ଓଡ଼ିଶାଲାଇଭ୍ ବ୍ୟୁରୋ

  • ବଡ଼ଦାଣ୍ଡରେ ଚାଲିଲା ବୁଲ୍‌ଡୋଜର
  • ଭାଙ୍ଗିଲା ଲଙ୍ଗୁଳି ମଠ, ୨୬ ଦୋକାନ ଘର
  • ବୁଧବାର ଭଙ୍ଗା ହେବ ଏମାର ମଠ

ପୁରୀ: ମେଘନାଦ ପାଚେରୀ ଚାରିପଟୁ ଜବରଦଖଲମୁକ୍ତ କରିବା ପରେ ଏବେ ପ୍ରଶାସନ ନଜରରେ ରହିଛି ପୁରୀ ବଡ଼ ଦାଣ୍ଡ। ବଡ଼ଦାଣ୍ଡରୁ ୭୫ ମିଟର ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଶ୍ରୀମନ୍ଦିର ଉତ୍ତର ପାଶ୍ୱର ଥିବା ଲଙ୍ଗୁଳି ମଠ ଜେସିବି ମାଡ଼ରେ ମାଟିରେ ମିଶିଛି।

ମଠ ସଂଲଗ୍ନ ୨୬ଟି ଦୋକାନ ଘର ମଧ୍ୟ ମାଟିରେ ମିଶିଛି। ମାଜିଷ୍ଟ୍ରେଟ୍‌, ଏସ୍‌ପି ଓ ୧୦ ପ୍ଲାଟୁନ୍ ପୋଲିସ ଫୋର୍ସଙ୍କ ଉପସ୍ଥିତିରେ ପ୍ରଶାସନ ଏହି ଉଚ୍ଛେଦ କରିଥିଲା। ବୁଧବାର ଦିନ ଐତିହାସିକ ଏମାର ମଠ ଭଙ୍ଗାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଲଙ୍ଗୁଳି ମଠ ଓ ଏମାର ମଠକୁ ପୂର୍ବରୁ ନୋଟିସ୍ ଦେଇଥିଲା ପ୍ରଶାସନ। ଏଠାରେ ଥିବା ଦୋକାନ ଘରଗୁଡ଼ିକୁ ମଙ୍ଗଳବାରଠାରୁ ଖାଲି କରି ଦିଆଯାଇଥିଲା। ବ୍ୟବସାୟୀମାନେ ନିଜ ନିଜ ଜିନିଷପତ୍ର ଗାଡ଼ି ବୋହି ନେଇଥିଲେ। ସନ୍ଧ୍ୟା ସୁଦ୍ଧା ପ୍ରାୟ ସବୁ ଦୋକାନ ଘର ଖାଲି ହୋଇଥିଲା।

ଗତକାଲି ବିଳମ୍ବିତ ରାତି ଯାଏଁ ପ୍ରଶାସନିକ ଅଧିକାରୀ ଓ ପୋଲିସ ବୁଲି ବୁଲି ଦୋକାନ ଘରଗୁଡ଼ିକୁ ଖାଲି କରିବାକୁ କହିଥିଲେ। ଲଙ୍ଗୁଳି ମଠ ଦୋକାନୀଙ୍କୁ ଆଜି ଅପରାହ୍ଣ ଗୋଟାଏ ଓ ଏମାର ମଠ ଦୋକାନୀମାନଙ୍କୁ ସଂଧ୍ୟା ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। ନିଜେ ଏସ୍‌ପି ଉମାଶଙ୍କର ଦାଶ ସ୍ଥିତି ଅନୁଧ୍ୟାନ କରିଥିଲେ।

ଐତିହାସିକ ଏମାର ମଠକୁ ଭାଙ୍ଗିବା ପାଇଁ ପ୍ରଶାସନ ନୋଟିସ୍‌ ଦେଇଛି। ସିଂହଦ୍ୱାର ସମ୍ମୁଖରେ ଥିବା ଏମାର ମଠରୁ ଜିନିଷପତ୍ର ଖାଲି କରାଯାଇଛି।

ପୁରୀରେ ଚାଲିଥିବା ୭୫ ମିଟର ଉଛେଦ କାର୍ଯ୍ୟକୁ ବିରୋଧ କରି ସୁପ୍ରିମକୋର୍ଟରେ ରୁଜୁ ହୋଇଥିବା ଦୁଇଟି ମାମଲା ଆଜି ଖାରଜ ହୋଇଛି। ସୁପ୍ରିମକୋର୍ଟରେ ଆଡଭୋକେଟ୍‌ ଜେନେରାଲଙ୍କ ବଳିଷ୍ଠ ଯୁକ୍ତି ବଳରେ ଏହି ମାମଲା ଖାରଜ ହୋଇଛି।

ପୁରୀ ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ଉଛେଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ। ଏନେଇ ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ହେଲେ ଏହାକୁ ଚାଲେଞ୍ଜ କରି ଇଣ୍ଟର କଣ୍ଟିନେଣ୍ଟାଲ ଲୟର୍ସ ଆସୋସିଏସନ ଏବଂ ଚେନ୍ନାଇର ଜଣେ ବ୍ୟକ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଉଭୟ ପକ୍ଷ ତରଫରୁ ଦୁଇଟି ମାମଲା ରୁଜୁ ହୋଇଥିଲା।

ଏହି ମାମଲାର ଆଜି ଶୁଣାଣି ହୋଇଥିଲା। ଶୁଣାଣି ବେଳେ ଆଡଭୋକେଟ୍‌ ଜେନେରାଲ ୭୫ ମିଟର କାହିଁକି ଉଛେଦ ହେବ ନାହିଁ ବୋଲି ଯୁକ୍ତି କରିଥିଲେ। ଜଷ୍ଟିସ୍‌ ବି ପି ଦାସ କମିଶନଙ୍କ ସୁପାରିଶ ଅନୁସାରେ ଉଛେଦ ଚାଲିଛି ଏବଂ ଏହା ଆଇନ ଅନୁସାରେ ହେଉଛି ବୋଲି ଯୁକ୍ତି କରିଥିଲେ ଆଡଭୋକେଟ୍‌ ଜେନେରାଲ।

Comment