ଓଡ଼ିଶାଲାଇଭ୍ ବ୍ୟୁରୋ

ଝିଅ ବାହାଘରରେ ଦିନେ ୫୦୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ପ୍ରମୋଦ ମିତ୍ତଲଙ୍କୁ ଦେବାଳିଆ ଘୋଷଣା କରିଛି ବ୍ରିଟେନ।

ଏକଦା ନିଜ ଝିଅ ବାହାଘରରେ ୫୦୫ କୋଟି ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାକୁ ଆସିଥିବା ପ୍ରମୋଦ ମିତ୍ତଲଙ୍କୁ ଏବେ ବ୍ରିଟେନ ସରକାର ଦେବାଳିଆ ଘୋଷଣା କରିଛନ୍ତି। ତେବେ ଗତବର୍ଷ ଭାରତୀୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ପକ୍ଷରୁ ରୁଜୁ ହୋଇଥିବା ମାମଲାରେ ପ୍ରମୋଦଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ରକ୍ଷା କରିଥିଲେ ତାଙ୍କ ବଡ଼ ଭାଇ ତଥା ଷ୍ଟିଲ୍ କିଙ୍ଗ୍ ଲକ୍ଷ୍ମୀ ମିତ୍ତଲ। ଦୁଇ ଭାଇଙ୍କ ମଧ୍ୟରେ ଥିବା ଏହି ବ୍ୟବସାୟିକ ସମ୍ପର୍କକୁ ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ଵାନି ଓ ତାଙ୍କ ସାନ ଭାଇ ଅନିଲ ଅମ୍ବାନିଙ୍କ ସହ ତୁଳନା କରାଯାଏ।

ପ୍ରସିଦ୍ଧ ବ୍ୟବସାୟୀ ଲକ୍ଷ୍ମୀ ମିତ୍ତଲଙ୍କ ସାନ ଭାଇ ପ୍ରମୋଦଙ୍କୁ ଗତ ବର୍ଷ ଲଣ୍ଡନର ଇନ୍ସୋଲ୍‌ଭେନ୍ସି ଆଣ୍ଡ୍ କମ୍ପାନିଜ୍ କୋର୍ଟ ଦେବାଳିଆ ଘୋଷଣା କରିଥିଲେ। ସେତେବେଳେ ପ୍ରମୋଦଙ୍କ ଉପରେ ୧୩୦ ମିଲିୟନ ପାଉଣ୍ଡର ଋଣ ରହିଥିଲା। କିନ୍ତୁ ଏବେ ତାଙ୍କ ଉପରେ ୨.୫ ଆରବ ପାଉଣ୍ଡରୁ ଅଧିକ ଋଣ ରହିଥିବା ପ୍ରମୋଦ ଦାବି କରିଛନ୍ତି। ସେଥିରୁ ୧.୧ ମିଲିୟନ ପାଉଣ୍ଡ୍ ଋଣ ସେ ପତ୍ନୀ ସଙ୍ଗୀତାଙ୍କଠାରୁ ନେଇଥିବା ବେଳେ ପୁଅ ଦିବ୍ୟେଶଙ୍କଠାରୁ ୨.୪ ମିଲିୟନ ପାଉଣ୍ଡ ଋଣ କରିଛନ୍ତି।ପ୍ରମୋଦଙ୍କ ବିରୋଧରେ ଭାରତୀୟ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) ମଧ୍ୟ ମାମାଲା ରୁଜୁ କରିଥିଲା। କିନ୍ତୁ ଗତ ବର୍ଷ ବଡ଼ ଭାଇ ଲକ୍ଷ୍ମୀ ମିତ୍ତଲଙ୍କ ସହାୟତା କ୍ରମେ ପ୍ରମୋଦ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇଯାଇଥିଲେ।

