ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାକିସ୍ତାନ ଜେଲ୍‌ରେ ବନ୍ଦି ଥିବା ଭାରତୀୟ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ କନ୍‌ସୁଲାର ଆକ୍ସେସ୍‌ ବା ଦୂତାବାସ ସହାୟତାକୁ ଭାରତ ଖାରଜ କରିଛି। କୁଳଭୂଷଣଙ୍କୁ ଦୂତାବାସ ସହାୟତା ଯୋଗାଇ ଦେବାବେଳେ ଭାରତୀୟ ଅଧିକାରୀଙ୍କ ପାଖରେ ପାକିସ୍ତାନୀ ଅଧିକାରୀ ରହିବେ ବୋଲି ପାକିସ୍ତାନ ସର୍ତ୍ତ ରଖିଥିଲା। ତେବେ ଭାରତ ଏହାକୁ ସ୍ୱୀକାର କରିନଥିବା ବେଳେ କୁଳଭୂଷଣ ନିଃସର୍ତ୍ତ ଦୂତାବାସ ସହାୟତା ଯୋଗାଇ ଦେବାକୁ ଦାବି କରିଛି।

ଭାରତୀୟ ସମୟ ଅନୁଯାୟୀ, ଶୁକ୍ରବାର ଅପରାହ୍‌ଣ ୩ଟାରେ ଭାରତୀୟ ଅଧିକାରୀ ଇସ୍‌ଲାମାବାଦ ଯାଇ କୁଳଭୂଷଣ ଯାଦବଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ କୁଳଭୂଷଣଙ୍କୁ ଭେଟିବା ସମୟରେ ଭାରତୀୟ ଦୂତାବାସ ଅଧିକାରୀଙ୍କ ସହ ପାକ୍‌ ଅଧିକାରୀ ରହିବେ ବୋଲି ପାକିସ୍ତାନ ସର୍ତ୍ତ ରଖିଥିଲା।ଏମିତିକି ସାକ୍ଷାତ କରିବା ଗୃହରେ ସିସିଟିଭି କ୍ୟାମେରା ଲାଗିବ ବୋଲି ପାକିସ୍ତାନ ସର୍ତ୍ତ ରଖିଥିଲା। ଏହି ସର୍ତ୍ତରେ ଭାରତ ରାଜି ହୋଇନଥିବାରୁ ଶେଷ ମୁହୂର୍ତ୍ତରେ ପାକିସ୍ତାନ କୁଳଭୂଷଣଙ୍କ ଦେଉଥିବା କନ୍‌ସୁଲାର ଆକ୍ସେସ୍‌କୁ ଭାରତ ଖାରଜ କରିଛି।

ଗତ ଜୁଲାଇ ୧୭ରେ ଇଣ୍ଟରନ୍ୟାସନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌(ଆଇସିଜେ) କୁଳଭୂଷଣଙ୍କ ନାଁ ପାକିସ୍ତାନ ଶୁଣାଇଥିବା ମୃତ୍ୟୁ ଦଣ୍ଡା ଉପରେ ରୋକ୍‌ ଲଗାଇଥିଲେ। ଅନ୍ୟପକ୍ଷରେ ଜେନିଭା ଚୁକ୍ତି ଅନୁଯାୟୀ, କୌଣସି ବିଦେଶୀ ଦେଶର ନାଗରିକଙ୍କୁ ଗିରଫ କଲେ କନ୍‌ସୁଲାର ଆକ୍ସେସ୍‌ ବା ଦୂତାବାସ ସହାୟତା ଯୋଗାଇଦିଆଯାଏ। ତେବେ ଏହାକୁ ମାନି ନଥିବାରୁ ଆଇସିଜେ ପାକିସ୍ତାନକୁ ନିନ୍ଦା କରିଥିଲା। ଏହାପରେ ପାକିସ୍ତାନ କୁଳଭୂଷଣଙ୍କୁ କନ୍‌ସୁଲାର ଆକ୍ସେସ୍‌ ଯୋଗାଇ ଦେବାକୁ ରାଜି ହୋଇଥିଲା।

Comment