ବିଜୟମୋହନ ମିଶ୍ର

‘ବିଦେଶରୁ ଦୃଷ୍ଟି’ ପ୍ରଫେସର୍‌ ବିଜୟମୋହନ ମିଶ୍ରଙ୍କ ଏକ ନିୟମିତ ସ୍ତମ୍ଭ। ଦୀର୍ଘ ବର୍ଷ ଧରି ଆମେରିକାରେ ରହୁଥିବା ଲେଖକ ଶ୍ରୀଯୁକ୍ତ ମିଶ୍ର ଓଡ଼ିଶାଲାଇଭ୍‌ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ଓଡ଼ିଶା ସମ୍ପର୍କରେ ତାଙ୍କର ସ୍ମୃତି ଓ ଶାଣିତ ଦୃଷ୍ଟିଭଙ୍ଗୀ ଉପସ୍ଥାପନ କରୁଛନ୍ତି।

ଡ଼ିଆ ଓ ଓଡ଼ିଶା(୧୨)

ବୈଦିକ ସଭ୍ୟତାରେ ମନ୍ତ୍ରର ପ୍ରଚଳନ ହୋଇଥିଲା।  ମନୁଷ୍ୟର ମନର ଶରୀର ଉପରେ ପ୍ରଭାବ ମନ୍ତ୍ରର ମର୍ମ । ମନର ବ୍ୟାପ୍ତି ଶରୀରଠାରୁ ଅଧିକ, ତେଣୁ ମନକୁ ଶରୀର ସହ ନିୟନ୍ତ୍ରିତ କରିପାରିଲେ ମନୁଷ୍ୟ ଆପଣା କାର୍ଯ୍ୟରେ ସଫଳ କାମ ହୋଇପାରେ ବୋଲି ଧାରଣା କରାଗଲା। ମନ୍ତ୍ର ମନୁଷ୍ୟର ସ୍ଵର ଉପରେ ନିର୍ଭର କରେ। ଆମେ ଆମର ଶାରୀରିକ ପ୍ରକ୍ରିୟାକୁ ନିୟନ୍ତ୍ରଣ କଲେ ଆପଣାର ନିଜସ୍ଵ ସ୍ଵର ସହ ସଂପୃକ୍ତ ହୋଇପାରିବା। ଏ’ ନିଜସ୍ଵ ସ୍ଵର ଐଶ୍ଵରିକ, ତେଣୁ ସ୍ଵର ମାର୍ଜନାରେ ଆମେ ଶରୀରକୁ ନିୟନ୍ତ୍ରଣ କରିପାରିବା। ମନର ପରିମିତି ସ୍ଵର ସହ ସଂପୃକ୍ତ। ଶବ୍ଦ ଜରିଆରେ ଆମେ ଦୈବୀଶକ୍ତିର ସାହଚର୍ଯ୍ୟ ଲାଭ କରି ସଫଳ କାମ ହୋଇପାରିବା ବୋଲି ବୈଦିକ ମତ।

ଓଡ଼ିଆ ମାଟିର ଦର୍ଶନ କିନ୍ତୁ ଭିନ୍ନ ଆଡ଼େ ଗତି କଲା। ଦୈବୀଶକ୍ତି କୌଣସି ଦେବ ବା ଦେବୀର କୃପା ନୁହେଁ, ତା’ ମନୁଷ୍ୟର ସାଥୀ। ଦେବ ବା ଦେବୀ ଆକାଶରେ ନାହାଁନ୍ତି, ଏହି ପୃଥିବୀରେ ଅଛନ୍ତି। “ଆମର ପାଣିରେ, ପବନରେ, ମାଟିରେ, ଗଛରେ ଅଛନ୍ତି। ଆମର ଖାଦ୍ୟରେ ଅଛନ୍ତି, ଆମର ଶରୀରରେ ଅଛନ୍ତି।’’