ସେତେବେଳେ ପ୍ରମୋଦ ଭାରତୀୟ ସରକାରୀ କମ୍ପାନି ଷ୍ଟେଟ୍ ଟ୍ରେଣ୍ଡିଂ କର୍ପୋରେସନ ଅଫ୍ ଇଣ୍ଡିଆର ୨,୨୧୦ କୋଟି ଟଙ୍କା ଫେରାଇ ନଥିଲେ। ଏହି ବକେୟା ଟଙ୍କାକୁ ପ୍ରମୋଦଙ୍କ ବଡ଼ ଭାଇ ଲକ୍ଷ୍ମୀ ସେତେବେଳେ ପୈଠ କରିଥିଲେ। ଫଳରେ ପ୍ରମୋଦଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା।

ଏହି କାରଣରୁ ଲକ୍ଷ୍ମୀ ମିତ୍ତଲ ଓ ପ୍ରମୋଦ ମିତ୍ତଲଙ୍କ ବ୍ୟବସାୟିକ ଜୀବନକୁ ଭାରତର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ଓ ତାଙ୍କ ଭାଇ ଅନିଲ ଅମ୍ବାନିଙ୍କ ସହ ତୁଳନା କରାଯାଏ। କାରଣ ଗତ ବର୍ଷ ଅନିଲ ଅମ୍ବାନିଙ୍କୁ ଜେଲ୍ ଯିବାରୁ ରକ୍ଷା କରିଥିଲେ ବଡ଼ ଭାଇ ମୁକେଶ ଅମ୍ବାନି। ଅନିଲଙ୍କ କମ୍ପାନି ରିଲାଏନ୍ସ କମ୍ୟୁନିକେସନର ନେଟ୍‌ଓ୍ଵର୍କକୁ ସ୍ଵିଡେନ୍‌ର ଏରିକ୍ସନ କମ୍ପାନି ସମ୍ଭାଳୁଥିଲା।ଏ ବାବଦରେ ଏରିକ୍ସନ ୫୮୦ କୋଟି ଟଙ୍କା ପାଇବାର ଥିଲା। କିନ୍ତୁ ଅନିଲ ଏହି ଟଙ୍କା ପୈଠ କରିପାରିନଥିଲେ। ଏହି ମାମଲାରେ ଅନିଲଙ୍କୁ ଜେଲ୍‌ ଯିବା ଭଳି ସ୍ଥିତି ଉପୁଜିଥିଲା। ତେବେ ଅନିଲଙ୍କ ଏହି ସଙ୍କଟ ସମୟରେ ସାହା ହୋଇଥିଲେ ବଡ଼ ଭାଇ ମୁକେଶ। ସେ ୪୬୨ କୋଟି ଟଙ୍କା ଏରିକ୍ସନକୁ ଦେବା ପରେ ଅନିଲ ନିଶ୍ଚିତ ଜେଲ୍‌ରୁ ମୁକୁଳିଯାଇଥିଲେ।

ଅମ୍ବାନି ପରିବାର ପରି ମିତ୍ତଲ ଭାଇମାନେ ମଧ୍ୟ ୧୯୯୪ରେ ସମ୍ପତ୍ତି ଭାଗବଣ୍ଟା କରିନେଇଥିଲେ। ଏହାପରେ ଲକ୍ଷ୍ମୀ ମିତ୍ତଲ ଆର୍ସେଲର ମିତ୍ତଲ ଭାବେ କାମ ଜାରି ରଖିଥିଲେ। ଏବେ ଏହି କମ୍ପାନି ଦୁନିଆର ସବୁଠୁ ବଡ଼ ଷ୍ଟିଲ୍ କମ୍ପାନିର ମାନ୍ୟତା ପାଇଛି। ଅନ୍ୟପଟେ ପ୍ରମୋଦ ମିତ୍ତଲଙ୍କ କମ୍ପାନି ଗ୍ଲୋବାଲ ଷ୍ଟିଲ୍ ହୋଲ୍ଡିଂସ୍ ଲିମିଟେଡ୍ ଦେବାଳିଆ ଘୋଷିତ ହୋଇଛି।

Comment