ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଟେଲିକମ୍ ୟୁନିଟ ‘ରିଲାଏନ୍ସ ଜିଓ’ ବୋର୍ଡର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ମୁକେଶ ଅମ୍ବାନୀଙ୍କ ସ୍ଥାନ ନେବେ ତାଙ୍କ ବଡ଼ ପୁଅ ଆକାଶ ଅମ୍ବାନୀ। ଏବେ ଆକାଶ ଅମ୍ବାନୀ ସମ୍ଭାଳିବେ ‘ରିଲାଏନ୍ସ ଜିଓ’ର କମାଣ।

ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓ ବୋର୍ଡର ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେବା ପରେ ଆକାଶ ଅମ୍ବାନୀଙ୍କୁ ବୋର୍ଡର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।

ରିଲାଏନ୍ସ ଜିଓ ଇନଫୋକମ ଲିମିଟେଡ ଆଜି ଏ ସମ୍ପର୍କରେ ସେଆର ବଜାରକୁ ସୂଚନା ଦେଇଛି। କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଜୁନ ୨୭ ତାରିଖରେ ମୁକେଶ ଅମ୍ବାନୀ ଇସ୍ତଫା ଦେଇଥିଲେ। ରିଲାଏନ୍ସ ଜିଓର ଏହି ପଦବୀରେ ଆକାଶ ଅମ୍ବାନୀଙ୍କୁ ନିଯୁକ୍ତ କରାଯାଇଛି। ଏହା ସହ କମ୍ପାନିର ବୋର୍ଡ ଅଫ୍ ଡାଇରେକ୍ଟର ନନ୍ ଏକଜିକ୍ୟୁଟିଭ୍ ଡାଇରେକ୍ଟର ଆକାଶ ଅମ୍ବାନୀଙ୍କୁ ଅଧ୍ୟକ୍ଷ ନିଯୁକ୍ତି କରିବା ପାଇଁ ମଞ୍ଜୁରୀ ପ୍ରଦାନ କରିଛି।

ରିଲାଏନ୍ସ ଜିଓ ବୋର୍ଡରେ ରାମିନ୍ଦର ସିଂହ ଗୁଜରାଲ ଏବଂ କେଭି ଚୌଧୁରୀଙ୍କୁ ଅତିରିକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିବାକୁ ମଞ୍ଜୁରୀ ମିଳିଛି। ଏହି ଦୁଇ ଜଣ ୫ ବର୍ଷ ପାଇଁ ସ୍ଵାଧୀନ ଭାବେ ଅଧ୍ୟକ୍ଷ ନିଯୁକ୍ତ ହେବେ। ଏହିଭଳି ଭାବେ ବୋର୍ଡ ପଙ୍କଜ ମୋହନ ପାଓ୍ଵାରଙ୍କୁ ରିଲାଏନ୍ସ ଜିଓର ପରିଚାଳନା ନିର୍ଦ୍ଦେଶକ କରିବାକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଛି। ଏହି ନିଯୁକ୍ତି ମଧ୍ୟ ଜୁନ ୨୭ ତାରିଖଠାରୁ ଆସନ୍ତା ୫ ବର୍ଷ ପାଇଁ ରହିବ।

ଗତ ବର୍ଷ ନଭେମ୍ବର ମାସରେ ବ୍ଲୁମଗର୍ବର ଏକ ରିପୋର୍ଟରେ କୁହାଯାଇଥିଲା ଯେ, ମୁକେଶ ଅମ୍ବାନୀ ଆସନ୍ତା ବର୍ଷ ନିଜ ବ୍ୟବସାୟର ଦାୟିତ୍ଵ ଆଗାମୀ ପିଢ଼ି ହାତରେ ଦେବେ। ଯାହାର ପରିଣାମ ଆଜି ଦେଖିବାକୁ ମିଳିଛି। ଧୀରୁଭାଇ ଅମ୍ବାନୀଙ୍କ ବିୟୋଗ ପରେ ୨୦୦୨ ମସିହାରେ ମୁକେଶ ଅମ୍ବାନୀ ରିଲାଏନ୍ସର ଅଧ୍ୟକ୍ଷ ପଦବୀ ସମ୍ଭାଳି ଥିଲେ।

Tags: #Bussiness #RelianceJio #Chairman #AkashAmbani #MukeshAmbani

Comment