ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଗାଣ ବର୍ଷାରେ ବେହାଲ ରାୟଗଡ଼ା ଜିଲ୍ଲା। କ୍ରମାଗତ ତିନି ଦିନ ଧରି ଲଗାଣ ବର୍ଷା ହେବା ଫଳରେ ରାୟଗଡ଼ା ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ସମୂଦାୟ ୮ ଟି ବ୍ଲକ ବନ୍ୟା ପ୍ରଭାବରେ ପ୍ରବାଭିତ ହୋଇଛି। ଅନେକ ସ୍ଥାନରେ ବ୍ରିଜ୍ ଧୋଇ ହୋଇଯାଇଥିବା ବେଳେ ଅନେକ ଘରର କାନ୍ଥ ଭୁଷୁଡ଼ି ପଡିଛି। ସେହିପରି ବନ୍ୟା ପାଣି ଶହ ଶହ ଏକର ଚାଷ ଜମିରେ ନଷ୍ଟ ହୋଇଯାଇଛି। ବନ୍ୟାରେ ସମ୍ପୂର୍ଣ୍ଣ ରାୟଗଡ଼ା ଜିଲ୍ଲାରେ ବ୍ୟପକ କ୍ଷୟକ୍ଷତି ହୋଇଥିବା ଲକ୍ଷ୍ୟ କରାଯାଉଛି।

ବିଶେଷ କରି ଲଗାଣ ବର୍ଷାରେ ରେଳ ଚଳାଚଳରେ ବାଧା ସୃଷ୍ଟି ହୋଇଥିବାରୁ ଯାତ୍ରୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆମ୍ବଦୋଳା ଷ୍ଟେସନ୍ ନିକଟରେ ଦୁଇଟି ରେଳଧାରଣା ଧୋଇ ହୋଇଯାଇଥିବାରୁ ରାୟଗଡ଼ା-ଟିଟଲାଗଡ ଦେଇ ଯାଉଥିବା ୯ଟି ଟ୍ରେନ୍‌କୁ ବାତିଲ କରାଯାଇଛି। ସମ୍ବଲପୁର ଡିଆର୍‌ଏମ୍ ଜୟଦୀପ ଗୁପ୍ତା ଘଟଣାସ୍ଥଳରେ ଉପସ୍ଥିତ ରହି ରେଳପଥ ଉଦ୍ଧାର କାମରେ ଲାଗିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲାର ସମସ୍ତ ୪ଟି ନଦୀ ନାଗାବଳୀ, ବଂଶଧାରା, ଝଞ୍ଜାବତୀ ଓ କଲ୍ୟାଣୀ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବଂଶଧାର ନଦୀର ପ୍ରଭାବରେ ଗୁଡ଼ାରୀ, ଗୁମୁଡ଼ା ଲିମାପଦର, ଗୁଣୁପୁରର ତଳି ଅଞ୍ଚଳ ବନ୍ୟା ଜଳ ଗାଁ ଭିତକୁ ପଶିଆସିଛି। ବନ୍ୟା ପ୍ରଭାବରୁ ଏହି ଅଞ୍ଚଳର ପାଖାପାଖି ୧୧୯୧ ପରିବାର ୩୧୦୭  ଜଣ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଲଗାଣ ବର୍ଷା ହେବା ଯୋଗୁଁ କାଶୀପୁର ବ୍ଲକ୍ ଅନ୍ତର୍ଗତ କଡ଼ିଗୁଡ଼ା ଗାଁ ନିକଟରେ ଥିବା ମରାନିଯୋଡ଼ି ପାହାଡ଼ରୁ ମାଟି ଅତଡ଼ା ଖସିଥିବା ସୂଚନା ମିଳିଛି। ଫଳରେ ପାହାଡ଼ ତଳେ ଥିବା ଚାଷଜମି ଗୁଡ଼ିକ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।

ସେହିପରି ଗୁଣୁପୁର ନିକଟରେ ବଂଶଧାରା ନଦୀଜଳ ବିପଦ ଶଙ୍କେତ ଉପରେ ପ୍ରବାହିତ ହେଉଛି। ଏହି ଅଞ୍ଚଳର ୧୨ଟି ପଞ୍ଚାୟତର ୨୪ ଗୋଟି ଗାଁ ଏହାର ବନ୍ୟା ଜଳରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନ ୩ଟି ସରକାରୀ ବୋଟ୍ ଏହି ଅଞ୍ଚଳରେ ନିୟୋଜିତ କରିଥିବା ସୂଚନା ମିଳିଛି।

ପ୍ରଶାସନ ପକ୍ଷରୁ ବନ୍ୟା ପ୍ରପୀଡ଼ିତ ରାୟଗଡ଼ା ଜିଲ୍ଲାର ୮ଟି ବ୍ଳକର ୨୧ଟି ସ୍ଥାନରେ ମାଗଣା ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ସେହିପରି ବନ୍ୟା ପରିସ୍ଥିତି ପାଇଁ ୭୬ କୁଇଣ୍ଟାଲ ଶୁଖିଲା ଖାଦ୍ୟ ମହଜୁଦ ରହିଥିବା ସୂଚନା ମିଳିଛି। ବନ୍ୟାଞ୍ଚଳରେ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବା ପାଇଁ ୨୩ଟି ଡାକ୍ତରୀ ଟିମ୍‌ ନିଯୁକ୍ତ ହୋଇଛନ୍ତି।

Comment