ଓଡ଼ିଶାଲାଇଭ୍ ବ୍ୟୁରୋ
କଶ୍ମୀର ପ୍ରସଙ୍ଗକୁ ନେଇ ଗତକାଲି ବସିଥିଲା ଜାତିସଂଘ ସୁରକ୍ଷା ପରିଷଦ। ବୈଠକ ପରେ ଭାରତୀୟ ରାଷ୍ଟ୍ରଦୂତ ତଥା ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟ ସୟଦ ଅକବରୁଦ୍ଦିନ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏହି ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ସାମ୍ବାଦିକଙ୍କ ପ୍ରଶ୍ନର ନାଟକୀୟ ଡଙ୍ଗରେ ଜବାବ ଦେଇ ସେ ଏବେ ଚର୍ଚ୍ଚିତ ହୋଇଛନ୍ତି।
ସୟଦ ଅକବରୁଦ୍ଦିନଙ୍କୁ ପାକିସ୍ତାନ ସାମ୍ବାଦିକ ପ୍ରଶ୍ନ ପଚାରିଥିଲେ ଯେ ପାକିସ୍ତାନ ସହ ଭାରତ କେବେ ଆଲୋଚନା ଆରମ୍ଭ କରିବ। ଏହାର ଏକ ନିଆରା ଉତ୍ତର ରଖିଥିଲେ ରାଷ୍ଟ୍ରଦୂତ। ସଙ୍ଗେ ସଙ୍ଗେ ୩ଜଣ ପାକିସ୍ତାନୀ ସାମ୍ବାଦିକଙ୍କ ସହ ହାତ ମିଳାଇ ଏହା ଆରମ୍ଭ କରୁଛନ୍ତି ବୋଲି ସେ କହିଥିଲ।
ଏହାସହ ସେ ଆହୁରୀ ମଧ୍ୟ କହିଥିଲେ ଯେ, ଭାରତ ବନ୍ଧୁତାର ହାତ ବଢାଇ ସାରିଛି। ଏବଂ ସ୍ପଷ୍ଟ କରିଛି ଯେ ଶିମଲା ଚୁକ୍ତିନାମାରେ ବାନ୍ଧି ହୋଇ ରହିଛୁ। ପାକିସ୍ତାନକୁ ହାତ ବଢ଼େଇ ସାରିଛୁ।
କଶ୍ମୀର ପ୍ରସଙ୍ଗକୁ ନେଇ ଶୁକ୍ରବାର ଜାତିସଂଘ ସୁରକ୍ଷା ପରିଷଦ ବୈଠକ ବସିଥିଲା। ବୈଠକରେ ପାକିସ୍ତାନକୁ କିଛି ସୁଫଳ ମିଳିନାହିଁ। ଏହି ବୈଠକ ସମ୍ପୂର୍ଣ୍ଣ ଅଣଔପଚାରିକ ବୋଲି ଜାତିସଂଘ କହିଥିଲା। ଏହା ସହ କଶ୍ମୀର ପ୍ରସଙ୍ଗ ଭାରତର ଆଭ୍ୟନ୍ତରୀଣ ମାମଲା ଓ ଉଭୟ ଦେଶକୁ ଶାନ୍ତି ବଜାୟ ରଖିବାକୁ ପରାମର୍ଶ ଦେଇଥିଲା ଜାତିସଂଘ।