ଓଡ଼ିଶାଲାଇଭ୍ ବ୍ୟୁରୋ

  • ମଙ୍ଗଳବାର ରାତିରୁ ହଠାତ୍‌ ‘ଅଫ୍‌ ଏୟାର’
  • ସାଟେଲାଇଟ୍‌ ପ୍ରସାରଣ ବନ୍ଦ
  • ପ୍ରସାରଣ ବନ୍ଦକୁ ନେଇ ଭିନ୍ନ ଚର୍ଚ୍ଚା

ଓଡ଼ିଆ ଟିଭି ଚ୍ୟାନେଲ ‘ନ୍ୟୁଜ୍ ୱାର୍ଲଡ୍ ଓଡ଼ିଶା’ ମଙ୍ଗଳବାର ରାତିରୁ ହଠାତ୍‌ ଅଫ୍‌ ଏୟାର ହୋଇଯାଇଛି। ଅର୍ଥାତ ସାଟେଲାଇଟ୍‌ ମାଧ୍ୟମରେ ହେଉଥିବା ପ୍ରସାରଣ ବନ୍ଦ ହୋଇଯାଇଛି। ଫଳରେ ବିଭିନ୍ନ ଡିଟିଏଚ୍‌ ପ୍ଲାଟଫର୍ମ ଏବଂ କେବୁଲ୍‌ ମାଧ୍ୟମରେ ଏହି ଚ୍ୟାନେଲର ବର୍ତ୍ତମାନ ପ୍ରସାରଣ ଦେଖିବାକୁ ମିଳୁନାହିଁ।

ବାଲେଶ୍ୱରର ପୂର୍ବତନ ଲୋକସଭା ସାଂସଦ ତଥା ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ କମ୍ପାନି ମାଲିକାନାରେ ଥିବା ଏହି ନ୍ୟୁଜ ଚ୍ୟାନେଲ ନିର୍ବାଚନ ସମୟରେ ବେଶ୍‌ ସକ୍ରିୟ ଥିଲା। ତେବେ ଏହାର ପ୍ରସାରଣ ହଠାତ ‘ଅଫ୍‌ ଏୟାର’ ହୋଇଯିବା ଫଳରେ ତାକୁ ନେଇ ଦର୍ଶକ ଓ ବିଭିନ୍ନ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି।

“ଏହା ଚ୍ୟାନେଲ ବନ୍ଦ ହେବା ଭଳି କୌଣସି ଘଟଣା ନୁହେଁ। ଏହା ଏକ ଯାନ୍ତ୍ରିକ ତ୍ରୁଟି। ତେଣୁ ଖୁବଶୀଘ୍ର ଚ୍ୟାନେଲର ପ୍ରସାରଣ କରାଯିବ। ନ୍ୟୁଜ୍ ୱାର୍ଲଡ୍ ଓଡ଼ିଶା ଏବେ ଏକ ନୂଆ ରୂପ ଆଉ ରଙ୍ଗରେ ପୁଣିଥରେ ଦର୍ଶକଙ୍କ ପାଖକୁ ଫେରିବ’’, କହିଛନ୍ତି ଚ୍ୟାନେଲର ମୁଖ୍ୟ ସମ୍ପାଦକ ଭକ୍ତ ତ୍ରିପାଠୀ।

ନିୟମିତ ପ୍ରସାରିତ ହେଉଥିବା ଗୋଟିଏ ଟେଲିଭିଜନ ନ୍ୟୁଜ ଚ୍ୟାନେଲ ଏଭଳି ହଠାତ ‘ଅଫ୍‌ ଏୟାର’ ହୋଇଯିବାକୁ ନେଇ ସଂପୃକ୍ତ ମିଡିଆର କର୍ମଚାରୀମାନଙ୍କ ମଧ୍ୟରେ ମଧ୍ୟ ବିଭିନ୍ନ ଆଶଙ୍କା ସୃଷ୍ଟି ହୋଇଛି। ତେବେ କେବଳ କର୍ମଚାରୀ ନୁହନ୍ତି, ବିଜ୍ଞାପନଦାତା ଓ ଦର୍ଶକମାନଙ୍କୁ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି।

କାହିଁକି ବନ୍ଦ ହେଲା ପ୍ରସାରଣ?

ମିଳିଥିବା ସୂଚନା ଅନୁଯାୟୀ ନ୍ୟୁଜ ୱାର୍ଲ୍ଡ ଓଡ଼ିଶାର ପ୍ରସାରଣ ଲାଇସେନ୍ସ ବାସ୍ତବରେ ଇଣ୍ଡିଆ ନ୍ୟୁଜ୍‌ର ମାଲିକଙ୍କ ପାଖରେ ରହିଛି। ଅତୀତରେ କଂଗ୍ରେସ ନେତା ତଥା ଶିଳ୍ପପତି ନବୀନ ଜିନ୍ଦଲ ଇଣ୍ଡିଆ ନ୍ୟୁଜ୍‌ଠାରୁ ଲାଇସେନ୍ସ ଆଣି ନ୍ୟୁଜ୍‌ ୱାର୍ଲ୍ଡ ଇଣ୍ଡିଆ ତଥା ନ୍ୟୁଜ୍ ୱାର୍ଲ୍ଡ ଓଡ଼ିଶା ଆଦି ଚ୍ୟାନେଲ ଚଲାଉଥିଲେ। ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ନେତା ତଥା ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଜିନ୍ଦଲଠାରୁ ଏହି ଲାଇସେନ୍ସ ଲିଜ୍‌ରେ ଆଣି ଏହି ଓଡ଼ିଆ ଚ୍ୟାନେଲ ଚଲାଉଥିଲେ।

