ଡାଇ କଲେଜର ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ‘ଆଡ ଅନ୍‌’ କୋର୍ସର ସୁବିଧା ଯୋଗାଇଦେବେ। କମ୍ପ୍ୟୁଟର ଶିକ୍ଷା କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ।

ନାକ୍ ସମେତ ବିଭିନ୍ନ ସ୍ୱୀକୃତି ନିମନ୍ତେ ସୋଆ ପକ୍ଷରୁ କଲେଜକୁ ପ୍ରସ୍ତୁତ କରାଯିବ। ସୋଆ ପକ୍ଷରୁ କଲେଜର ଛାତ୍ରଛାତ୍ରୀମାନଙ୍କର ପ୍ଲେସ୍‌ମେଣ୍ଟ ନିମନ୍ତେ ତାଲିମ କାର୍ଯ୍ୟକ୍ରମ କରାଯିବ।

ସୋଆ ସହଯୋଗରେ ପଟାମୁଣ୍ଡାଇ କଲେଜରେ ମଧ୍ୟ ଏନ୍‌ଏସ୍‌ଏସ୍ ଏବଂ ଯୋଗ ସମ୍ବନ୍ଧୀୟ କାର୍ଯ୍ୟ ପରିଚାଳନା କରାଯିବ। କଲେଜରେ ଯୋଗ ଏବଂ ସ୍ୱାସ୍ଥ୍ୟ ସଚେତନତା ସମ୍ବନ୍ଧୀୟ ଏକ ଉତ୍କର୍ଷ କେନ୍ଦ୍ର ମଧ୍ୟ ଆରମ୍ଭ କରାଯିବ। ସେହିପରି ସୋଆ ପକ୍ଷରୁ କଲେଜର ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବା ସହିତ ସ୍ଥାନୀୟ ବରିଷ୍ଠ ନାଗରିକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯିବ।

ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋରଞ୍ଜନ ନାୟକଙ୍କ ଉପସ୍ଥିତିରେ ପ୍ରୋ-ଭାଇସ୍‌ଚାନ୍‌ସେଲର ପ୍ରଫେସର ପି.କେ. ନନ୍ଦ ଏବଂ ପଟାମୁଣ୍ଡାଇ କଲେଜର ଅଧ୍ୟକ୍ଷ ପ୍ରଫେସର ଅଧିକାରୀ ଲକ୍ଷ୍ମୀନାରାୟଣ ଦାସ ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସୋଆ ରେଜିଷ୍ଟ୍ରାର୍ ପ୍ରଫେସର ବି.ବି. ପ୍ରଧାନ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଚିଫ୍ ଆଡମିନିଷ୍ଟ୍ରେଟିଭ ଅଫିସର ପି.କେ. ପଣ୍ଡା ଏବଂ ଫ୍ୟାକଲ୍ଟି ମେମ୍ବର ପ୍ରଫେସର ଲକ୍ଷ୍ମୀଧର ମହାରଣା ଓ ଡଃ ଚିନ୍ମୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ପଟାମୁଣ୍ଡାଇ କଲେଜ ପକ୍ଷରୁ ଡଃ ଦୁଃଶାସନ ପରିଡା, ପ୍ରଫେସର ଦିଲୀପ କୁମାର ଭୂୟାଁ ଓ ପ୍ରଫେସର ଅରବିନ୍ଦ ପାଣ୍ଡବ ଉପସ୍ଥିତ ଥିଲେ।

Comment