ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସୁଛି ବିଘ୍ନବିନାଶକ ଶ୍ରୀଗଣେଶ ଚତୁର୍ଥୀ। ଏନେଇ ସାରା ଦେଶରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଉତ୍ସବମୂଖର ହୋଇଉଠିଛି ଦେଶର ପ୍ରସିଦ୍ଧ ଗଣେଶ ପୂଜାସ୍ଥଳୀ। ଭାରତର ବାଣିଜ୍ୟ ରାଜଧାନୀ ମୁମ୍ବାଇରେ ପ୍ରତିବର୍ଷ ଧୂମଧାମରେ ଗଣେଶ ପୂଜା ପାଳିତ ହୋଇଥାଏ। ତେବେ ଆପଣ ‘ଖୈରତାବାଦ ଗଣେଶ’ ବିଷୟରେ ଜାଣିଛନ୍ତି କି?

ପ୍ରତିବର୍ଷ ହାଇଦ୍ରାବାଦର ଖୈରତାବାଦ ସହରରେ ଏହି ‘ଖୈରତାବାଦ ଗଣେଶ’ଙ୍କୁ ଦେଖିବାକୁ ମିଳିଥାଏ। ଖୈରତାବାଦରେ ପ୍ରତିବର୍ଷ ଭାରତର ସବୁଠାରୁ ବଡ଼ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇ ପୂଜାର୍ଚ୍ଚନା ହୋଇଥାଏ। ପ୍ରତିବର୍ଷ ପାଖାପାଖି ୬୦ ଫୁଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଇଥାଏ। ୧୧ଦିନ ଧରି ପାଳିତ ହେଉଥିବା ଏହି ଗଣେଶ ପୂଜା ଦେଖିବାପାଇଁ ସାରା ଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ।

୧୧ ଦିନ ଧରି ପୂଜା ପାଇବା ପରେ ଏହି ଗଶେଶ ମୂର୍ତ୍ତିକୁ ବିଶାଳ ଶୋଭାଯାତ୍ରାରେ ହାଇଦ୍ରବାଦର ହୁସେନ୍‌ ସାଗରରେ ଭସାଣି କରାଯାଇଥାଏ।

‘ଖୈରତାବାଦ ଗଣେଶ’ର ଇତିହାସ

କୁହାଯାଏ ‘ଖୈରତାବାଦ ଗଣେଶ’ର ଉଚ୍ଚତା ଯେତେ ଅଧିକ, ଏହାକୁ ନିର୍ମାଣ କରିବା ପଛରେ ଥିବା ଇତିହାସ ମଧ୍ୟ ସେତିକି ପୁରୁଣା। ୧୯୫୪ ମସିହାରେ ସ୍ୱାଧୀନତା ସଂଗ୍ରାମୀ ଏସ୍‌ ଶଙ୍କରଆୟା ପ୍ରଥମଥର ପାଇଁ ଏହି ଗଣେଶ ପୂଜାର ଶୁଭାରମ୍ଭ କରିଥିଲେ। ସେହିଦିନଠାରୁ ପ୍ରତିବର୍ଷ ହାଇଦ୍ରାବାଦ ସହରରେ ୬୦ ଫୁଟର ବିଶାଳ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇ ବହୁ ଆଡ଼ମ୍ବରରେ ପୂଜା କରାଯାଇଥାଏ।

‘ଖୈରତାବାଦ ଗଣେଶ’ର ବିଶେଷତ୍ୱ

‘ଖୈରତାବାଦ ଗଣେଶ’ର ବିଶେଷତ୍ୱ ହେଉଛି, ପ୍ରତିବର୍ଷ ଗଣେଶଙ୍କ ବିଭିନ୍ନ ଅବତାରକୁ ନେଇ ମୂର୍ତ୍ତି ନିର୍ମାଣ କରାଯାଇଥାଏ। ଗତବର୍ଷ ସପ୍ତମୂଖ ଗଣେଶ ନିର୍ମାଣ କରାଯାଇଥିଲା। ଯାହାର ଉଚ୍ଚତା ଥିଲା ୫୫ ଫୁଟ। ତେବେ ଚଳିତବର୍ଷ ଏଠାରେ ‘ଦ୍ୱାଦଶାଦିତ୍ୟ ମହା ଗଣପତି’ ନାମରେ ୬୧ ଫୁଟର ଏକ ବିଶାଳ ମୂର୍ତ୍ତି ନିର୍ମାଣ କରାଯାଇଛି।

‘ଖୈରତାବାଦ ଗଣେଶ’ଙ୍କ ୫୯ ବର୍ଷ ପୂର୍ତ୍ତି ଅବସରରେ ୨୦୧୩ ମସିହାରେ ଏକ ବିଶାଳକାୟ ଲଡ଼ୁ ନିର୍ମାଣ କରାଯାଇଥିଲା। ଯାହାର ଓଜନ ଥିଲା ୪୨୦୦ କିଲୋଗ୍ରାମ। ଏହି ବିଶାଳ ଲଡୁ ଗଣେଷଙ୍କ ହାତ ଉପରେ ସ୍ଥାପିତ କରାଯାଇ ପୂଜା ପାଇଥିଲା। ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାର ତାପେଶ୍ୱରମ ଗାଁରେ ଏହି ଲଡୁକୁ ନିର୍ମାଣ କରାଯାଇଥିଲା।

ସେହିପରି ୨୦୧୫ ମସିହାରେ ଗଣେଶ ପୂଜା ଉପଲକ୍ଷେ ୬ ହଜାର କିଲୋଗ୍ରାମର ଏକ ବିଶାଳ ଲଡୁ ନିର୍ମାଣ କରାଯାଇଥିଲା। ତାପେଶ୍ୱରମ ଗାଁର ମଲ୍ଲି ବାବୁ ନାମକ ଜଣେ ବ୍ୟକ୍ତି ଏହି ଲଡୁକୁ ନିର୍ମାଣ କରିଥିଲେ।

୨୦୧୯ ‘ଖୈରତାବାଦ ଗଣେଶ’

୨୦୧୯ ‘ଖୈରତାବାଦ ଗଣେଶ’ ହେଉଛନ୍ତି ‘ଶ୍ରୀ ଦ୍ୱାଦଶାଦିତ୍ୟ ମହା ଗଣପତି’। ସୂର୍ଯ୍ୟଙ୍କ ସଦୃଶ ଏହି ମୂର୍ତ୍ତିକୁ ନିର୍ମାଣ କରାଯାଇଛି। ଏହି ଗଶେଶ ମୂର୍ତ୍ତି ୧୨ଟି ମୁଣ୍ଡ, ୨୪ ହାତରେ ଏକ ରଥ ଉପରେ ବିରାଜମାନ ହୋଇଛନ୍ତି। ଏହି ରଥକୁ ୭ଟି ଘୋଡ଼ା ଟାଣୁଥିବାର ମୃର୍ତ୍ତି ଦେଖିବାକୁ ମିଳିଛି। ଶିଳ୍ପୀ ରାଜେନ୍ଦ୍ରନ ଏହି ଗଣେଶ ମୂର୍ତ୍ତିକୁ ନିର୍ମାଣ କରିଛନ୍ତି।

Comment