ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଗ୍ରୁପର ବ୍ୟବସାୟ ଡିଜିଟାଲ, ରିଟେଲ ଏବଂ ଏନର୍ଜି କାଟାଗୋରି ହିସାବରେ ଅଲଗା ହେବ।

ନିଜ ବିଶାଳ ବ୍ୟବସାୟ ସାମ୍ରାଜ୍ୟର ଉତ୍ତରାଧିକାରୀ ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀ ନିଜ ତିନି ସନ୍ତାନଙ୍କୁ ଚୟନ କରିଛନ୍ତି।ନିଜ ପୁଅଝିଅଙ୍କୁ ସେ ବ୍ୟବସାୟିକ ଦାୟିତ୍ଵ ବାଣ୍ଟିଛନ୍ତି। ଗତ ବର୍ଷଠାରୁ ମୁକେଶ ଅମ୍ବାନୀ ଉତ୍ତରାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲେ।

ବଡ଼ ପୁଅ ଆକାଶ ଅମ୍ବାନୀଙ୍କୁ ପୂର୍ବରୁ ରିଲାଏନ୍ସ ଜିଓର ଦାୟିତ୍ଵ ମିଳିଥିବାବେଳେ ଝିଅ ଈଶା ଅମ୍ବାନୀ ରିଲାଏନ୍ସ ରିଟେଲ ବ୍ୟବସାୟ ବୁଝୁଛନ୍ତି। ଏବେ ସାନପୁଅ ଅନନ୍ତ ଅମ୍ବାନୀ ରିଲାଏନ୍ସର ‘ନ୍ୟୁ ଏନର୍ଜି’ ବ୍ୟବସାୟ କ୍ଷେତ୍ରକୁ ଓହ୍ଲାଇଛନ୍ତି। ନିଜ ତିନି ସନ୍ତାନଙ୍କ ମଧ୍ୟରେ ବ୍ୟବସାୟ ବାଣ୍ଟିବା ସହ ମୁକେଶ ଅମ୍ବାନୀ କହିଛନ୍ତି ତାଙ୍କ ଉତ୍ତରାଧିକାରୀଙ୍କଠାରେ ସେ ପିତା ଧୀରୁଭାଇ ଅମ୍ବାନୀଙ୍କୁ ଦେଖୁଛନ୍ତି। ଆଗାମୀ ଦିନରେ ତାଙ୍କ ବ୍ୟବସାୟକୁ ସେମାନେ ଆହୁରି ଉଚ୍ଚକୁ ନେଇଯିବେ।

କାହା ଭାଗରେ କେଉଁ ଦାୟିତ୍ଵ

ଆକାଶ ଅମ୍ବାନୀଙ୍କୁ              ଟେଲିକମ୍

ଈଶା ଅମ୍ବାନୀଙ୍କୁ                 ରିଟେଲ୍

ଅନନ୍ତ ଅମ୍ବାନୀଙ୍କୁ               ନ୍ୟୁ ଏନର୍ଜି

 

ଅନନ୍ତଙ୍କୁ ନ୍ୟୁ ଏନର୍ଜି ଦାୟିତ୍ଵ

ଆକାଶ ଅମ୍ବାନୀ ଏବଂ ଈଶାଙ୍କୁ କ୍ରମଶଃ ଜିଓ ଏବଂ ରିଟେଲ ବ୍ୟବସାୟର ମୁଖ୍ୟ କରାଯାଇଛି। ଏବେ ଅନନ୍ତ ଅମ୍ବାନୀ ନ୍ୟୁ ଏନର୍ଜି ବ୍ୟବସାୟରେ ପାଦ ରଖିଛନ୍ତି। ନିଜ ଦାୟିତ୍ଵ ସେ ଆନ୍ତରିକତାର ସହ ତୁଲାଉଛନ୍ତି। ସେଥିପାଇଁ ଅନନ୍ତଙ୍କୁ ଅଧିକାଂଶ ସମୟ ଜାମନଗରରେ ହିଁ କାଟିବାକୁ ପଡ଼ୁଛି।

୨୦୧୪ରୁ ବୋର୍ଡରେ ସାମିଲ ଅଛନ୍ତି ଆକାଶ ଓ ଈଶା

ଗତ ଜୁନ ମାସରେ ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓ ଇନଫୋକମ୍ ଲିମିଟେଡର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଥିଲା। ୨୦୧୪ ମସିହାରୁ ଆକାଶ ଅମ୍ବାନୀ ଏବଂ ଈଶା ଅମ୍ବାନୀ ରିଲାଏନ୍ସ ରିଟେଲ ବେଞ୍ଚର୍ସ ଲିମିଟେଡ ଏବଂ ଜିଓ ପ୍ଲାଟଫର୍ମସ ଲିମିଟେଡର ବୋର୍ଡର ସଦସ୍ୟ ଅଛନ୍ତି। ମୁକେଶ ଅମ୍ବାନୀ ଝିଅ ଈଶା ଏବଂ ଅନନ୍ତଙ୍କର ତାଙ୍କ ବ୍ୟବସାୟରେ ରହିଥିବା ଭୂମିକା ସମ୍ପର୍କରେ ସାମ୍ୟକ ସୂଚନା ଦେଇଥିଲେ ହେଁ କାହାକୁ କେଉଁ ଦାୟିତ୍ଵ ଦିଆଯାଇଛି ଔପଚାରିକ ଭାବେ ଘୋଷଣା କରିନାହାନ୍ତି।

