ଓଡ଼ିଶାଲାଇଭ ବ୍ୟୁରୋ

ମୁମ୍ଵାଇର ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିର ବହୁ ପୁରାତନ ଯେଉଁଠି ଯାହା ମନସ୍କାମନା କରାଯାଏ ତାହା ପୂର୍ଣ୍ଣ ହୋଇଥାଏ ବୋଲି ଲୋକମାନଙ୍କର ବିଶ୍ଵାସ ରହିଛି।

ଭାରତରେ ଅନେକ ପର୍ବ ପାଳନ କରାଯାଏ। ମାତ୍ର ମୁମ୍ଵାଇ ଭାରତର ଏମିତି ଏକ ସହର ଯେଉଁଠି ସବୁ ପ୍ରକାର ପର୍ବ ପାଳନ କରାଯାଏ। ସବୁ ସମ୍ପ୍ରାଦାୟର ଲୋକ ଏଠାରେ ମିଳିମିଶି ପୂଜା ପର୍ବ ପାଳନ କରିଥାନ୍ତି। ମୁମ୍ଵାଇରେ ଗଣେଶ ପୂଜା ବହୁତ ଧୁମ୍‌ଧମ୍‌ରେ ପାଳନ ହୁଏ। ବହୁତ ବଡ଼ ବଡ଼ ଗଣେଶ ଏଠାରେ ପୂଜା କରାଯାଏ। ସେଥିପାଇଁ ଏଠାରେ ଥିବା ପ୍ରଭୁ ଗଣେଶଙ୍କର ସିଦ୍ଧିବିନାୟକ ମନ୍ଦିର ବେଶ ପ୍ରସିଦ୍ଧ। ମୁମ୍ଵାଇରେ ଯେତିକି ପର୍ଯ୍ୟଟନସ୍ଥଳୀ ରହିଛି ତାଙ୍କ ମଧ୍ୟରେ ସିଦ୍ଧି ବିନାୟକ ମନ୍ଦିର ମଧ୍ୟ ଅନ୍ୟତମ।

ମୁମ୍ଵାଇର ପ୍ରସିଦ୍ଧ ଏହି ମନ୍ଦିର ୧୯ ନଭେମ୍ଵର ୧୮୦୧ରେ ନିର୍ମାଣ କରାଯାଇଥିଲା। ପୂର୍ବରୁ ଏହି ମନ୍ଦିର ବହୁତ ଛୋଟ ଥିଲା। ଗତ କିଛି ଦଶକ ମଧ୍ୟରେ ଏହି ମନ୍ଦିରର ଅନେକ ଥର ପୁନଃ ନିର୍ମାଣ କରାଯାଇଛି। ୧୯୯୧ ମସିହାରେ ମହାରାଷ୍ଟ୍ର ସରକାର ଏହି ମନ୍ଦିର ପାଇଁ ୨୦ ହଜାର ବର୍ଗଫୁଟର ଏକ ଜମି ଦାନ କରିଥିଲେ। ବର୍ତ୍ତମାନ ଏହି ସିଦ୍ଧି ବିନାୟକ ମନ୍ଦିର ୫ ମହଲା ବିଶିଷ୍ଟ ନିର୍ମାଣ କରାଯାଇଛି। ଏହା ମଧ୍ୟରେ ଭଗବାନ ପୂଜା ପାଇବା ସହ ରୋଷେଇଶାଳ, ପ୍ରବଚନ ଗୃହ, ଗଣେଶ ସଂଗ୍ରାଳାୟ ଓ ଏକ ଡାକ୍ତରଖାନା ରହିଛି। ଯେଉଁଠି ମାଗଣାରେ ରୋଗୀମାନଙ୍କୁ ଚିକିତ୍ସା କରାଯାଏ।

ପ୍ରସିଦ୍ଧ ମନ୍ଦିର ସିଦ୍ଧିବିନାୟକକୁ ମୁମ୍ବାଇର ହୃଦୟ କୁହାଯାଏ। ଏହା ମୁଖ୍ୟ ସହର ଦାଦରଠୁ ମାତ୍ର ୧.୫ କିଲୋମିଟର ଦୂର। ତେବେ ମନ୍ଦିରକୁ ଟ୍ୟାକ୍ସି ଯୋଗେ ଯିବାକୁ ସୁବିଧା ହୋଇଥାଏ। ଏହାର ନିକଟସ୍ଥ ବସଷ୍ଟାଣ୍ଡ ହେଉଛି ପ୍ରଭାଦେବୀ। ସିଦ୍ଧିବିନାୟକ ମନ୍ଦିରରେ ପ୍ରତି ମଙ୍ଗଳବାର ପ୍ରବଳ ଭିଡ ହୁଏ। ଏଠାରେ ପ୍ରତି ସୋମବାର ରାତି ୨ଟାରୁ ଭକ୍ତମାନଙ୍କର ଭିଡ ବଢିଚାଲେ। ବହୁ ଦୂର ଦୂରାନ୍ତରୁ ଭକ୍ତମାନେ ଚାଲି ଚାଲି ଆସିଥାନ୍ତି।

