ଓଡ଼ିଶାଲାଇଭ୍ ବ୍ୟୁରୋ

ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ରଖିବା ପାଇଁ ବ୍ୟବହୃତ ହୋଇଥିବା ସ୍କର୍ପିଓ ଗାଡ଼ି ମାଲିକଙ୍କ ମୃତ ଦେହ ମିଳିଛି। ମାଲିକଙ୍କ ନାମ ଥିଲା ମନସୁଖ ହିରେନ। ସେ କେନାଲକୁ ଡେଇଁ ଆତ୍ମହତ୍ୟା କରିଥିବା ପୋଲିସ ତରଫରୁ ସୂଚନା ମିଳିଛି।

କିଛି ଦିନ ପୂର୍ବରୁ ମୁକେଶ ଅମ୍ବାନୀଙ୍କ ଘର ବାହାରେ ଏକ ବିସ୍ଫୋରକ ଭର୍ତ୍ତି କାର ପାର୍କିଂ କରାଯାଇଥିଲା। କାର୍‌ଟିକୁ ଦେଖିଥିଲେ ମୁକେଶ ଅମ୍ବାନୀଙ୍କ ସୁରକ୍ଷା କର୍ମୀ। ସ୍ଥାନୀୟ ପୋଲିସକୁ ଏନେଇ ଜଣାଇଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ସମୟରେ କାର୍‌ଟି ଚୋରି ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା। ଫେବ୍ରୁଆରି ୧୭ରେ ମନସୁଖଙ୍କ କାର୍ ଖରାପ ହୋଇଯିବାରୁ, ସେ ରାସ୍ତାରେ ଛାଡ଼ି ଚାଲିଯାଇଥିଲେ। କିନ୍ତୁ ପରଦିନ କାର୍ ନେବାକୁ ଆସିଲାବେଳେ, ସେଠାରେ ଗାଡ଼ିଟି ନଥିଲା। ସେ ଏ ସମ୍ପର୍କରେ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ମନସୁଖ ମୁମ୍ବାଇ ପୋଲିସକୁ କହିଥିଲେ ଯେ, ତାଙ୍କ କାର ପ୍ରାୟ ଏକ ବର୍ଷ ହେବ ବ୍ୟବହାର ହୋଇନଥିଲା। ଯେଉଁ ଦିନ କାର ଚୋରି ହୋଇଥିଲା, ସେହି ଦିନ ସେ ଗାଡିଟିକୁ ବିକିବା ପାଇଁ ବାହାର କରିଥିଲେ। କିନ୍ତୁ ଗାଡ଼ିଟି ରାସ୍ତାରେ ଖରାପ ହୋଇଯାଇଥିଲା । ପରେ ଗାଡିଟି ସେଠାରୁ ଚୋରି ହୋଇଥିଲା।

କାର୍‌ଟିର ନମ୍ବର ବଦଳାଯାଇ ମୁକେଶ ଅମ୍ବାନୀଙ୍କ କର୍ମଚାରୀ କାର୍ ନମ୍ବର ଦିଆଯାଇଥିଲା। ପୋଲିସକୁ ଗାଡ଼ି ଭିତରୁ କିଛି ନମ୍ବର ପ୍ଲେଟ ମଧ୍ୟ ମିଳିଛି। ଏହି ସମସ୍ତ ନମ୍ବର ପ୍ଲେଟ୍ ମଧ୍ୟ ଅମ୍ବାନୀଙ୍କ ଷ୍ଟାଫ୍ ଟ୍ରେନ୍ ନମ୍ବର ସହିତ ସମାନ ଥିବା ଦେଖିବାକୁ ମିଳିଛି। ଶୁକ୍ରବାର କାର୍ ମାଲିକଙ୍କ ମୃତ ଦେହ ଠାବ କରି, ପୋଲିସ ଏବେ ଘଟଣାର ତଦନ୍ତ ଚଳାଇଛି।

Comment