ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଥାଇ ମଧ୍ୟ ଜମ୍ମୁ କଶ୍ମୀର ଯେଉଁ ରାଜନୈତିକ ସ୍ୱତନ୍ତ୍ରତା ରଖିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଭାରତ ପାଇଁ ଏହା ଏକ ଐତିାହାସିକ ବିଷୟ।

ସ୍ୱାଧୀନତା ପରଠାରୁ ଜମ୍ମୁ କଶ୍ମୀର ଯେଉଁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଥିଲା ସେଥିରେ ଆଜି ପୂର୍ଣ୍ଣଚ୍ଛେଦ ପଡ଼ିଛି। ଅର୍ଥାତ ମୋଦି ସରକାର ଜମ୍ମୁ କଶ୍ମୀର ପ୍ରସଙ୍ଗରେ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରାଯାଇଛି।

ନୂଆ ନିଷ୍ପତ୍ତି ଅନୁସାରେ ଜମ୍ମୁ କାଶ୍ମୀର ଆଉ ସ୍ୱତନ୍ତ୍ର ରାଜ୍ୟ ରହିବ ନାହିଁ। ବିଧାନସଭା ବ୍ୟବସ୍ଥା ଥିବା କେନ୍ଦ୍ର ଶାସିତ ଅଞ୍ଚଳ ହେବ ଜମ୍ମୁ କଶ୍ମୀର।

ଜମ୍ମୁ କଶ୍ମୀରର ଆଇନ ଶୃଙ୍ଖଳା ନିୟନ୍ତ୍ରଣ କେନ୍ଦ୍ର ସରକାରଙ୍କ ହାତରେ ରହିବ। ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ଭଳି ଜମ୍ମୁ କଶ୍ମୀରରେ ସମାନ ବ୍ୟବସ୍ଥା ରହିବ। ଆତଙ୍କବାଦୀ ଅନୁପ୍ରବେଶକୁ ରୋକିବାକୁ ଜମ୍ମୁ କଶ୍ମୀରକୁ କେନ୍ଦ୍ରଶାସିତ ଅଞ୍ଚଳ କରାଯାଇଥିବା କହିଛନ୍ତି ଶାହ।

ସେହିପରି ଆଉ ଏକ ବଡ଼ ନିଷ୍ପତ୍ତି ହେଲା ଜମ୍ମୁ କଶ୍ମୀରଠାରୁ ଲଦାଖ ମଧ୍ୟ ଅଲଗା ହୋଇଛି। ଲଦାଖକୁ ଅଲଗା କରି କେନ୍ଦ୍ରଶାସିତ ଅଞ୍ଚଳ କରିବାକୁ ନିଷ୍ପତ୍ତି ହୋଇଛି। ତେବେ କେନ୍ଦ୍ରଶାସିତ ଅଞ୍ଚଳ ହେଲେ ବି ଲଦାଖରେ ବିଧାନସଭା ରହିବ ନାହଁ।

ଗୃହମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟସଭାରେ ୩୭୦ ଧାରା ଉଚ୍ଚେଦ ପାଇଁ ବିଲ୍‌ ଉପସ୍ଥାପନ କରିଥିଲେ। ଏହି ବିଲ୍‌କୁ ପୂର୍ବରୁ ହିଁ ରାଷ୍ଟ୍ରପତିଙ୍କ ମଞ୍ଜୁରି ମିଳି ସାରିଥିଲା। ଶାହଙ୍କ ବିଲ୍‌ ଉପସ୍ଥାପନ ସମୟରେ ବିରୋଧୀ ପ୍ରବଳ ହଙ୍ଗାମା କରିଥିଲେ।

ଏହି ଐତିହାସିକ ନିଷ୍ପତ୍ତି ପରେ ଅନ୍ତର୍ଜାତୀୟ ରାଜନୀତିରେ ଭାରତ ଆହୁରି ଶକ୍ତିଶାଳୀ ହେବ। ଅନ୍ତର୍ଜାତୀୟ ସମୁଦାୟ ମଧ୍ୟ ଭାରତକୁ ସମର୍ଥନ କରିବେ ବୋଲି ଆଶା କରାଯାଉଛି।

ଧାରା ୩୭୦ କ’ଣ?

ଭାରତର ସମ୍ବିଧାନ ୩୭୦ ଧାରାରେ ଅନୁଚ୍ଛେଦ ୩୫(ଏ) ଅନୁସାରେ କାଶ୍ମୀରରେ ରହୁଥିବା ଅସ୍ଥାୟୀ ବାସିନ୍ଦା କଶ୍ମୀରରେ ଜମି କିଣିପାରିବେ ନାହିଁ। ଭାରତର ଅନ୍ୟ କୌଣସି ରାଜ୍ୟ ନିବାସୀ ଜମ୍ମୁ କଶ୍ମୀର ସ୍ଥାୟୀ ନିବାସୀ ହୋଇପାରିବେ ନାହିଁ। ସେହିପରି ଭାରତୀୟ ସମ୍ବିଧାନର ଧାରା ୩୭୦ ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିଲା।

Comment