ଏ’ ପ୍ରକାର ଧାରଣାର ମୂଳ ଭିତ୍ତି ଓଡ଼ିଶାର କୃଷିଜୀବିକାରେ ସମାବିଷ୍ଟ ବୋଲି ଅନୁମାନ କରାଯାଏ।

ବୈଦିକ ଧର୍ମ ଶିକ୍ଷାରୁ ଐକ୍ୟବାଦୀ ବ୍ରହ୍ମଦର୍ଶନର ପ୍ରଚାର ହେବା ସମୟରେ ଓଡ଼ିଆ ସମାଜରେ “ଅନ୍ନବ୍ରହ୍ମ”ର ଦର୍ଶନ ସୃଷ୍ଟି ହେଲା। ସୃଷ୍ଟି ରକ୍ଷଣ ହିଁ ବ୍ରହ୍ମର କାର୍ଯ୍ୟ ବୋଲି ଓଡ଼ିଆ ସାବ୍ୟସ୍ତ କଲା। ଓଡ଼ିଆ ବ୍ରହ୍ମ ସଗୁଣ। ସେ’ ସାଥୀ ଦିଏ, ମଣିଷସାଙ୍ଗରେକାମକରେ, ମଣିଷକୁ ସୁଧାରେ। ଓଡ଼ିଆର ସେ’ ସଦାଶିବ ବ୍ରହ୍ମ।

ବୈଦିକ ଦର୍ଶନ ସଂସାରର  କ୍ରିୟା କଳାପକୁ ମାୟା ଓ ଅବିଦ୍ୟା ବୋଲି ପ୍ରକାଶ କରିବା ସମୟରେ ଓଡ଼ିଆ ଦାର୍ଶନିକ ସଂସାରକୁ ଆଲୋକ ଓ ଜ୍ୟୋତି ନାମରେ ପ୍ରକାଶ କଲେ। ସମସ୍ତ ଜୀବନର ଉତ୍ସ ହେଉଛି ସୂର୍ଯ୍ୟ, ତେଣୁ ସୂର୍ଯ୍ୟକୁ ପରମ ଦେବତା ଭାବରେ ଗ୍ରହଣ କରାଗଲା ଏବଂ ଓଡ଼ିଶାରେ ଦୀପ ପରମ୍ପରାର ସୃଷ୍ଟି ହେଲା। ଓଡ଼ିଆର ସଂଧ୍ୟା ପ୍ରାର୍ଥନାରେ “ଦୀପଂ ଜ୍ୟୋତିଃ ପରଂବ୍ରହ୍ମ” ଝଙ୍କୃତ ହେଲା।

ଦୀପର ଜ୍ୟୋତିରେ ସୂର୍ଯ୍ୟକୁ ଦେଖି ପାରିବା ଓଡ଼ିଆ ତନ୍ତ୍ର ସାଧନାର ପ୍ରଥମ ପଦକ୍ଷେପ।  ସଂସାରର ସମସ୍ତ ଶକ୍ତିକୁ ନମୁନା କରି ଆମେ ଅମର ନିଜର ସାମର୍ଥ୍ୟରେ ସଂସାରର ହିତରେ ବ୍ୟବହାର କରିପାରିବା ହେଉଛି ତନ୍ତ୍ର ସାଧନା। “ଯେ’ କୌଣସି ଶକ୍ତିକୁ ଆୟତ୍ତ କରିପାରିବାର ବୁଦ୍ଧି ବା ଶୈଳୀ ମନୁଷ୍ୟଠାରେ ଅଛି ଏବଂ ମନୁଷ୍ୟ ସବୁ ଶକ୍ତିକୁ ଆୟତ୍ତ କରିବାରେ ଯୋଗ୍ୟ” – ଏହା ହେଉଛି ତନ୍ତ୍ର ଦର୍ଶନ।

ମନ୍ତ୍ର ଓ ତନ୍ତ୍ର ଭିତରେ ଫରକ ହେଲା ମଣିଷ ମନରେ ନିଷ୍କ୍ରିୟତା ଓ ସକ୍ରିୟତା। ତନ୍ତ୍ର ସାଧନାରେ ଚିତ୍ତ ବୃତ୍ତିକୁ ନିରୋଧନ କରାହୋଇ ଚିତ୍ତକୁ ଏକାଗ୍ର କରା ହୁଏ। ଏକାଗ୍ରତା ଫଳରେ ଦର୍ଶନ ସୃଷ୍ଟି ହୁଏ। ସଂସାରର ବସ୍ତୁରେ ଏକ ଭାବନ ହୋଇ, ପ୍ରତ୍ୟେକ ବସ୍ତୁର ରୂପ ଓ ଗୁଣରେ ଦୃଷ୍ଟି ଦିଆଯାଏ। ପଦାର୍ଥର ନିର୍ଗୁଣତ୍ଵକୁ ନ ଆବୋରି ପଦାର୍ଥର ସକାରାତ୍ମକ ରୂପ ଓ ଗୁଣକୁ ଉପଲବ୍ଧ କରିବା ହେଉଛି ତନ୍ତ୍ର ଦର୍ଶନ। ଯୋଗ ଦର୍ଶନର ନୈଷ୍କର୍ମ୍ୟ ତନ୍ତ୍ରରେ ବିପରୀତ। ତନ୍ତ୍ରରେ ପଦାର୍ଥ ବିଜ୍ଞାନ ଓ ବିଷୟ ଜ୍ଞାନ ସମ୍ମିଳିତ। ରସରୁ ଆନନ୍ଦ ଆଣିବା ହେଉଛି ଯୋଗ, ଜୀବନକୁ ସରସ କରିବା ହେଉଛି ତନ୍ତ୍ର।

