ଓଡ଼ିଶାଲାଇଭ୍ ବ୍ୟୁରୋ

ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବର୍ତ୍ତମାନ ସୁଦ୍ଧା ୩୧୭ ମିଳିଲିଟର ବର୍ଷା ରେକର୍ଡ କରାଯାଇଛି। ଅନେକ ସ୍ଥାନରେ ଛୋଟବଡ଼ ବ୍ରିଜ୍ ଧୋଇ ହୋଇଯାଇଥିବା ବେଳେ ରେଳପଥରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ଫଳରେ ଅମ୍ବାଦୋଳା ଷ୍ଟେସନ୍ ନିକଟରେ ମାଲବୋଝେଇ ଟ୍ରେନ୍ ଦୁର୍ଘଟଣା ଘଟି ୭ଟି ବଗି ଟ୍ରାକରୁ ଅଲଗା ହୋଇଯାଇଛି। ଫଳରେ ରାୟଗଡ଼ାରୁ ଅନେକ ଟ୍ରେନ୍‌କୁ ବାତିଲ କରାଯାଇଛି।

ଜିଲ୍ଲାର ଅନେକ ସ୍ଥାନରେ କେଉଁଠି ବନ୍ୟା ପାଣି ନାଳରେ ପ୍ରବେଶ କରି ବ୍ରିଜ୍‌ଗୁଡ଼ିକ ଧୋଇ ହୋଇଯାଇଛି ତ ଆଉ କେଉଁଠି ପୋଲ ଉପରେ ଦୁଇ ଫୁଟର ପାଣି ପ୍ରବାହିତ ହୋଇଛି।

ଜିଲ୍ଲାର ରାଉଲି ଓ ଭାଲୁମାସ୍କ ଅଞ୍ଚଳରେ ମାଟି ଅତଡ଼ା ଖସି ଟ୍ରେନ୍ ଚଳାଚଳ ବ୍ୟାହତ ହୋଇଛି। ରାୟଗଡ଼ାରୁ ସମ୍ବଲପୁର ମଧ୍ୟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି। ସମ୍ବଲପୁର ଡିଭିଜନର ଡିଆରଏମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଟ୍ରେନ୍ ଚଳାଚଳ ସ୍ଵାଭାବିକ ହେବାକୁ ସମୟ ଲାଗିବ ବୋଲି ସମ୍ବଲପୁର ଏଡିଆରଏମ୍ ସୂଚନା ଦେଇଛନ୍ତି।

ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏନେଇ ରେଳ ଡିଭିଜନ ପକ୍ଷରୁ ହେଲ୍ପଲାଇନ ନମ୍ଵର ଜାରି କରାଯାଇଛି। ସମ୍ଵଲପୁର ପକ୍ଷରୁ ୯୪୩୭୩୮୬୭୫୯ ହେଲ୍ପଲାଇନ ନମ୍ଵର ଓ ଟିଟିଲାଗଡ଼ ପକ୍ଷରୁ ୮୪୫୫୮୯୨୮୩୧/୯୪୩୭୩୮୬୬୯୩ ହେଲ୍ପଲାଇନ ନମ୍ବର ରହିଛି।

ଅନ୍ୟପଟେ ଲଗାଣବର୍ଷା ଫଳରେ ନାଗାବଳୀ, ବଂଶଧାରା ଓ କଲ୍ୟାଣୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କିଛି ଲୋକ ବନ୍ୟା ପାଣି ଘେରରେ ଥିଲେ। ସାନବ୍ରାହ୍ମଣ ସାହି, କେଉଟ ସାହି ଓ ପୁଇଗୁଡ଼ା ଗ୍ରାମର ଶତାଧିକ ପରିବାରକୁ ଓ ବିଷମକଟକର ୭୦ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି।

ଜରୁରୀକାଳୀନ ସ୍ଥିତି ପାଇଁ ଏକ ଓଡ୍ରାଫ ଟିମ୍‌ ସମସ୍ତ ପ୍ରକାର ଯନ୍ତ୍ରପାତି ସହ ଗୁଣୁପୁରରେ ସଜାଗ ଅଛନ୍ତି। ଯୋଗାଣ ବିଭାଗ ପକ୍ଷରୁ ବର୍ତ୍ତମାନ କଲ୍ୟାଣସିଂହପୁରର କିଛି ସ୍ଥାନରେ ଶୁଖିଲା ଖାଦ୍ୟ ମଧ୍ୟ ବଣ୍ଟନ କରାଯାଉଛି ବୋଲି ଅତିରିକ୍ତ ଯୋଗାଣ ଅଧିକାରୀ ସି ଏଚ ମୂରଲୀ କ୍ରିଷ୍ଣା ରାଓ କହିଛନ୍ତି।

Comment