ଇଣ୍ଡିଆ ନ୍ୟୁଜ୍‌ର ମୂଳ କମ୍ପାନି ଏବେ ଓଡ଼ିଶାରେ ‘ନ୍ୟୁଜ୍‌ ଏକ୍ସ’ ଓଡ଼ିଆ ନାଁରେ ଏକ ଚ୍ୟାନେଲ ଆରମ୍ଭ କରିବାକୁ ଯାଉଛନ୍ତି। ତେଣୁ ସେମାନେ ଜିନ୍ଦଲକୁ ଦେଇଥିବା ଲାଇସେନ୍ସ (ଯାହା ବର୍ତ୍ତମାନ ରବୀନ୍ଦ୍ର ଜେନାଙ୍କ ନ୍ୟୁଜ ୱାର୍ଲ୍ଡ ଓଡ଼ିଶା ବ୍ୟବହାର କରୁଥିଲା) ନିଜ ଚ୍ୟାନେଲ ପାଇଁ ବ୍ୟବହାର କରିବାକୁ ଯାଉଛନ୍ତି। ଫଳରେ ନ୍ୟୁଜ୍‌ ୱାର୍ଲ୍ଡ ଓଡ଼ିଶା ନାଁରେ ଚ୍ୟାନେଲ ଚଲାଇବା ପାଇଁ ବର୍ତ୍ତମାନ ରବୀନ୍ଦ୍ର ଜେନାଙ୍କ କମ୍ପାନି ନିକଟରେ ପ୍ରସାରଣ ଲାଇସେନ୍ସ ନାହିଁ। ତେଣୁ ତାଙ୍କ କମ୍ପାନି ନୂଆ ଲାଇସେନ୍ସ ଯୋଗାଡ଼ କରି ଏକ ନୂଆ ନାଁରେ ଚ୍ୟାନେଲକୁ ଚଲାଇବା ପାଇଁ ଯୋଜନା କରୁଥିବା କୁହାଯାଉଛି।

ଫୋକସ୍‌ ଟିଭିରୁ ନ୍ୟୁଜ୍‌ ୱାର୍ଲ୍ଡ ଓଡ଼ିଶା

ନବୀନ ଜିନ୍ଦଲଙ୍କ କମ୍ପାନି ଉତ୍ତର ପୂର୍ବାଞ୍ଚଳର ପୂର୍ବତନ ସାଂସଦ ମାତଙ୍ଗ ସିଂଙ୍କଠାରୁ ପ୍ରସାରଣ ଲାଇସେନ୍ସ ଆଣି କେତେକ ଟେଲିଭଜନ ଚ୍ୟାନେଲ ପ୍ରତିଷ୍ଠା କରିଥିଲେ। ତା’ ଭିତରେ ରହିଥିଲା ଫୋକସ୍‌ ଏନ୍‌ଇ, ଫୋକସ୍‌ ହାଇଦ୍ରାବାଦ, ଫୋକସ୍‌ ହାଇଫାଇ, ଫୋକସ୍‌ ବାଂଲା, ଫୋକସ୍‌ ହରିୟାଣା, ଫୋକସ୍‌ ନ୍ୟାସନାଲ ଏବଂ ଫୋକସ୍‌ ଓଡ଼ିଶା।  ପରବର୍ତ୍ତୀ ସମୟରେ ‘ଫୋକସ୍‌ ଓଡ଼ିଶା’ ଚ୍ୟାନେଲ ‘ନ୍ୟୁଜ୍ ୱାର୍ଲଡ ଓଡ଼ିଶା’ ନାଁରେ ରିବ୍ରାଣ୍ଡିଂ ହୋଇ ପ୍ରସାରିତ ହେଉଥିଲା।

ମଙ୍ଗଳବାର ଘଟଣା ପରେ ଗୋଟିଏ ପଟେ ନ୍ୟୁଜ୍‌ ୱାର୍ଲ୍ଡ ଓଡ଼ିଶା ଚ୍ୟାନେଲ ବନ୍ଦ ହୋଇଯିବ ବୋଲି ଚର୍ଚ୍ଚା ହେଉଛି। ତେବେ ରବୀନ୍ଦ୍ର ଜେନାଙ୍କ କମ୍ପାନି ନୂଆ ଲାଇସେନ୍ସ ଯୋଗାଡ଼ କରିବା ସହ ଚ୍ୟାନେଲର ରୂପରେଖକୁ ସଂକୁଚିତ କରି ନୂଆ ନାଁରେ ଟିଭି ଚ୍ୟାନେଲ ପ୍ରସାରଣ ପାଇଁ ଉଦ୍ୟମ କରୁଥିବା କୁହାଯାଉଛି।  ଏଥିପାଇଁ କେତେ ଦିନ ସମୟ ଲାଗିବ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ।

ବର୍ତ୍ତମାନ ଓଡ଼ିଶାରେ ୯ରୁ ଅଧିକ ୨୪ ଘଣ୍ଟିଆ ନ୍ୟୁଜ୍‌ ଚ୍ୟାନେଲ ରହିଛି। ସେହିପରି ଓଡ଼ିଆ ଭାଷାରେ ବର୍ତ୍ତମାନ ୩ରୁ ଅଧିକ ପ୍ରମୁଖ ମନୋରଞ୍ଜନ ଚ୍ୟାନେଲ ପ୍ରସାରିତ ହେଉଛି।

Comment