ଓଡ଼ିଶାଲାଇଭ୍ ବ୍ୟୁରୋ

ଆସୁଛି ଗଣେଶ ପୂଜା। ବିଘ୍ନବିନାଶକଙ୍କ ପୂଜା ପାଇଁ ଏବେଠୁ ଆରମ୍ଭ ହେଲାଣି ପ୍ରସ୍ତୁତି। ବିଭିନ୍ନ ଶିକ୍ଷାନୁଷ୍ଠାନଠୁ ଆରମ୍ଭ କରି ପୂଜା ମଣ୍ଡପରେ ଗଣେଶଙ୍କୁ ପୂଜା କରିବା ପାଇଁ ବ୍ୟାପକ ଆୟୋଜନ ଚାଲିଛି। ଏଥରୁ ବାଦ୍‌ ପଡ଼ିନି ଜଟଣୀ ସହର।

ଗଣେଶ ପୂଜା ଆସିଲେ ଲୋକଙ୍କ ଆଖି ସାମ୍ନାକୁ ଚାଲିଆସେ ଜଟଣୀ ସହର। ଖୋର୍ଦ୍ଧା ଜିଲ୍ଲାର ଛୋଟିଆ ସହରଟିଏ ହେଉଛି ଜଟଣୀ। ଏଠାରେ ବିଭିନ୍ନ ଧର୍ମର ଲୋକ ବାସ କରୁଥିଲେ ମଧ୍ୟ ପ୍ରତିବର୍ଷ ଗଣେଶ ପୂଜାକୁ ଧୂମଧାମରେ ପାଳନ କରିଥାନ୍ତି। ଓଡ଼ିଶାରେ ଜଟଣୀ ଗଣେଶ ପୂଜାର ଏକ ସୁନାମ ରହିଛି। ୧୧ ଦିନ ଧରି ଏଠାରେ ଗଣେଶ ଉତ୍ସବ ପାଳନ କରାଯାଏ।

କେବେଠୁ ଆରମ୍ଭ?

ଜଟଣୀରେ ଗଣେଶ ପୂଜା କେବେଠୁ ଆରମ୍ଭ ହୋଇଛି ତାର ସଠିକ୍‌ ତଥ୍ୟ କାହାରି ପାଖରେ ନାହିଁ। ହେଲେ ବର୍ଷ ବର୍ଷ ଧରି ଏଠାରେ ଗଣେଶ ପୂଜା ପାଳନ କରାଯାଇ ଆସୁଛି।

କୁହାଯାଉଛି ବହୁ ବର୍ଷ ତଳେ ଦୀନବନ୍ଧୁ ସାହୁ ନାମକ ଜଣେ ବ୍ୟବସାୟୀ ଏଠାରେ ଗଣେଶ ପୂଜା ଆରମ୍ଭ କରିଥିଲେ। ନିଜ ଦୋକାନରେ ଗଣେଶ ମୂର୍ତ୍ତି ବସାଇ ପୂଜା କରିଥିଲେ। ଏହାପରେ ଅନ୍ୟ ବ୍ୟବସାୟୀମାନେ ଗଣେଶ ପୂଜା କରିଥିଲେ। ପରେ ଏହି ପୂଜା ସାରା ସହରରେ ବିଭିନ୍ନ ବ୍ୟସାୟୀ ସଂଘ ପାଳନ କରିଥିଲେ। ଏବେ ପୂଜା ପ୍ରତିଯୋଗିତା ପୂର୍ଣ୍ଣ ହୋଇଯାଇଛି। ପ୍ରତିବର୍ଷ ଆଡ଼ମ୍ବରପୂର୍ଣ୍ଣ ଭାବେ ପୂଜା ଅନୁଷ୍ଠିତ ହେଉଛି।

ଜଟଣୀର ଗୋପବନ୍ଧୁ ବଜାର, ହରି ଭାଇନା ଛକ ପୂଜା କମିଟି, ମହୁଲଗୁଡ଼ିଆ ଛକ, ଥାନା ବଜାର ଛକ, ସୀତାରାମ ଛକ, ରାଜା ବଜାର, ବଡ଼ ବଜାର, ଗୋଲେଇ ମାର୍କେଟ ପୂଜା ପେଣ୍ଡାଲରେ ବିଶାଳ ଗଣେଶ ମୂର୍ତ୍ତି ପୂଜା ପାଇଥାନ୍ତି।

ଗଣେଶ ମହୋତ୍ସବ

ଜଟଣୀ ଗଣେଶ ପୂଜା ସାରା ଓଡ଼ିଶାରେ ଖାତି ଅର୍ଜନ କରିଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକେ ଗଣେଶ ପୂଜା ଦେଖିବା ପାଇଁ ଏଠାକୁ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଗତ ୧୪ ବର୍ଷ ହେଲା ଜଟଣୀସ୍ଥିତ ଶରତ ପାଇକରାୟ ଷ୍ଟାଡିୟମରେ ଗଣେଶ ମହୋତ୍ସବ ପାଳନ କରାଯାଉଛି। ମୀନା ବଜାର, ଦୋଳି ଏହି ମହୋତ୍ସବର ଆକର୍ଷଣକୁ ଦୁଇଗୁଣିତ କରିଛି।

ବିଭିନ୍ନ ସ୍ଥାନରୁ ଲୋକେ ଆସି ମହୋତ୍ସବ ଉପଭୋଗ କରିବା ସହ ମୀନା ବଜାରରୁ କିଣାକିଣି କରିଥାନ୍ତି ଏବଂ ଦୋଳିର ମଜା ନେଇଥାନ୍ତି। ଖାଲି ସେତିକି ନୁହେଁ, ଗଣେଶ ପୂଜା ସମୟରେ ଯାତ୍ରା ପାର୍ଟି ପଡ଼ିଥାଏ। ଲୋକେ ଯାତ୍ରାର ବି ମଜା ନେଇଥାନ୍ତି। ଗଣେଶ ପୂଜା ପାଇଁ ଜଟଣୀ ସହର ରଙ୍ଗ ବେରଙ୍ଗର ଆଲୋକମାଳାରେ ସଜେଇ ହୋଇଥାଏ। ଜଟଣୀରେ ୧୧ ଦିନ ଧରି ଯାତ୍ରା ଜମିଥାଏ।

Comment