ଶୁଣିବାକୁ ମିଳେ ଯେ ସିଦ୍ଧିବିନାୟକଙ୍କ ମହିମା ଅପରମ୍ପାର। ଏଠାରେ ଯିଏ ଯାହାବି ମାନସିକ ରଖନ୍ତି “ବାପ୍ପା ସିଦ୍ଧିବିନାୟକ” ସମସ୍ତଙ୍କ ମନସ୍କାମନା ପୂରଣ କରନ୍ତି। ଦୁଖଃର ବିଷୟ ହେଉଛି ଏତେ ଲମ୍ବା ଭିଡ ଓ ଧାଡି ଯୋଗୁଁ ଭଗବାନଙ୍କୁ ଦର୍ଶନ କରିବା ଟିକେ କଷ୍ଟ ହୋଇଥାଏ। ତତାପି ଲୋକମାନଙ୍କର ଭଗବାନଙ୍କୁ ଦେଖିବା ଆଗ୍ରହରେ ସବୁ କଷ୍ଟ ଦୂର ହୋଇଯାଇଥାଏ।

ସିଦ୍ଧିବିନାୟକଙ୍କର ରହସ୍ୟମୟ କଥା

ଏଠାରେ ବପ୍ପାଙ୍କୁ ଦର୍ଶନ କରିବାକୁ ପ୍ରତିଦିନ ହଜାର ହଜାର ଲୋକ ଆସିଥାନ୍ତି। ସେମାନେ ନିଜର ମନସ୍କାମନାକୁ ଏକ ନୂଆ ଢଙ୍ଗରେ ଭଗବାନଙ୍କ ପାଖରେ ପହଞ୍ଚାଇଥାନ୍ତି। ଭଗବାନଙ୍କ ମୂର୍ତ୍ତି ଯେଉଁଠାରେ ବିରାଜମାନ ହୋଇଛି ତା’ର ଠିକ୍‌ ସାମ୍ନାରେ ଏକ ଧଳା ବୋର୍ଡ ଅଛି। ଯେଉଁଠି ଭକ୍ତମାନେ ଦର୍ଶନ ପରେ ନିଜ ମନସ୍କାମନାକୁ ଖାଲି ହାତରେ ଲେଖିଥାନ୍ତି। ଏହି ଲେଖାକୁ କେହି ଦେଖିପାରନ୍ତିନି ସତ ହେଲେ, ବପ୍ପା ଏହାକୁ ଦେଖିପାରନ୍ତି ବୋଲି ଲୋକଙ୍କ ବିଶ୍ଵାସ ରହିଛି।

ସେହିପରି ମନ୍ଦିର ପରିସର ମଧ୍ୟରେ ଥିବା ଏକ ବୃଷବ କାନରେ କିଛି ଭକ୍ତ ନିଜ ମନଷ୍କାମନା କହିଥାନ୍ତି। ଯାହା ଫଳରେ ନିଜ ମନକଥା ସିଧାସଳଖ ବପ୍ପାଙ୍କ ପାଖକୁ ଯାଏ ଓ ମନସ୍କାମନା ପୂରଣ ହୋଇଥାଏ ବୋଲି ଲୋକମାନେ ବିଶ୍ଵାସ କରନ୍ତି।

ମୁମ୍ଵାଇର ଗଣେଶ ପୂଜା

ମୁମ୍ଵାଇର ଗଣେଶ ପୂଜା ଆସିଲେ ସିଦ୍ଧିବିନାୟକ ମନ୍ଦିର କଥା ମନକୁ ଆସିଥାଏ। ଏଠାରେ ଗଣେଶ ପୂଜାପାଇଁ ମାସେ ଧରି ପ୍ରସ୍ତୁତି କାର୍ଯ୍ୟ ହୋଇଥାଏ। ଧୁମ୍‌ଧାମ୍‌ରେ ଗଣେଶ ପୂଜା ପାଳନ କରାଯାଏ। ପୂଜା ଦିନ ହଜାର ହଜାର ଭକ୍ତ ବପ୍ପାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି। ସିଦ୍ଧିବିନାୟକ ବ୍ୟତୀତ ଗଣେଶ ପୂଜାରେ ମୁମ୍ଵାଇ ସହର ମଧ୍ୟ ଚଳଚଞ୍ଚଳ ହୋଇଥାଏ। ଏଠାରେ ପ୍ରତି ସ୍ଥାନ ନାଁରେ ବିରାଟ ବିରାଟ ଗଣେଶ ମୂର୍ତ୍ତି ପୂଜା ପାଇଥାନ୍ତି। ଯେମିତି କି, ଲାଲବାଗଚା ରାଜା, ଜୁହୁ , ଦାଦର, ସାନ୍ତାକୁର୍ଜ, ଖାର, ବାନ୍ଦ୍ରା, ଭିଲେପାର୍ଲେ, ଅନ୍ଧେରି, ବର୍ସୋବା, ଗୋରାଇ, ମିରାରୋଡ, ବୋରୀଭଲୀ, ମଲାଡ, ମୁଲୁଣ୍ଡ, ଯୋଗେଶ୍ଵରୀ, ଗୋରେଗାଁଓ, ମୁମ୍ବାଇ ସେଣ୍ଟ୍ରାଲ, ଛିଞ୍ଚପୋକଲି, କୁର୍ଲା, ଚେମବୁର, ଭାଣ୍ଡୁପ, ରତନ, ବିକ୍ରୋଲି, ମରୋଲ, ସାକିନାକା ଏମିତି ଅନେକ। ତେବେ ବିସର୍ଜନ ବେଳେ ଧୁମ୍‌ଦାମ୍‌ରେ ପାଳନ କରାଯାଏ ‘ଗଣପତି ବପ୍ପା ମୋରିୟା’ରେ ସାରା ମୁମ୍ଵାଇ ସହର ଦୁଲୁକି ଉଠୁଥାଏ।

Comment