ମୁକେଶ ଅମ୍ବାନୀ ବର୍ତ୍ତମାନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସହ ଜିଓ ପ୍ଲାଟଫର୍ମର ଚେୟାରମ୍ୟାନ ଦାୟିତ୍ଵ ତୁଲାଉଛନ୍ତି। ଏହା ସହିତ ରିଲାଏନ୍ସ ରିଟେଲର୍ସ ଲିମିଟେଡର କମାଣ ମଧ୍ୟ ତାଙ୍କ ହାତରେ ରହିଛି।

ଆକାଶଙ୍କ ଘୋଷଣା

ଆକାଶ ଅମ୍ବାନୀ ରିଲାଏନ୍ସ ଜିଓ ଏବଂ ୫-ଜିର ଯୋଜନା ବିଷୟରେ ସୂଚନା ଦେଇ  କହିଛନ୍ତି ଯେ, ଜିଓ ୫-ଜି ହାଇ ଫାଇବର ଦ୍ଵାରା ସ୍ଵାସ୍ଥ୍ୟସେବା, ଶିକ୍ଷା ଏବଂ କୃଷି କ୍ଷେତ୍ର ସହ ଜଡ଼ିତ ଲକ୍ଷ ଲକ୍ଷ ଲୋକଙ୍କୁ ସୁବିଧା ମିଳିବ। ବର୍ତ୍ତମାନ ୮୦ କୋଟି ଇଣ୍ଟରନେଟ ଡିଭାଇସେସ ସଂଯୋଗ ରହିଛି। ୫-ଜି ଆସିଲେ ବର୍ଷକ ମଧ୍ୟରେ ଏହାର ସଂଖ୍ୟା ବୃଦ୍ଧି ହୋଇ ୧.୫ ମିଲିୟରେ ପହଞ୍ଚିଯିବ ବୋଲି ଆକାଶ ଆଶା ବ୍ୟକ୍ତ କରିଛନ୍ତି।

ରିଟେଲ ବ୍ୟବସାୟ ଉପରେ ଈଶାଙ୍କ ଫୋକସ

ବର୍ତ୍ତମାନ ଈଶା ଅମ୍ବାନୀ ରିଲାଏନ୍ସ ରିଟେଲ ବ୍ୟବସାୟ ଉପରେ ଫୋକସ କରୁଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନ ରିଟେଲ ବ୍ୟବସାୟ ବାର୍ଷିକ ୨ ଲକ୍ଷ କୋଟି ଟଙ୍କା ଟନ ଓଭର ଏବଂ ୧୨ ହଜାର କୋଟି ଟଙ୍କା ଇବିଆଇଟିଡିଏରର ଆକଳନ ହାସଲ କରିସାରିଛି। ରିଲାଏନ୍ସ ରିଟେଲ ଏସିଆର ଟପ ୧୦ ରିଟେଲର୍ସ ମଧ୍ୟରେ ସାମିଲ ହୋଇପାରିଛି। କମ୍ପାନି ବର୍ତ୍ତମାନ ପର୍ଯ୍ୟନ୍ତ ୨୦ କୋଟିରୁ ଅଧିକ ରେଜିଷ୍ଟ୍ରେଡ ଗ୍ରାହକଙ୍କୁ ସେବା ଯୋଗାଇ ଆସୁଛି।

ରିଲାଏନ୍ସର ଫିଜିକାଲ ଷ୍ଟୋର ଏବଂ ଡିଜିଟାଲ ପ୍ଲାଟଫର୍ମକୁ ଆସୁଥିବା ଗ୍ରାହକଙ୍କ ସଂଖ୍ୟା ବହୁତ ଅଧିକ ରହିଛି। ଏହି ସଂଖ୍ୟା ବ୍ରିଟେନ, ଫ୍ରାନ୍ସ ଏବଂ ଇଟାଲୀ ଭଳି ଦେଶର ଜନସଂଖ୍ୟାଠାରୁ ମଧ୍ୟ ଅଧିକ ରହିଛି ବୋଲି ଈଶା ଅମ୍ବାନୀ କହିଛନ୍ତି। ସେ କହିଛନ୍ତି ଯେ, ବାର୍ଷିକ ରିଲାଏନ୍ସ ରିଟେଲର ଡିଜିଟାଲ ପ୍ଲାଟଫର୍ମରେ ଆସୁଥିବା ଫିଚର୍ସ ସଂଖ୍ୟା ୨.୩ ଗୁଣ ବୃଦ୍ଧି ହୋଇ ୪.୫ ନିୟୁତ ହୋଇଛି। କମ୍ପାନିର ଡିଜିଟାଲା ପ୍ଲାଟଫର୍ମ ପ୍ରତିଦିନ ପ୍ରାୟ ୬ ଲକ୍ଷ ଅର୍ଡର ଡେଲିଭରୀ କରୁଛି।

ବର୍ତ୍ତମାନ ନିଜ ବ୍ୟବସାୟର ଦାୟିତ୍ଵ ସନ୍ତାନମାନଙ୍କୁ ଦେବା ସହ ସେମାନଙ୍କ ଦକ୍ଷତାକୁ ଖୁବ୍ ପ୍ରଶଂସା କରିଛନ୍ତି ମୁକେଶ ଅମ୍ବାନୀ।

Tags: #Business #MukeshAmbani

LEAVE A REPLY

Please enter your comment!
Please enter your name here