ଓଡ଼ିଶାଲାଇଭ୍‌ ବିଜିନେସ ବ୍ୟୁରୋ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ବାର୍ଷିକ ସମ୍ମିଳନୀରେ ମୁକେଶ ଅମ୍ବାନି ଏକ ନୂଆ ଘୋଷଣା କରି ଭାରତୀୟ ସିନେପ୍ରେମୀଙ୍କୁ ଚମକାଇ ଦେଇଛନ୍ତି। ଆଉ କିଛି ଦିନ ଭିତରେ ଜିଓ ସେବା ମାଧ୍ୟମରେ ଆପଣ ଘରେ ବସି ନିଜ ଟେଲିଭିଜନରେ ନୂଆ ଚଳଚ୍ଚିତ୍ରର ‘ଫାଷ୍ଟ ଡେ ଫାଷ୍ଟ ସୋ’ ଦେଖିପାରିବେ।

ଆସନ୍ତା ସେପ୍ଟେମ୍ବର ୫ ତାରିଖରୁ ଜିଓ ଗିଗା ଫାଇବରର ସେବା ଆରମ୍ଭ ହେଉଛି। ତା ସାଙ୍ଗକୁ ଜିଓ ପକ୍ଷରୁ ଏକ ସେଟ ଅପ୍‌ ବକ୍ସ ଦିଆଯାଉଛି। ଏହା ମାଧ୍ୟମରେ ଗ୍ରାହକମାନେ ନିଜ ପସନ୍ଦର ବିଭିନ୍ନ ଟେଲିଭିଜନ ଚ୍ୟାନେଲ ଏବଂ ସ୍ୱତନ୍ତ୍ର ଓଟିଟି ବା ଭିଡ଼ିଓ କଣ୍ଟେଣ୍ଟ ଦେଖିପାରିବେ। ତେବେ ୨୦୨୦ ମଧ୍ୟ ଭାଗରେ ଜିଓ ଗ୍ରାହକମାନେ ଘରେ ବସି ରିଲିଜ ହେଉଥିବା ବିଭିନ୍ନ ସିନେମାର ପ୍ରିମିୟର ସୋ ଦେଖିପାରିବେ। ଏଥିପାଇଁ କମ୍ପାନି ଯୋଜନା ପ୍ରସ୍ତୁତ କରିଛି।

ଜିଓ ସେଟ୍‌ ଅପ୍ ବକ୍ସର ଧମାକା

ଆଜିର ଡିଜିଟାଲ ସମୟରେ ସ୍ମାର୍ଟଫୋନ ଏବଂ ସ୍ମାର୍ଟ ଟିଭି ବ୍ୟବହାର କରି ଲୋକେ ନିଜ ପସନ୍ଦର ଭିଡ଼ିଓ କଣ୍ଟେଣ୍ଟ ଦେଖିଛନ୍ତି। ତା ଭିତରେ ରହିଛି ବିଭିନ୍ନ ଟେଲିଭିଜନ ଚ୍ୟାନେଲର ବିଭିନ୍ନ ସୋ ଏବଂ ଲାଇଭ୍‌ ଷ୍ଟ୍ରିମିଂ ଏବଂ ସୋସିଆଲ ମିଡିଆରେ ଆସୁଥିବା ଭିଡିଓ। ସେହିପରି ଗତ କିଛି ବର୍ଷ ମଧ୍ୟରେ ଓଭର ଦ ଟପ୍‌(ଓଟିଟି) ଏକ ନୂଆ ମିଡିଆ ଭାବରେ ମୁଣ୍ଡ ଟେକି ଉଠିଛି। ଆମାଜନ ପ୍ରାଇମ୍, ନେଟ୍‌ଫ୍ଲିକ୍ସ, ହଟ୍‌ଷ୍ଟାର ଭଳି ପ୍ଲାଟଫର୍ମ ଏହି ଓଟିଟି ବର୍ଗରେ ଆସୁଛନ୍ତି।

