ଓଡ଼ିଶାଲାଇଭ୍ ବ୍ୟୁରୋ

ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାର ଆଉ ୪ଟି ସହରରେ ଆରମ୍ଭ ହେଲା ୫ଜି ସେବା। ବୁଧବାର ଓଡ଼ିଶାର ସୁନ୍ଦରଗଡ଼, ଭବାନୀପାଟଣା, ଜଟଣୀ ଓ ଖୋର୍ଦ୍ଧା ସହରରେ ୫ଜି ଟେଲିକମ ସେବା ଆରମ୍ଭ କରାଯାଇଛି। ଏଥିସହ ଓଡ଼ିଶାର ୧୭ଟି ସହର ରିଲାଏନ୍ସ ଜିଓର ୫ଜି ସେବା ସହ ଯୋଡ଼ି ହୋଇଛି।

ବୁଧବାର ରିଲାଏନ୍ସ ଜିଓ ପକ୍ଷରୁ ଭାରତର ୩୪ଟି ସହରରେ ୫ଜି ସେବା ଆରମ୍ଭ ହୋଇଛି। ଏଥିମଧ୍ୟରୁ ଓଡ଼ିଶାର ୪ଟି ସହର ରହିଥିବା ଜିଓ ପକ୍ଷରୁ ଘୋଷଣା କରାଯାଇଛି। ଏହି ସହରଗୁଡ଼ିକରେ ଲୋକମାନେ ଏବେ ଦ୍ରୁତ ତଥା ଉନ୍ନତ ଟେଲିକମ ସେବା ପାଇପାରିବେ। ବର୍ତ୍ତମାନ ଭାରତର ୩୬୫ଟି ସହରରେ ଜିଓ ୫ଜି ସେବା ଯୋଗାଉଛି।

“ଓଡ଼ିଶା ତଥା ଭାରତର ବିଭିନ୍ନ ସହରରେ ଜିଓ ତରଫରୁ ୫ଜି ମାଧ୍ୟମରେ ଲୋକମାନଙ୍କୁ ଉନ୍ନତ ଟେଲିକମ ସେବା ଯୋଗାଇ ଦିଆଯାଉଛି। ଏହା ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଆଇଟି ଭଳି ବିଭିନ୍ନ କ୍ଷେତ୍ରରେ ସହାୟତା କରୁଛି। ୨୦୨୩ ଡିସେମ୍ବର ମାସ ସୁଦ୍ଧା ଦେଶର ପ୍ରତିଟି ସହରରେ ଆମେ ୫ଜି ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ। ସମ୍ପୂର୍ଣ୍ଣ ଭାରତକୁ ଡିଜିଟାଲ ହବରେ ପରିଣତ କରିବାକୁ ଆମେ କାର୍ଯ୍ୟ କରୁଛୁ”,କହିଛନ୍ତି ରିଲାଏନ୍ସ ଜିଓର ପ୍ରବକ୍ତା।

ପୂର୍ବରୁ ଓଡ଼ିଶାର ୧୩ଟି ରିଲାଏନ୍ସ ଜିଓ ୫ଜି ସେବା ଆରମ୍ଭ ହୋଇଥିଲା। ଓଡ଼ିଶାର ଭୁବନେଶ୍ୱର, କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର, ବାରିପଦା, ଭଦ୍ରକ, ଝାରସୁଗୁଡ଼ା, ପୁରୀ, ବଲାଙ୍ଗୀର, ଅନୁଗୁଳ ଓ ତାଳଚେର ସହରରେ ଏହି ସେବା ଆରମ୍ଭ ହୋଇଥିଲା।

Tags: #5GServices #Reliancejio #India #Odisha #ରିଲାଏନ୍ସ ଜିଓ #୫ଜି ସେବା

Comment