ଓଡ଼ିଆ ସଂସ୍କୃତି ରସ ପ୍ରଧାନ। ଜୀବନଶୈଳୀରେ ନୂଆ ଉତ୍ପାଦନ ଓଡ଼ିଆର ସଂସ୍କୃତି। ଓଡ଼ିଆର ଠାକୁର ଖାଦ୍ୟ ପ୍ରିୟ, ରସ ପ୍ରିୟ। ତାର ବେଶ ଅଛି, ଜମକ ଅଛି, ଶୋଭା ଅଛି। ଓଡ଼ିଆର ପିତୁଳାକୁ ପ୍ରାଣ ଦିଆଯାଏ। ସବୁ କାର୍ଯ୍ୟରେ, ପଦ୍ଧତିରେ ଓ କରଣିରେ ରସ ସୃଷ୍ଟି କରିବା ଓଡ଼ିଆର ତନ୍ତ୍ର ବିଦ୍ୟା। ସଂସାର ସଜୀବ ଓ ପ୍ରାଣବନ୍ତ। ବସ୍ତୁର ଆନନ୍ଦ ବସ୍ତୁର କର୍ମ କୌଶଳରେ। ତେଣୁ ପରସ୍ପର ସହଯୋଗରେ ସମାବେଶ ସୃଷ୍ଟିକରିବା ଏବଂ ସଂସାରର ସମସ୍ତ ଜଗତକୁ ସୁଖ ଦେବା ଓଡ଼ିଆର ବିଦ୍ୟା।

jagannath

 

ତନ୍ତ୍ରର ମର୍ମ ହେଲା ଜଗତର ସକ୍ରିୟତା। ଫୁଲର ମହକ, ଆଲୁଅର ଚମକ, ସାପର ବିଷ, ଫଳର ସ୍ଵାଦ–ଏ’ ସବୁକୁ ଆୟତ୍ତକୁ ଆଣିବା ହେଉଛି ତନ୍ତ୍ରବିଦ୍ୟା। ତନ୍ତ୍ର ବିଦ୍ୟାର ସାଧନା ପୀଠ ହେଲା ଯୋଗିନୀ କ୍ଷେତ୍ର। ମନର ଏକାଗ୍ରତା ଓ କାର୍ଯ୍ୟରେ ଶ୍ରଦ୍ଧା ତନ୍ତ୍ରଶାସ୍ତ୍ରର ମୂଳଭିତ୍ତି।

ମନୁଷ୍ୟର କାୟିକ ଶରୀରରେ ମାତୃଶକ୍ତି ତନ୍ତ୍ରର ଆବିଷ୍କାର। ଏ’ଶକ୍ତି ମନୁଷ୍ୟ ଭିତରେ ପ୍ରାଣ ମାଧ୍ୟମରେ ପରିଚାଳିତ ହୁଏ। ଏ’ ଶକ୍ତି ଫଳରେ ମନୁଷ୍ୟ ଅଲଂଘ୍ୟ କାର୍ଯ୍ୟ କରିପାରେ, ଦୁଃସାଧ୍ୟ ଉଦ୍ୟମ କଳ୍ପନା କରିପାରେ, ବିପୁଳ ଭାସ୍କର୍ଯ୍ୟ ଓ ସ୍ଥାପତ୍ୟ ଗଠନ କରିପାରେ ଓ କଳା କୌଶଳରେ ନିପୁଣ ହୋଇପାରେ। ମାତୃଶକ୍ତି ହିଁ ସଂସାରର ରସ, ଏବଂ ରସ ସୃଷ୍ଟି ହିଁ ତନ୍ତ୍ର ବିଦ୍ୟା।

Comment