ତେବେ ଟେଲିଭଜନ, ସୋସିଆଲ ମିଡିଆ ଭିଡିଓ ଏବଂ ଓଟିଟି – ଏ ସମସ୍ତ ଭିଡିଓ ପ୍ଲାଟଫର୍ମକୁ ଏବେ ଗୋଟିଏ ଜାଗାକୁ ଆଣିବକୁ ବସିଛି ଜିଓ। ଅର୍ଥାତ୍‌ ଜଣେ ଗ୍ରାହକ ବା ଡିଜିଟାଲ ମିଡିଆ ୟୁଜର ଅଲଗା ଅଲଗା ଡିଭାଇଓ୍‌ ଏବଂ ଅଲଗା ଆପ୍ଲିକେଶନ ବ୍ୟବହାର ନକରି ଜିଓ ଗିଗା ଫାଇବର ଓ ସେଟ୍‌ ଅପ୍‌ ବକ୍ସ ଜରିଆରେ ଦେଶ ବିଦେଶର ପ୍ରମୁଖ ଭିଡିଓ ପ୍ଲାଟଫର୍ମର କଣ୍ଟେଣ୍ଟ ଦେଖିପାରିବେ।

ଜିଓ ଏମ୍‌ଆର ଝକାସ!

ଜିଓ ଫାଇବର ଓ ଜିଓ ସେଟ୍‌ ଅପ୍‌ ବକ୍ସ ପରେ ଆଗକୁ ଆସୁଛି ଜିଓ ଏମ୍‌ଆର୍‌। ଏମ୍‌ଆର୍‌ର ଅର୍ଥ ହେଉଛି ମିକ୍ସଡ୍‌ ରିଆଲିଟି। ଆପଣମାନେ ଅଗ୍‌ମେଣ୍ଟେଡ୍‌ ରିୟାଲିଟି(ଏଆର୍‌) ଏବଂ ଭର୍ଚୁଆଲ ରିଆଲିଟି(ଭିଆର୍‌) ବାବଦରେ ଜାଣିଥିବେ। ଏବେ ଜିଓ ଏହି ଦୁଇଟି ଅତ୍ୟାଧୁନିକ ଫିଚର୍‌କୁ ଯୋଡ଼ି ପ୍ରସ୍ତୁତ କରିଛି ମିକ୍ସଡ୍‌ ରିଆଲିଟି(ଏମ୍‌ଆର)। ଏହି ଏମ୍‌ଆର ହେଡ୍‌ସେଟ୍‌ ଲଗାଇ ନିଜ ଘର ଟିଭିରେ ଜଣେ ପାଇପାରିବେ ସିନେମା ହଲ୍‌ର ଅନୁଭୂତି। ଆଜି ଏହି ଘୋଷଣା କରିଛନ୍ତି ମୁକେଶଙ୍କ ପୁଅ ଆକାଶ ଏବଂ ଝିଅ ଈଶା।

 

କେବଳ ସିନେମା ନୁହେଁ, ଏହି ଅତ୍ୟାଧୁନିକ ଟେକ୍ନୋଲୋଜି ମାଧ୍ୟମରେ ଜଣେ ଦର୍ଶକ ୩ଡି ଭିଡିଓ ଦେଖିବା ସହ ଗେମିଂର ମଜା ନେଇପାରିବେ। ମନୋରଞ୍ଜନ ଓ ଶିକ୍ଷାଠାରୁ ସପିଂ ପର୍ଯ୍ୟନ୍ତ ଆଧୁନିକ ଜୀବନର ବିଭିନ୍ନ ଦିଗକୁ ଏବେ ଆକର୍ଷଣ କରିବ ଜିଓର ଏହି ଏମ୍‌ଆର ଫିଚର।

ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଅମ୍ବାନି ଓ ଝିଅ ଈଶା ଅମ୍ବାନି ମିକ୍ସଡ୍ ରିଆଲିଟି (ଏମ୍‌ଆର) ବାବଦରେ ଦର୍ଶାଇଥିଲେ। ଯାହାକୁ ଜିଓ ହୋଲୋ ବୋର୍ଡ କୁହାଯାଏ। ଏହାକୁ ଏକ ଷ୍ଟାର୍ଟ ଅଫ କମ୍ପାନି ପ୍ରସ୍ତୁତ କରିଛି। ଜିଓ ଏହି ଏମ୍‌ଆର ପ୍ରସ୍ତୁତ କରିବା ପାଇଁ ପୁଞ୍ଜି ନିବେଶ କରିଥିଲା। ଏହା ଏବେ ଖୁବ୍‌ଶୀଘ୍ର ମାର୍କେଟରେ ମିଳିବ।

Comment